ବାଣୀକ୍ଷେତ୍ର ଝଙ୍କଡ଼ ମାଁ ଶାରଳାଙ୍କ ପୀଠରେ “ବାଣୀ ପର୍ବ”ର ଉଦ୍ଘାଟନୀ ଉତ୍ସବ..

ତିର୍ତୋଲ(ରଞ୍ଜନ କୁମାର ମଲ୍ଲିକ)
ଆଦିକବି ଶୁଦ୍ରମୁନି ଶାରଳା ଦାସ ଙ୍କ ଓଡ଼ିଆ ଭାଷା ସାହିତ୍ୟ ପ୍ରତି ଅନନ୍ୟ ଅବଦାନ ର ଛଅ ଶହ ବର୍ଷ ପୂର୍ତ୍ତି ଅବସରରେ ଜାତୀୟ ସାହିତ୍ୟ ମହୋତ୍ସବ “ବାଣୀପର୍ବ” ର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ସାରସ୍ୱତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଡଃ ବୈଷ୍ଣବ ଚରଣ ସାମଲ ଯୋଗ ଦେଇ ସାରଳା ଦାସ ଙ୍କ ରଚିତ ଓଡ଼ିଆ ମହାଭାରତରେ ଭିନ୍ନ ଭିନ୍ନ ସ୍ୱତନ୍ତ୍ର ଚରିତ୍ରର ଅବତାରଣା କରାଯାଇଥିବା ବେଳେ ଆମ ଭାଷା ସାହିତ୍ୟ କୁ ବିଶ୍ୱ ଦରବାରରେ ପରିଚିତ,ପ୍ରତିଷ୍ଠିତ ଓ ବିଶ୍ୱବନ୍ଦିତ କରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ।ମୁଖ୍ୟବକ୍ତା ଆମ ଓଡିଶା ଓ ସମ୍ବାଦ ର ପ୍ରତିଷ୍ଠାତା ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ ଯେ ଓଡ଼ିଆ ଅସ୍ମିତା କଥା ଯଦି କୁହାଯାଏ ତେବେ ଆମର ମହାପ୍ରଭୁ ଜଗନ୍ନାଥ ଙ୍କ ସହିତ ସାରଳା ଦାସ,ଉପେନ୍ଦ୍ରଭଞ୍ଜ ଓ ଜଗନ୍ନାଥ ଦାସ ଙ୍କୁ ନେଇ ଆମର ଓଡ଼ିଆ ଅସ୍ମିତା ଭାବରେ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି। ଦୀର୍ଘ ବର୍ଷବ୍ୟାପି ଏହି ବାଣୀ ପର୍ବର ଜୟଯାତ୍ରା ର ସଫଳତା କାମନା କରି ଆୟୋଜକ ମାନଙ୍କୁ ମାର୍ଗଦର୍ଶନ କରିଥିଲେ।ସମ୍ମାନୀତ ଅତିଥି ମାନଙ୍କ ମଧ୍ୟରେ ବିଧାୟକ ସାରଦା ପ୍ରସାଦ ଜେନା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ,ଜେଏନୟୁ ସାରଳା ଚେୟାର ର ପ୍ରଫେସର ଉଦୟ ନାଥ ସାହୁ, ଆରବ ଏମିରେଟସ ସଙ୍ଗଠନ ର ସଭାପତି ବିଦ୍ୟାଭୂଷଣ ମହାନ୍ତି, ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା,ସାରଳା ମନ୍ଦିରର ମୁଖ୍ୟ ପୂଜକ ରଞ୍ଜନ କୁମାର ପଣ୍ଡା ପ୍ରମ୍ମୁଖ ଯୋଗଦେଇ ସାରଳାଦାସ ଙ୍କ କୃତି ଓ ସ୍ମୃତି ଉପରେ ଆଲୋଚନା କରିଥିଲେ।ଏହି କାର୍ଯ୍ୟକ୍ରମକୁ ସୁଦୂର ପ୍ରସାର କରିବା ପାଇଁ ଆହ୍ୱାନ ଦେଇଥିଲେ।ବାଣୀପର୍ବ ର ସଭାପତି ଗୌରାଙ୍ଗ ଚରଣ ହୋତା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ସଭାରେ ଆବାହକ ଦେବେନ୍ଦ୍ର ନାଥ ରାଉତ ନିମନ୍ତ୍ରିତ ଅତିଥି ମାନଙ୍କୁ ମଞ୍ଚକୁ ସ୍ୱାଗତ କରିବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଦୂରଦର୍ଶନ ର ଉପସ୍ଥାପକ ଅଭିନନ୍ଦନ ଦାସ,ପଣ୍ଡିତ ସିଦ୍ଧେଶ୍ୱର ପଣ୍ଡା ଓ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ମଞ୍ଚ ସଞ୍ଚାଳନ କରିଥିଲେ।ପରିଶେଷରେ ଅନୁଷ୍ଠାନର ସଂଯୋଜିକା ସ୍ନେହମୟୀ ଆଚାର୍ଯ୍ୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ପାଇକ ଆଖଡ଼ା ଏବଂ ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ବାଣୀପର୍ବ ତରଫରୁ ନିମନ୍ତ୍ରିତ ଅତିଥି ଓ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଅତିଥି ମାନଙ୍କ ଦ୍ୱାରା ପ୍ରଫେସର ଉଦୟନାଥ ସାହୁ ଓ ଡଃ ରମେଶ ଚନ୍ଦ୍ର ମଲ୍ଲିକ ଙ୍କ ସମ୍ପାଦନାରେ ପ୍ରକାଶିତ ଗ୍ରନ୍ଥ “ଶତାବ୍ଦୀ ର ଶାରଳା ସମୀକ୍ଷା” ଶୁଭ ଉନ୍ମୋଚନ କରାଯାଇଥିଲା।
