May 20, 2025

ଛତ୍ରପୁର ୟୁରୋ କିଡ୍ସ ସ୍କୁଲ ପକ୍ଷ ରୁ ଜାତୀୟ ବାଳିକା ଦିବସ ପାଳିତ

Share

ଛତ୍ରପୁର -୨୪/୧/୨୫(ଅରୁଣ କୁମାର ପଣ୍ଡା)ବାଳିକା ଭ୍ରୁଣହତ୍ୟା ରୋକିବା ନିମନ୍ତେ ତଥା ନାରୀ ସଶକ୍ତିକରଣ କରିବା ନିମନ୍ତେ ୨୦୦୮ ମସିହାରୁ ପ୍ରତ୍ୟେକ ବର୍ଷ ଜାନୁଆରୀ ମାସ ୨୪ ତାରିଖରେ ଜାତୀୟ ବାଳିକା ଦିବସ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ପାଳିତ ହେଇଆସୁଛି। ସେହି କ୍ରମରେ ଆଜି ଛତ୍ରପୁରସ୍ଥିତ ୟୁରୋ କିଡ୍ସ ବିଦ୍ୟାଳୟର ଅଧ୍ୟକ୍ଷ ରଞ୍ଜନ କୁମାର ମହାପାତ୍ରଙ୍କ ସହଯୋଗରେ ତଥା ଛତ୍ରପୁର ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢ଼ୀଙ୍କ ସଭାପତିତ୍ୱରେ ସ୍ଥାନୀୟ ୟୁରୋ କିଡ୍ସ ବିଦ୍ୟାଳୟରେ ଆଜି ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି।

 

ଏହି କ୍ରମରେ ଆଜି ସର୍ବ ପ୍ରଥମେ ବିଦ୍ୟାଳୟର ଏକାଡେମୀ ନିର୍ଦ୍ଦେଶକ ପ୍ରମୋଦ କୁମାର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ତପସ୍ୱିନୀ କୁମାରୀ ସାହୁ ସମସ୍ତ ଅତିଥିଙ୍କୁ ଉପଢୌକନ ଦେଇ ସ୍ୱାଗତ କରିଥିଲେ। ପରେ ଶ୍ରୀ ପାଢ଼ୀ ନିଜର ଅଭିଭାଷଣରେ ରାଷ୍ଟ୍ର ନିର୍ମାଣରେ ନାରୀର ଭୂମିକା କଥା କହିଥିବା ବେଳେ, ଅନ୍ୟତମ ଅତିଥି ତଥା ଶଙ୍କର ଚକ୍ଷୁ ଚିକିତ୍ସାଳୟର ଲୋକ ସମ୍ପର୍କ ଅଧିକାରୀ ତଥା ବରିଷ୍ଠ ଓକିଲ ବି. ଶ୍ରୀନିବାସ ଉପସ୍ଥିତ ଥିବା ପିଲାମାନଙ୍କୁ ଭବିଷ୍ୟତରେ ଭଲ ନାଗରିକ ହେବା ନିମନ୍ତେ ଉପଦେଶ ଦେଇଥିଲେ। ପରେ ଛତ୍ରପୁର ଏସଡ଼ିଜେଏମ୍ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର କିଛି ନୂଆ କରି ଇତିହାସରେ ଅଲମ୍ପିୟାନ ମନୁ ଭାକରଙ୍କ ଭଳି ନିଜର ପରିଚୟ ସୃଷ୍ଟି କରିବାକୁ କହିଥିଲେ ଓ ପରେ ସମାଜସେବୀ ଋତୁ କୁମାରୀ ସେଠୀ ଓ ଆଠ ନମ୍ବର ୱାର୍ଡର କାଉନସିଲର ପ୍ରୀତିଛନ୍ଦା ସାମଲ ନାରୀ ସଶକ୍ତିକରଣ ଉପରେ ଜୋର ଦେବା ସହ ସମାଜରେ ପ୍ରତିଷ୍ଠିତ ହୋଇ ନାଁ କମେଇବାକୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ। ସେହିପରି ସମାଜସେବୀ ମନୋଜ ମିଶ୍ର ସମସ୍ତ ଛାତ୍ରଛାତ୍ରୀଙ୍କୁ ଭଲ ମଣିଷ ହୋଇ ସମାଜର ସେବା କରିବା ନିମନ୍ତେ ଆଗେଇ ଆସିବାକୁ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜୀବନ କୁମାର ମହାରଣା, ମାଧବ ସାସମଲ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପରେ ୟୁରୋ କିଡ୍ସ ଛାତ୍ରଛାତ୍ରୀଙ୍କ ଦ୍ୱାରା ବାଳିକା ଦିବସର ଉଦ୍ଧେଶ୍ୟକୁ ନେଇ ପ୍ରସ୍ତୁତ ଏକ ବିଶେଷ ନାଟକ ପରିବେଷଣ କରାଯାଇଥିଲା, ଯାହାକି ସମସ୍ତଙ୍କ ମନକୁ ବେଶ ଛୁଇଁଥିଲା। ସର୍ବଶେଷରେ ବିଦ୍ୟାଳୟର ଶିକ୍ଷୟତ୍ରୀ ଶ୍ରୀମତି ପୂଜା ନନ୍ଦ ସାହୁ ଏ ଭଳି ଏକ ଶିକ୍ଷଣୀୟ କାର୍ଯ୍ୟକ୍ରମର ସୁଚାରୁରୂପେ ପରିଚାଳନା ନିମନ୍ତେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

 

ସୂଚନାଯୋଗ୍ୟ, ୧୯୬୬ ମସିହାର ଏହି ଦିନରେ ସ୍ବର୍ଗତ ଇନ୍ଦିରା ଗାନ୍ଧି ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ସେହି ଦିନକୁ ମନେ ରଖିବା ପାଇଁ ୨୦୦୮ ମସିହାରୁ ଏହି ଦିନକୁ ଜାତୀୟ ବାଳିକା ଦିବସ ଭାବେ ପାଳନ କରାଯାଇଆସୁଛି।