ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ-୨ ଦଳିତଙ୍କୁ ନିର୍ଧୁମ୍ ମାଡ଼,ଅଧା ଲଣ୍ଡା କରି ଆଣ୍ଠୁରେ ଚଲାଇଲେ..
ବ୍ରହ୍ମପୁର(ନୁରୁଲ୍ ମଲ୍ଲିକ)ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ।ଗୋରୁ ଚାଲାଣ ସନ୍ଦେହରେ ଦୁଇ ଦଳିତଙ୍କୁ ନିର୍ଧୁମ୍ ପିଟିଲେ।ଖାଲି ସେତିକି ନୁହେଁ,ଅଧା ଲଣ୍ଡା କରି ଆଣ୍ଠୁରେ ଚଲାଇଲେ। ଘାସ ଖୁଆଇବା ସହ ନର୍ଦ୍ଦମା ପାଣି ପିଆଇଲେ।ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଖାରିଗୁମ୍ମା ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ଗ୍ରାମବାସୀଙ୍କ ଦ୍ବାରା ଆକ୍ରୋଶର ଶିକାର ହୋଇଥିବା ଦୁଇଜଣ ବ୍ୟକ୍ତି ହେଉଛନ୍ତି ଧରାକୋଟ ବ୍ଲକ ସିଙ୍ଗିପୁର ଗ୍ରାମର ବୁଲୁ ନାୟକ ଓ ବାବୁଲା ନାୟକ।ସୂଚନା ଅନୁସାରେ, ବାବୁଲାଙ୍କ ଝିଅ ବାହାଘର ଥିବାରୁ ସେ ଯୌତୁକ ପାଇଁ ଗାଈ କିଣିବାକୁ ସଂପର୍କୀୟ ଭାଇ ବୁଲୁଙ୍କ ସହ ହରିପୁର ଗ୍ରାମକୁ ଯାଇଥିଲେ।
ଅଧାଲଣ୍ଡା କରି ଆଣ୍ଠୁରେ ଚଲାଇଲେ
ଘାସ ଖୁଆଇ ନର୍ଦ୍ଦମା ପାଣି ପିଆଇଲେ।
ସେଠାରୁ ତିନିଟି ଗାଈ କିଣି ସିଙ୍ଗିପୁର ଗ୍ରାମକୁ ଯାଉଥିବା ବେଳେ ଖାରିଗୁମ୍ମା ଗାଁ ରାସ୍ତାରେ କିଛି ଲୋକ ଉଭୟଙ୍କୁ ଅଟକାଇଥିଲେ। ସେମାନେ ଗୋଚାଲାଣକାରୀ ହୋଇଥିବା ସନ୍ଦେହ କରି ଟଙ୍କା ମାଗିଥିଲେ।କିନ୍ତୁ ଟଙ୍କା ଦେବା ଲାଗି ସେମାନେ ଅକ୍ଷମତା ପ୍ରକାଶ କରିବାରୁ କିଛି ଯୁବକ ସେମାନଙ୍କୁ ନିର୍ଧୁମ୍ ମାଡ଼ ମାରିବା ସହ ସେଲୁନ୍କୁ ନେଇ ଅଧାଲଣ୍ଡା କରିଥିଲେ। ଏହା ପରେ ଉଭୟଙ୍କୁ ଖାରିଗୁମ୍ମା ଠାରୁ ଜାହାଡ଼ା ଗ୍ରାମ ପର୍ଯ୍ୟନ୍ତ ଦୁଇ କିଲୋମିଟର ଆଣ୍ଠୁରେ ଚଲାଇଥିଲେ।ଘାସ ଖୁଆଇବା ସହ ନର୍ଦ୍ଦମା ପାଣି ପିଇବାକୁ ବାଧ୍ୟ କରିଥିଲେ।
ତେବେ ଉଭୟ ସେଠାରୁ ଖସି ଆସି ଧରାକୋଟ ଥାନାରେ ଏତଲା ଦେଇଛନ୍ତି।ସେମାନଙ୍କ ମୁଣ୍ଡ ଓ ପିଠିରେ ଆଘାତ ଲାଗିଥିବା ବେଳେ ଧରାକୋଟ ପୁଲିସ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛି।ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।ଏଥିରେ ସାତରୁ ଆଠଜଣ ସଂପୃକ୍ତ ଥିବା ଥାନାଧିକାରୀ ଚନ୍ଦ୍ରିକା ସ୍ବାଇଁ ସୂଚନା ଦେଇଛନ୍ତି।ଏଭଳି ଲଜ୍ଜାଜନକ ଘଟଣା ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ସେ କହିଛନ୍ତି। ଖବର ମିଳିବା ସୁଦ୍ଧା ପୁଲିସ ଅଭିଯୁକ୍ତ ମାନଙ୍କୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।ଥାନାରେ ବର୍ତ୍ତମାନ ଜଣେ ଅଟକ ଥିବା ସୂଚନା ମିଳିଛି।
