ବାଇକ୍ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ବୁଗୁଡା : ତା ୨୩/୦୪/୨୫ : ବୁଗୁଡ଼ା ସହର ଉପକଣ୍ଠସ୍ଥ ସନ୍ତୋଷୀ ମନ୍ଦିର ନିକଟରେ ଏକ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଥିବା ଜଣାଯାଇଛି। ମୃତ ଯୁବକ ଜଣକ ହେଲେ ବୁଗୁଡା ଥାନା ଅନ୍ତର୍ଗତ ମତାଝରି ଗ୍ରାମର ଜଗନ୍ନାଥ ପ୍ରଧାନ(୨୪)ଏବଂ ଆହତ ବାଇକ ଚାଳକ ଜଣକ ପିଣ୍ଟୁ ପ୍ରଧାନ (୨୪)। ପ୍ରକାଶ ଯେ , ଆଜି ସକାଳେ ପିଣ୍ଟୁ ଓ ଜଗନ୍ନାଥ ବାଇକରେ ମାମୁ ଘର ବାଣପୁରକୁ ଯାଉଥିଲେ। ସନ୍ତୋଷୀ ମନ୍ଦିର ନିକଟରେ ଜଗନ୍ନାଥ ଗାଡି ରଖେ କହି ଚାଳକ ପିଣ୍ଟୁର ହାତକୁ ଟାଣି ଦେଇଥିଲା। ଫଳରେ ବାଇକଟି ଭାରସାମ୍ଯ ହରାଇ ରାସ୍ତାକଡସ୍ଥ ଏକ ଗଛ ସହ ଧକ୍କା ହୋଇଥିଲା । ଫଳରେ ଦୁହେଁ ଗାଡିରୁ ଛିଟିକି ପଡିବାରୁ ଜଗନ୍ନାଥଙ୍କ ମୁଣ୍ଡ ଏବଂ ପିଣ୍ଟୁଙ୍କ ଅଣ୍ଟାରେ ଆଘାତ ଲାଗିଥିଲା । ଦୁର୍ଘଟଣାଗ୍ରସ୍ତ ବାଇକ ଆରୋହୀ ଦ୍ବୟଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ବୁଗୁଡା ମେଡିକାଲକୁ ଅଣାଯାଇଥିଲେ ହେଁ ସେଠାରେ ଜଗନ୍ନାଥଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏ ଖବର ପାଇବା ପରେ ପୋଲିସ ମେଡିକାଲରେ ପହଞ୍ଚି ଶବକୁ ଜବତ କରି ବ୍ଯବଛେଦ ପାଇଁ ପଠାଇବା ସହ କେସ୍ ନଂ ୨୭୦/୨୫ରେ ଏକ ମାମଲା ରୁଜୁ କରିଥିବା ନେଇ ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କଠାରୁ ପ୍ରକାଶ ପାଇଛି।