March 25, 2025

ରାସ୍ତା ମରାମତି ପାଇଁ ମୁହଁ ଖୋଲିଲେ ଜନତା..

Share

 

ବାଲେଶ୍ବର ( ଦେବାଶିଷ ଦାଶ )

ସଡ଼କ ସୁରକ୍ଷା ଜୀବନ ରକ୍ଷା ନାରା ଦେଉଛନ୍ତି ସରକାର । ହେଲେ ରାସ୍ତା ଯେଉଁଠି ସୁରକ୍ଷିତ ନୁହେଁ ଜୀବନ ସୁରକ୍ଷିତ ରହିବ କେମିତି ? ଏଭଳି ଏକ ରାସ୍ତାର ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଖଇରା ବ୍ଲକରେ । ଦୀର୍ଘ ଦିନ ହେଲା ଆଳଦା ଛକ ଠାରୁ କଇଥଗଡ଼ିଆ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି । ମରାମତି ହେବାର ପ୍ରଶ୍ନ ଉଠୁନାହିଁ । ମରାମତି ବାବଦରେ ଜନଜାଗରଣ ମଞ୍ଚ, ବରିଷ୍ଠ ନାଗରିକ ମଞ୍ଚ, ବିଭିନ୍ନ ସମାଜସେବୀ ସଂଗଠନ ଓ ଅନୁଷ୍ଠାନ, ବୁଦ୍ଧିଜୀବୀ ଏବଂ ଜନସାଧାରଣ ବିଭାଗୀୟ ଅଧିକାରୀଙ୍କ ଠାରୁ ଜିଲ୍ଲାପାଳ ପର୍ଯ୍ୟନ୍ତ ଅଭିଯୋଗ କରି ଆସୁଥିଲେ ମଧ୍ୟ ସମସ୍ତଙ୍କ ପ୍ରତିଶ୍ରୁତି ପାଣିରଗାର ହୋଇଛି । ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ହିଁ ରହି ଯାଉଛି । ଯାହାଫଳରେ ଜନସାଧାରଣ ମୁହଁ ଖୋଲିବାକୁ ବାଧ୍ୟ ହୋଇଛନ୍ତି । ସ୍କୁଲ, ପୋଷ୍ଟ ଅଫିସ, ପଞ୍ଚାୟତ ଅଫିସ ଅଛି । ଜରୁରୀକାଳୀନ ଗାଡ଼ି, ବସ ଟ୍ରକ ସହିତ ବିଭିନ୍ନ ଯାତ୍ରୀବାହୀ ଗାଡ଼ି ବିପଦ ସଙ୍କୁଳ ଅବସ୍ଥାରେ ଯାତାୟାତ କରୁଛି । ଏପରିକି ମୟୂରଭଞ୍ଜ ଜିଲ୍ଲାକୁ ମଧ୍ୟ ଜନସାଧାରଣଙ୍କ ଗମନାଗମନ ରହିଛି । ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣାର ହୃଦୟ ବିଦାରକ ଦୃଶ୍ୟ ଏବେବି ଲୋକଙ୍କ ମନରୁ ଲିଭିନି । ରାସ୍ତାର ଅବସ୍ଥା ଏତେ ଖରାପ ଲୋକଙ୍କ ଜୀବନ ସୁରକ୍ଷିତ ନୁହେଁ । ଯେଉଁଥି ପାଇଁ ଅନ୍ୟ କୌଣସି ଉପାୟ ନପାଇ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଛନ୍ତି ଜନତା ଜନାର୍ଦ୍ଦନ । ସେମାନଙ୍କର ଗୋଟିଏ ଦାବି ରାସ୍ତା ମରାମତି । ଯଦି ଏଥିପ୍ରତି ବିଭାଗୀୟ ଅଧିକାରୀ, ସ୍ଥାନୀୟ ଓ ଜିଲ୍ଲା ପ୍ରଶାସନ କିମ୍ବା ସରକାର ଦୃଷ୍ଟି ନ ଦିଅନ୍ତି, ତେବେ ଆଗାମୀ ଦିନରେ ସୋର-କୁପାରି ରାସ୍ତା ଅବରୋଧ ନିମନ୍ତେ ବୁଦ୍ଧିଜୀବୀ ମହଲରେ ଆଲୋଚନା ଜୋରଦାର ଆରମ୍ଭ ହେଲାଣି । ତେଣୁ ତୁରନ୍ତ ରାସ୍ତା ମରାମତି ନିମନ୍ତେ ପ୍ରଶାସନ ପଦକ୍ଷେପ ନେବା ଆବଶ୍ୟକ ବୋଲି ରୋହିତେଶ୍ବ ମୁଖୀ, ସର୍ବେଶ୍ବର ନାୟକ, ଉପେନ୍ଦ୍ର ପ୍ରସାଦ ଦାସ, ମାନସ ମହାପାତ୍ରଙ୍କ ସମେତ ବହୁ ଜନସାଧାରଣଙ୍କ ଠାରୁ ଖବର ସଂଗ୍ରହରୁ ଜଣାପଡ଼ିଛି ।