April 23, 2026

ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି

IMG-20251222-WA0132
Share

 

ତା,୨୨/୧୨ : କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଆସନା ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହଠାରେ ପଞ୍ଚାୟତ ସ୍ତରୀୟ ସଚେତନତା ଓ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି l ଜିପିଡିଓ ଜଗତ ସିଂ ମାଝୀଙ୍କ ଅଧ୍ୟକ୍ଷତା କରି ଆଠଟି ଅଭିଯୋଗ ଶୁଣାଣୀ କରିଛନ୍ତି l ଚିରାଚରିତ ଭାବେ ସମସ୍ତ ଅଭିଯୋଗର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l ଅଭିଯୋଗ ଗୁଡ଼ିକ ମଧ୍ୟରେ କଲଭର୍ଟ ନିର୍ମାଣ, ନୂତନ ନଳକୂପ ଖନନ,ସୁରକ୍ଷା ପାଚେରୀ,ଗ୍ରାମୀଣ ପାର୍କ, ଅଙ୍ଗନବାଡି କେନ୍ଦ୍ରରେ ପାଚେରୀ ନିର୍ମାଣ,ରାସ୍ତା,ଡ୍ରେନ୍ ନିର୍ମାଣ, ପୋଖରୀ ମରାମତି,୧୦୦ ଶଯ୍ୟା ବିଶିଷ୍ଟ ଛାତ୍ର ହଷ୍ଟେଲ ଖୋଲିବା,ପ୍ରାଥମିକ ବିଦ୍ୟାଳୟକୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖୋଲିବା,ଆସନା ଅଞ୍ଚଳର ହିତାଧିକାରୀଙ୍କୁ ଆସନା ଠାରେ ପିଡିଏସ୍ ସମାଗ୍ରୀ ଓ ପେନସନ ବଣ୍ଟନ କରିବା,ପାଇପ୍ ଜଳ ଯୋଗାଣ,ନୂତନ ପୋଖରୀ ଖନନ ଆଦି ରହିଥିଲା l ଅନ୍ୟ ମାନଙ୍କ ମଧ୍ୟରେ ସରପଞ୍ଚ ଜୟନ୍ତୀ କୁଷପାରିଆ, ଏଇଇ ପ୍ରତିଭାରାଣୀ ପୋଢ଼,ସମିତି ସଭ୍ଯା ଗୋରୀ ହରିଜନ,ନାଏବ ସରପଞ୍ଚ ରାମସିଂ ଗୌଡ଼ ପ୍ରମୁଖ ମଞ୍ଚାସୀନ ଥିଲେ l ଜଳ ଓ ପରିମଳ,ଶିକ୍ଷା,ଯୋଗାଣ ଆଦି ବିଭାଗୀୟ ଅଧିକାରୀ ଏବଂ ଆଇସିଡିଏସରୁ ସୁପରଭାଇଜର,କୃଷି ବିଭାଗରୁ ଏଓ,ପ୍ରାଣୀ ସମ୍ପଦରୁ ଏଲ୍ଆଇ,ସ୍ୱାସ୍ଥ୍ୟ ବିଭାଗରୁ ସିଏଚ୍ଓ, ଜଣେ ମାତ୍ର ଅଙ୍ଗନବାଡି କର୍ମୀ,୧୦ରୁ ଦୁଇ ଜଣ ୱାର୍ଡ଼ ମେମ୍ବର ଯୋଗଦେଇଥିଲେ I ଅନ୍ୟ ବିଭାଗୀୟ ମୁଖ୍ୟ ଉପସ୍ଥିତ ନଥିଲେ l ଗୋଷ୍ଠୀ ଗତରେ ଆଠଟି ସମସ୍ୟା ଥିଲା ବ୍ୟକ୍ତିଗତ ଗୋଟିଏ ବି ନଥିଲା l ଆଜି ହୋଇଥିବା ଅଭିଯୋଗ ଗୁଡ଼ିକ ମଧ୍ୟରୁ ପ୍ରାୟ ୮୦ ପ୍ରତିଶତ ପୂର୍ବରୁ ବହୁବାର ପଞ୍ଚାୟତ ଓ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀରେ ଲିଖିତ ଅଭିଯୋଗ ହୋଇଛି l ଅଭିଯୋଗ ହେଉଛି କିନ୍ତୁ ଗୋଟିଏ ହେଲେ ସମାଧାନ ହୋଇନାହିଁ I ଗତ ଚାରି ବର୍ଷ ଭିତରେ ୨ ଜଣ ପିଇଓ,୫ଜଣ ଜେଇ,ଚାରି ଜଣ ଜିଆର୍ଏସଙ୍କ ବଦଳି ହେଲାଣି I ବାରମ୍ବାର ବଦଳି ଏବଂ ପଞ୍ଚାୟତ ପ୍ରତିନିଧି, ଅଧିକାରୀ କର୍ମଚାରୀଙ୍କ ଅବହେଳା ଓ ବିକାଶ ମୂଳକ କାମ ପାଇଁ ଆନ୍ତରିକତା ଅଭାବରୁ ଅନ୍ୟ ପଞ୍ଚାୟତ ତୁଳନାରେ ଏହି ପଞ୍ଚାୟତର ବିକାଶ ମୂଳକ କାମ ବହୁ ତଳ ସ୍ତରରେ ରହିଛି l ଏହା ଏକ ସରକାରୀ ବ୍ୟବସ୍ଥା ରହିଛି ବୋଲି ନାମକୁ ମାତ୍ର କରାଯାଉଛି l ସର୍ବସାଧାରଣଙ୍କ ପାଇଁ କିଛି ସୁଫଳ ମିଳୁନ ଥିବା ଲିଖିତ ଅଭିଯୋଗ କରିଛନ୍ତି l ଏହି ପଞ୍ଚାୟତକୁ ଉପେକ୍ଷା କରୁଛି ପ୍ରଶାସନ,ପ୍ରତି ଚାରି ମାସକୁ ଥରେ ହେଉଛି ଅଭିଯୋଗ ଶୁଣାଣୀ l କ୍ରମାଗତ ତିନି ଥର ହେଲାଣି ଅଭିଯୋଗ ଶୁଣାଣୀରେ ଆସୁ ନାହାନ୍ତି ବିଡିଓ l ବ୍ଲକ ପ୍ରଶାସନିକ ମୁଖ୍ୟଙ୍କ ଅନୁପସ୍ଥିତିରେ ବିଭାଗୀୟ ମୂଖ୍ୟଙ୍କ ଦେଖା ମିଳୁନାହିଁ l ପଞ୍ଚାୟତର ସାମୂହିକ ବିକାଶ ପାଇଁ ଆଜି ଦିଆଯାଇଥିବା ସମସ୍ୟା ଗୁଡ଼ିକ ମଧ୍ୟରୁ କିଛି ବି ସମାଧାନ ନହୁଏ ତେବେ ଆଗାମୀ ଜନ ଶୁଣାଣୀକୁ ପଞ୍ଚାୟତ ବାସୀ ଦୃଢ଼ ବିରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି l ୨୧ ଖଣ୍ଡ ଗାଁ ବିଶିଷ୍ଟ ଏହି ପଞ୍ଚାୟତରେ ଗୋଟିଏ ହେଲେ ବ୍ୟକ୍ତିଗତ ସମସ୍ୟା ଆସିନଥିଲା l ଏହାକୁ ନେଇ ଆଜିର ଅଭିଯୋଗ ଶୁଣାଣୀ ପାଇଁ ପଞ୍ଚାୟତ ବାସୀଙ୍କୁ କେଉଁ ମାଧ୍ୟମରେ ସୂଚନା ଦିଆଯାଇଥିଲା ତାହା ଜାଣିବାକୁ ଚାହିଁଥିଲେ ଲୋକେ l ୱାଟସ୍ ଆପ ଗ୍ରୁପରେ ସର୍ବସାଧାରଣ ନୋଟିସ ପୋଷ୍ଟ କରିଥିବା ପଞ୍ଚାୟତ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ l ପଞ୍ଚାୟତର ସମସ୍ୟା ସମାଧାନ ପାଇଁ ଏହା ଏକ ବଡ଼ ପଦକ୍ଷେପ l ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଶୁଣିବେ ଓ ସମାଧାନ କରିବେ l ଲୋକଙ୍କ ପାଖକୁ ଆସୁଛି ପ୍ରଶାସନ,ପ୍ରତି ୱାର୍ଡ଼ ଓ ଗାଁ ଗାଁରେ ନୋଟିସ ଓ ଡେଙ୍ଗୁରା ଦେଇ ଜଣାଇବାକୁ ନିୟମ ରହିଛି l ଗତ ଅଭିଯୋଗ ଶୁଣାଣୀରେ ତତ୍କାଳୀନ ବିଡିଓ ଅଭିଯୋଗ ଶୁଣାଣୀ ଓ ଗ୍ରାମସଭା ଗୁଡ଼ିକ ପାଇଁ ସ୍ବତନ୍ତ୍ର ଭାବେ ଡେଙ୍ଗୁରା ପିଟି ସୂଚନା ଦେବାକୁ ତାଗିତ କରିଥିଲେ,ଏ ଭଳି ଅବହେଳା ପାଇଁ ବିରକ୍ତି ପ୍ରକାଶ କରିଥିଲେ l ତଥାପି ବ୍ୟାପକ ସୂଚନା ଦେବାକୁ ମନ ବଳାଉ ନାହିଁ ପଞ୍ଚାୟତ l ବଦଳୁ ନାହିଁ ପୁରୁଣା ଢାଞ୍ଚା l ଏନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ ପଞ୍ଚାୟତ ବାସୀ l ଏସବୁ ଅବ୍ୟବସ୍ଥା ସୁଧାରିବାକୁ ବ୍ଲକ ପ୍ରଶାସନକୁ ନିବେଦନ କରିଛନ୍ତି l ପିଇଓ ଗୌରାଙ୍ଗ ଚରଣ ମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଜିଆରଏସ୍ ସୁଶାନ୍ତ ମାଣ୍ଡିଙ୍ଗା,ଯୋଗାଣ ସହାୟକ ରାମଚନ୍ଦ୍ର ସାନ୍ତା ଏବଂ ଏମବିକେ ବାସନ୍ତୀ ଗଣ୍ଡା ପରିଚାଳନାରେ ସହଯୋଗ କରିଥିଲେ l

 

କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ ନ୍ୟୁଜ୍ ଉପାନ୍ତ ଓଡ଼ିଶା

You may have missed