ବିଧାୟକମାନଙ୍କ ଦରମା ବୃଦ୍ଧି କଟା ଘାରେ ଚୂନ

ବ୍ରହ୍ମପୁର, ତା ୨୧/୧୨. ନାଗରିକ ବିଚାର ମଂଚ ପକ୍ଷରୁ ବିଧାୟକମାନଙ୍କ ଦରମା ବୃଦ୍ଧି କେତେ ଦୂର ଯଥାର୍ଥ ବିଷୟକୁ ନେଇ ଏକ ଆଲୋଚନା ଚକ୍ର ଗେଟ ବଜାରସ୍ଥିତ ଏନଜିଓ ହଲରେ ଅନୁଷ୍ଠିତ ହୋଇଯାଇଛି। ଶ୍ରମିକ, କୃଷକ, ଛାତ୍ର, ଯୁବକ, ମହିଳାମାନେ ଅଧିକାର ପାଇଁ ଶୀତ କାକରରେ ସଂଘର୍ଷ କରୁଥିବା ସମୟରେ ସମସ୍ତଙ୍କ ଦାବିକୁ କର୍ଣ୍ଣପାତ ନକରି ବିଧାନସଭାର ଶୀତକାଳିନ ଅଧିବେଶନର ଶେଷ ଦିନରେ ସର୍ବସମ୍ମତ ଭାବେ ରାଜ୍ୟର ବିଧାୟକ, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଦରମାକୁ ପ୍ରାୟ ତିନିଗୁଣକୁ ବୣଦ୍ଧି କରାଯାଇଛି । ଅର୍ଥ ଅଭାବର ଆଳ ଦେଖାଇ ଓଡିଶା ପରି ଏକ ଗରିବ ରାଜ୍ୟର ଅଧିକାଂଶ ଜନତାଙ୍କୁ ସରକାର ବିଭିନ୍ନ ମୂଳଭୂତ ସୁବିଧା ଯୋଗାଇବାରେ ବିଫଳ ହେଉଥିବା ବେଳେ ରାଜ୍ୟର ଲୋକ ପ୍ରତିନିଧିମାନେ ଏତେ ପରିମାଣର ଦରମା ଓ ଭତ୍ତା ନେବା ପରିତାପର ବିଷୟ । ଏହି ପରିପ୍ରେକ୍ଷୀରେ ସହରର ବୁଦ୍ଧିଜୀବୀ ଓ ସାମାଜିକ ତଥା ରାଜନୈତିକ କର୍ମୀମାନଙ୍କୁ ନେଇ ଗଠିତ ହୋଇଥିବା ନାଗରିକ ବିଚାର ମଂଚ ପକ୍ଷରୁ ଏହି ଆଲୋଚନା ଚକ୍ରରେ ବରିଷ୍ଠ ସାମ୍ବାଦିକ ରବି ରଥଙ୍କ ସଭାପତିତ୍ଵ କରିଥିଲେ । ସ୍ତମ୍ଭକାର ତଥା ବାମପନ୍ଥୀ ନେତା ଭାଲଚନ୍ଦ୍ର ଷଡ଼ଙ୍ଗୀ ୧୦୭ କୋଟିପତି ବିଧାୟକ ନିଜ ଦରମା ବୃଦ୍ଧି କରି ଓଡ଼ିଶା ବାସୀଙ୍କ କଟା ଘାରେ ଚୂନ ଦେଇଥିବା କଥା ବର୍ଣ୍ଣନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶଙ୍କର ସାହୁ , ନିମାଇଁ ଚରଣ ସାହୁ, ନାନ୍ଦେଶୁ ସେନାପତି, ଆଦିତ୍ୟ ରଥ, ଲିଙ୍ଗରାଜ ସ୍ୱାଇଁ, ଅଶୋକ ଦଳେଇ, ପପୁନ ସାହୁ, କିସାନ୍ କୁମାର ସାହୁ ଆଦି ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଅନେକ ଛାତ୍ର, ଯୁବକ, ମହିଳା ଓ ବରିଷ୍ଠ ନାଗରିକମାନେ ଉପସ୍ଥିତ ଥିଲେ।
