June 29, 2024

ବିଭିନ୍ନ ସ୍ଥାନରେ ଦେବୀ ମାଁ ମାହେଶ୍ୱରୀ ଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ

Share

ବିଭିନ୍ନ ସ୍ଥାନରେ ଦେବୀ ମାଁ ମାହେଶ୍ୱରୀ ଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ

ଉଲୁଣ୍ଡା – ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଓ଼ ଉଲୁଣ୍ଡା ବ୍ଲକର ବିଭିନ୍ନ ମାହେଶ୍ୱରୀ ପୀଠରେ ଧୁମଧାମରେ ସହକାରେ ମହାଷ୍ଟମୀ ପୂଜା ଅନୁଷ୍ଠିତ ହେବା ସହ ମାଁ ମାହେଶ୍ୱରୀଙ୍କର ସ୍ନାନଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥି ସହ ଆଶ୍ଵିନ କୃଷ୍ଣପକ୍ଷ ମୂଳାଷ୍ଟମୀ ତିଥିରୁ ବିଭିନ୍ନ ମାହେଶ୍ୱରୀ ପୀଠରେ ଆରମ୍ଭ ହୋଇଥିବା ଷୋଡସ ପୂଜା ଉତ୍ସବର ଅନ୍ତିମ ଦିନ ତଥା ଗତକାଲି ସନ୍ଧ୍ୟାରେ ଏଠାକାର ବିଭିନ୍ନ ଗ୍ରାମରେ ଦେବୀ ମାହେଶ୍ୱରୀ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା ବାହାରି ସ୍ନାନ ପାଇଁ ମହାନଦୀ କୁ ଯାଇଥିଲେ । ଏହି ସମୟରେ ପାରମ୍ପରିକ ବାଡିଖେଳ, ପାରମ୍ପରିକ କଳା ପ୍ରଦର୍ଶନ ସାଙ୍ଗକୁ ଢୋଲ,ନିଶାନ, ମହୁରୀ,ଘଣ୍ଟ ଓ ହରିବୋଲ ହୁଳହୁଳି ଧ୍ୱନିରେ ବିଭିନ୍ନ ଗାଁ ଦାଣ୍ଡ ପ୍ରକମ୍ପିତ ହୋଇଥିଲା। ଦେବୀ ମାହେଶ୍ୱରୀ ଙ୍କ ଯାତ୍ରା ସମୟରେ ଉକ୍ତ ମାନେ ଦ୍ୱାରେ ଦ୍ୱାରେ ଜଳପୂର୍ଣ୍ଣ କଳସ ବସାଇ ପୂଜାର୍ଚ୍ଚନା କରିବା ସହ ମାଁ ଙ୍କୁ ସ୍ୱାଗତ କରାଯାଇଥିଲା। ପରମ୍ପରା ମତେ ବୀରମହାରାଜପୁର ବ୍ଲକର ଉଫୁଲା, ହିଲୁଙ୍ଗ, ମେଣ୍ଡାମାଳ,ଷଣ୍ଢା ଆଦି ଗ୍ରାମର ଦେବୀ ମାହେଶ୍ୱରୀ ବୀରମହାରାଜପୁର ମୁଖ୍ୟ ଛକ ଦେଇ ବିରାଟ ପଟୁଆରରେ ମହାନଦୀ କୁ ସ୍ନାନପାଇଁ ଯାଇଥିଲେ। ଏହା ଦେଖିବାକୁ ବୀରମହାରାଜପୁର ଛକରେ ବିପୁଳ ଜନସମାଗମ ହୋଇଥିଲା। ଯାତ୍ରା ସମୟରେ ପାରମ୍ପରିକ ବାଦ୍ୟ ଢୋଲ, ନିଶାନ, ଟାସା ମହୁରୀ ତାଳେ ତାଳେ ବାଡି ଖେଳ ସହ ଘଣ୍ଟ ବାଦ୍ୟ ଓ଼ ଦୁଲଦୁଲି ବାଜା ଆଦି ପରିବେଷିତ ହୋଇଥିଲା ।ତେବେ ଆଜି ମା ମାହେଶ୍ବରୀଙ୍କ ପାଖରେ ନବାନ୍ନ ସମର୍ପଣ କରିବାର ପରମ୍ପରା ବି ରହି ଆସିଛି l ତେବେ ଦେବୀ ଙ୍କ ସ୍ନାନ ଯାତ୍ରା ପରେ ପରେ ବିଭିନ୍ନ ଗ୍ରାମରେ ମହିଳା ତଥା ଝିଅ ବୋହୁ ମାନେ ନିଜ ନିଜ ଭାଇମାନଙ୍କର ଶୁଭ ମନାସି ପାରମ୍ପରିକ ଭାଇଜିଉଁତିଆ ବ୍ରତ ପାଳନ ଵିଧି ରହିଛି ।ଭଉଣୀ ମାନେ କାୟ ମନୋବାକ୍ୟରେ ନିର୍ଜଳା ଉପବାସ କରି ଭାଇ ମାନଙ୍କ ମଙ୍ଗଳ ପାଇଁ ଏହି ଓଷା କରିଥାନ୍ତି l ସେହିଭଳି ଉଲୁଣ୍ଡା ବ୍ଲକର ଉଲୁଣ୍ଡା, କାଦୋଦାର, ଜାଲୋଏ, କଳାପଥର, ଅମୁର୍ଡା,ପଲାଶ, ଲେହେଡି, ଲସ୍ତଲା ଆଦି ବିଭିନ୍ନ ଗ୍ରାମରେ ଦେବୀ ମାହେଶ୍ୱରୀ ଙ୍କ ଷୋଡ଼ଶ ପୂଜା ସହ ମାଁ ଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।