ବର୍ଷାଋତୁରେ ବଢୁଛି ସାପ କାମୁଡା, ଅନ୍ଧବିଶ୍ୱାସ ଯୋଗୁ ଚାଲିଯାଉଛି ବହୁ ଅମୂଲ୍ୟ ଜୀବନ..
ଖୋର୍ଦ୍ଧା,୨୨/୦୭(ଉପାନ୍ତ ଖବର): ବର୍ଷା ଦିନ ଆସିଲେ ବିଭିନ୍ନ ଗାତ ଓ ସନ୍ଧିରେ ରହୁଥିବା ସରୀସୃପମାନେ ଘର ମୁହାଁ ହୋଇଥାନ୍ତି । ବିଶେଷ କରି ଗ୍ରାମାଂଚଳରେ ପ୍ରାୟ ଚାଳ ଛପର ଓ ଟିଣ ଘର ରହିଥିବାରୁ ସାପମାନେ ଘର ଭିତରକୁ ପ୍ରବେଶ କରିଥାନ୍ତି । ଲୋକମାନେ ବିଷଧର ସାପମାନଙ୍କ ଠାରୁ ରକ୍ଷା ପାଇବା ପାଇଁ ଅନେକ ସମୟରେ ସାପକୁ ମାରି ଦେଉଥିବାବେଳେ ସାପ କାମୁଡ଼ାରେ ବହୁ ନୀରିହ ଜୀବନ ମଧ୍ୟ ଅକାଳରେ ଝଡ଼ି ପଡୁଥିବା ଶୁଣିବାକୁ ମିଳୁଛି ।
ସାପ କାମୁଡ଼ିବା ମାତ୍ରେ ଯଦି ସଠିକ୍ ସମୟରେ ଚିକିତ୍ସା ଯୋଗାଇ ଦିଆଯାଏ ତେବେ ଆବଶ୍ୟକ ଚିକିତ୍ସା ସହ ସାପ ବିଷକୁ ପ୍ରତିହତ କରିପାରୁଥିବା ଇନଞ୍ଜେକସନ ରୋଗୀ ପାଇଲେ ସୁସ୍ଥ ହୋଇ ଯାଆନ୍ତେ । କିନ୍ତୁ ଗ୍ରାମାଂଚଳରେ ଅଧିକାଂଶ ସାପ କାମୁଡା ଘଟଣା ଘଟୁଥିବା ବେଳେ ଗ୍ରାମାଂଚଳର ଲୋକମାନେ ଡାକ୍ତରଖାନା ଅପେକ୍ଷା ଦେହରୁ ବିଷ ବାହାର କରିବା ପାଇଁ ନିକଟସ୍ଥ ଗୁଣିଆ କିମ୍ବା ଘରୋଇ ବୈଦ୍ୟ ମାନଙ୍କୁ ପ୍ରାଧାନ୍ୟ ଦେଇ ଥାନ୍ତି। ଯାହା ଫଳରେ ଅନେକ ସମୟରେ ସାପ କାମୁଡିଥିବା ବ୍ୟକ୍ତି ଅନ୍ଧ ବିଶ୍ୱାସର ଜାଲରେ ଫସି ଡାକ୍ତରଖାନା ଅସିବା ବେଳକୁ ତାର ମୃତୁ୍ୟ ହୋଇଯାଉଥିବା ଅଭିଯୋଗ ହେଉଛି। ବିଶେଷ କରି ଜୁନ୍ ମାସ ଦ୍ୱିତୀୟ ସପ୍ତାହରୁ ମୌସୁମୀର ଆଗମନ ହୋଇଥାଏ । ବର୍ଷସାରା ସାପ କାମୁଡ଼ିବା ରୋଗୀ ଡାକ୍ତରଖାନା ଆସୁଥିବା ବେଳେ ଏହି ସମୟରେ ଆକ୍ରାନ୍ତଙ୍କ ସଂଖ୍ୟାରେ ବହୁତ ବଢିଯାଏ । ସେପ୍ଟେମ୍ୱର ମାସ ପର୍ଯ୍ୟନ୍ତ ସାପ କାମୁଡା ମାମଲା ଆସୁଥିବାରୁ ଡାକ୍ତରଖାନା ପକ୍ଷରୁ ଏହି ସମୟରେ ଅଧିକ ସତର୍କତା ଅବଲମ୍ବନ କରାଯାଇଥାଏ । କିନ୍ତୁ ଗ୍ରାମାଂଚଳ ତଥା ଆଦିବାସୀ ଓ ଉପାନ୍ତ ଅଂଚଳର ଲୋକମାନେ ଡାକ୍ତରଖାନା ଅପେକ୍ଷା ଅଧିକାଂଶ ସ୍ଥାନରେ ସ୍ଥାନୀୟ ଗୁଣିଆ ବା ଘରୋଇ ବୈଦ୍ୟମାନଙ୍କୁ ଗୁରତ୍ୱ ଦେଉଥିବା ଦେଖିବାକୁ ମିଳୁଛି । ବର୍ଷାଋତୁ ଆସିବା ପୂର୍ବରୁ ଆବଶ୍ୟକତା ଅନୁଯାୟୀ ସାପର ବିଷ କାଟିବା ପାଇଁ ଡାକ୍ତରଖାନାରେ ଇଞ୍ଜେକ୍ସନ୍ ମହଜୁଦ ରଖାଯାଇଥାଏ। ବିଶେଷ କରି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଖୋର୍ଦ୍ଧା ଜିଲ୍ଲା ସମେତ ପଡ଼ୋଶୀ ନୟାଗଡ଼, କଟକ, ପୁରୀ ଜିଲ୍ଲାର କେତେକ ଅଞ୍ଚଳରୁ ସିଧାସଳଖ ସାପକାମୁଡା ଚିକିତ୍ସା ହେବା ପାଇଁ ଆସିଥାନ୍ତି। ଏପରିକି ଖୋର୍ଦ୍ଧ ଜିଲ୍ଲା ଓ ତାର ଉପକଣ୍ଠରେ ଆଇସିୟୁ ଥିବା ଡାକ୍ତରଖାନା ଅଭାବ ଥିବାରୁ ଡିଏଚ୍ଏଚ୍ କୁ ଆସୁଥିବା ସାପକାମୁଡା ରୋଗୀଙ୍କୁ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ମେଡିକାଲ କୁ ସ୍ଥାନାନ୍ତରିତ କରୁଛନ୍ତି। ଉକ୍ତ ସମୟରେ ରାସ୍ତାରେ କିଛି ରୋଗୀଙ୍କ ମୃତ୍ୟୁ ହେଉଛି। ମେଡିକାଲରେ ଆୟୁସିୟୁ ବ୍ୟବସ୍ଥା କରାଯାଇ ଗୋଲଡେନ୍ ଆୱାର ଭିତରେ ଚିକିତ୍ସା କରାଗଲେ ସାପକାମୁଡା ରୋଗୀ ଉପକୃତ ହୋଇପାରିବେ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।
