March 10, 2026

ଭୋଜିକୁ ନିମନ୍ତ୍ରଣ ଦେବାକୁ ବାପ ଘରକୁ ଆସିଥିଲେ ମହିଳା ; ଦୂର୍ଘଟଣାରେ ପ୍ରାଣ ହରାଇଲେ

IMG-20250522-WA0061
Share

 

 

ବେଲଗୁଣ୍ଠା,୨୧/୦୫, ଦୁଇ ଦିନ ପରେ ଘରେ ଅନୁଷ୍ଠିତ ହୋଇଥାନ୍ତା ପାରିବାରିକ ଭୋଜି I ଏଥି ପାଇଁ ମହିଳା ଜଣଙ୍କ ଆସିଥିଲେ ନିଜ ବାପା ଘର ଲୋକଙ୍କୁ ନିମନ୍ତ୍ରଣ ଦେବାକୁ I ନିମନ୍ତ୍ରଣ ଦେଇ ଖୁସିରେ ନିଜ ଶାଶୁ ଘରକୁ ଫେରୁଥିବା ସମୟରେ ଘରେ ପହଞ୍ଚିବାର ମାତ୍ର ପାଞ୍ଚ ମିନିଟ୍ ପୂର୍ବରୁ ଏକ ସଡକ ଦୁର୍ଘଟଣାରେ ଚାଲି ଯାଇଛି ମହିଳାଙ୍କ ଜୀବନ I ଏହିଭଳି ଏକ ଦୁଃଖଦ ପରିସ୍ଥିତି ସୃଷ୍ଟି ହୋଇଛି ବେଲଗୁଣ୍ଠା ବ୍ଳକ୍ ଇନ୍ଦନପୁର ଗ୍ରାମରେ I ସୂଚନା ପ୍ରକାରେ ଇନ୍ଦନପୁର ଗ୍ରାମର ଅଖିଳ ନାୟକଙ୍କ ଘରେ ଦୁଇ ଦିନ ପରେ ଏକ ପାରିବାରିକ ଭୋଜି ପାଇଁ ଆୟୋଜନ ଚାଲିଥିଲା I ଏଥି ନିମନ୍ତେ ଅଖିଳଙ୍କ ସ୍ତ୍ରୀ ସୁଜାତା (୩୫) ନିଜ ବାପା ଘର ଗାଆଁ ଗାଙ୍ଗପୁରକୁ ଆସିଥିଲେ ନିମନ୍ତ୍ରଣ ଜଣାଇବା ପାଇଁ I ଗାଙ୍ଗପୁରରେ ନିଜ ବାପା, ଦାଦା ଏବଂ ବଡବାପାଙ୍କ ଘରେ ନିମନ୍ତ୍ରଣ ଦେଇ ନିଜ ବଡ଼ଭାଇ ବିରେନ୍ ବିଷୋୟୀଙ୍କ ସହିତ ଏକ ମୋଟରସାଇକେଲ୍ ଯୋଗେ ଇନ୍ଦନପୁରକୁ ଫେରୁଥିଲେ I କିନ୍ତୁ ବିଧିର ନିୟମ ଥିଲା ଅଲଗା I ଇନ୍ଦନପୁର ଗାଆଁ ଭିତରକୁ ଯିବାକୁ ଆଉ ମାତ୍ର କୋଡ଼ିଏ ମିଟର ରାସ୍ତା ବାକି ଥିବା ବେଳେ ସେହି ଗାଆଁ ଛକରେ ହିଁ ଭଞ୍ଜନଗର ପଟୁ ଏକ କାର୍ ଆସି ବୀରେନ୍ ଙ୍କ ମୋଟରସାଇକେଲ୍ କୁ ପଛରୁ ଧକ୍କା ଦେଇଥିଲା I ଫଳରେ ଉଭୟ ଭାଇ ଭଉଣୀ ଗାଡ଼ିରୁ ଛିଟିକି ପଡିଥିଲେ I ଦୁର୍ଘଟଣାରେ ବୀରେନ୍ ସାମାନ୍ୟ ଆହତ ହୋଇଥିବା ବେଳେ ସୁଜାତା ଗୂରୂତର ଆହତ ହୋଇଥିଲେ I କାର୍ ଟି ଦୁର୍ଘଟଣା ଘଟାଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି I ଉଭୟଙ୍କୁ ପ୍ରଥମେ ଗାଙ୍ଗପୁର ପ୍ରାଥମିକ ଚିକିତ୍ସାଳୟକୁ ଅଣାଯାଇଥିବା ବେଳେ ସେଠାରୁ ଆସିକା ମେଡିକାଲ୍ କୁ ନିଆଯାଇଥିଲା I ଆସିକାରେ ଡ଼ାକ୍ତର ସୁଜାତାଙ୍କୁ ମୃତ ଘୋଷଣା କରିଥିଲେ I ଏହି ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି I ସ୍ଥାନୀୟ ବିଧାୟକ ନୀଳମଣି ବିଷୋୟୀ,ଉଦ୍ୟୋଗପତି ବସନ୍ତ ବିଷୋୟୀ, ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର ଡାକୁଆ, ସମିତିସଭ୍ୟ ଗୀତାଞ୍ଜଳି ବିଷୋୟୀ,ସମିତିସଭ୍ୟ ପ୍ରତିନିଧି ଅର୍ଜୁନ ବିଷୋୟୀ,ଖଇରପୁଟି ସରପଞ୍ଚ ସତ୍ୟବାନ ସ୍ଵାଇଁ,ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ବିଷୋୟୀଙ୍କ ସମେତ ଅଞ୍ଚଳର ବହୁ ବ୍ୟକ୍ତି ସୁଜାତାଙ୍କ ଅନ୍ତିମ ଦର୍ଶନ କରିବା ସହିତ ଗଭୀର ଶୋକ ବ୍ୟକ୍ତ କରିଥିଲେ I ଏକ ଶୋକାକୁଳ ପରିବେଶ ମଧ୍ୟରେ ଇନ୍ଦନପୁର ଶ୍ମଶାନରେ ସୁଜାତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି I ଗାଙ୍ଗପୁର ପୋଲିସ୍ ଘଟଣା ସ୍ଥଳ ପରିଦର୍ଶନ କରିବା ସହ ଯାଇ ଘଟଣାର ତଦନ୍ତ ଜାରି ରଖିଛନ୍ତି I

ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ