ଶୋଚନୀୟ ଅବସ୍ଥାରେ ଶିଶୁ ଉଦ୍ୟାନ , ଧ୍ଯାନ ଦେଉନି ଏନ୍ଏସି ପ୍ରଶାସନ
ଶୋଚନୀୟ ଅବସ୍ଥାରେ ଶିଶୁ ଉଦ୍ୟାନ , ଧ୍ଯାନ ଦେଉନି ଏନ୍ଏସି ପ୍ରଶାସନ
ବୁଗୁଡ଼ା : ତା ୨୨/୦୫/୨୩ : ବୁଗୁଡ଼ା ଏନ୍ଏସି ୬ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ବୀରଧନଞ୍ଜୟପୁର ଗାଁ ମୁହଁରେ ନିର୍ମିତ “ବୁଦ୍ଧ ପାର୍କ” ନାମିତ ଶିଶୁ ଉଦ୍ୟାନର ଅବସ୍ଥା ଅତି ଶୋଚନୀୟ ହୋଇ ପଡିଛି । ଦୀର୍ଘ ଦିନ ହେଲା ଏହି ପାର୍କରେ ଥିବା ଦୋଳି ଛିଣ୍ଡିଯାଇ ଲଟକି ରହିଛି , ବିଭିନ୍ନ ପ୍ରାଣୀଙ୍କ ମୂର୍ତ୍ତି ଗୁଡିକ ଭାଙ୍ଗିରୁଜି ସରୀସୃପଙ୍କ ଆବାସସ୍ଥଳୀ ପାଲଟିଛି , ଖସଡାର ଛେଲା ଛାଡିଯାଇଥିବାରୁ ଖସିବା ପିଲାର ପଛପଟ କୋରି ହୋଇ ଖଣ୍ଡିଆ ହୋଇଯାଉଛି , ବତୀ ଖୁଣ୍ଟ ଅଛି ହେଲେ ବତୀ ଜଳୁନି , ଓ୍ବାଟର ସ୍କ୍ରିପଲିଙ୍ଗ୍ ବ୍ଯବସ୍ଥା ଅଚଳ ହୋଇପଡ଼ିଛି , ଅନାବନା ଗଛରେ ପରିପୂର୍ଣ୍ଣ ହୋଇ ତାହା ଗାଈଗୋରୁଙ୍କ ଚାରଣ ଭୂମି ପାଲଟିଛି । ଫଳରେ ଗ୍ରୀଷ୍ମ ଅବକାଶ ଥିଲେ ସୁଦ୍ଧା ପିଲାଏ ପାର୍କ ଏବଂ ଖେଳର ମଜା ଉଠାଇ ପାରୁନାହାନ୍ତି । ଆବଶ୍ୟକୀୟ ରକ୍ଷଣାବେକ୍ଷଣ ଅଭାବରୁ ଦୀର୍ଘ ଦିନ ହେଲା ଅବ୍ଯବସ୍ଥିତ ଏବଂ ଅସୁରକ୍ଷିତ ଅବସ୍ଥାରେ ଥିବା ଏହି ପାର୍କକୁ କେହି ଜାଣିବା ଶୁଣିବା ଲୋକ କିମ୍ବା ପିଲା ଜନ୍ତୁଜନ୍ତା ଭୟରେ ପ୍ରବେଶ କରିବାକୁ ଉଚିତ ମଣୁ ନାହାନ୍ତି । ଉକ୍ତ ପାର୍କର ଦୂରାବସ୍ଥା ଏନ୍ଏସି ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଥିବା ବେଳେ ଏନେଇ ଲୋକେ ଅବଗତ କରାଇଥିଲେ ମଧ୍ୟ କର୍ତ୍ତୃପକ୍ଷ ଗୁରୁତ୍ବ ଦେଉନଥିବା ଅଭିଯୋଗ ହେଉଛି । ଏ ନେଇ ଏନ୍ଏସି ପ୍ରଶାସନର ଉଦାସୀନତା ମନୋଭାବ ସମ୍ପର୍କେ ଲୋକ ମୁଖେ ଚର୍ଚ୍ଚା ହେଉଛି । ତେଣୁ, ଆଉ କାଳ ବିଳମ୍ବ ନ କରି ଏନ୍ଏସି ପ୍ରଶାସନ ଉକ୍ତ ପାର୍କଟିକୁ ସଜାଡିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।