ମା ଶାରଳା ଙ୍କ ମଧୁପାର୍ବଣ ପୂଜା ପାଇଁ ପ୍ରସ୍ତୁତି ବୈଠକ

ତିର୍ତୋଲ ତା ୨୨/୦୩/୨୦୨୫
ଓଡ଼ିଶାର ପ୍ରାଚୀନ ତଥା ପ୍ରସିଦ୍ଧ ବାଣୀ କ୍ଷେତ୍ର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ଶାରଳା ଠାକୁରାଣୀଙ୍କ ମନ୍ଦିରରେ ଚୈତ୍ର ମଧୁପାର୍ବଣ (ବାସନ୍ତୀ ପୂଜା) ନବରାତ୍ର ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ, ମନ୍ଦିରର ସଭାଗୃହ ରେ ଗତ ଶନିବାର ଦିନ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଜଗତସିଂହପୁର ଜିଲ୍ଲା ସହକାରୀ ଜିଲ୍ଲାପାଳ ତଥା ସାରଳା ମନ୍ଦିର ପ୍ରଶାସନର ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତାପ ଚନ୍ଦ୍ର ଜେନା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ବୈଠକରେ ଆସନ୍ତା ମାର୍ଚ୍ଚ ୨୯ ତାରିଖରୁ ଏହି ନବରାତ୍ର ମଧୁପାର୍ବଣ ପୂଜା ର ଶୁଭାରମ୍ଭ ହୋଇ ଏପ୍ରିଲ ୬ ତାରିଖ ଦିନ ଉଦଯାପିତ ହେବ ଓ ଏପ୍ରିଲ ୭ ତାରିଖ ଦଶହରା ଦିନ, ମାଆଙ୍କ ଚନ୍ଦନ ପୁଷ୍କରିଣୀ ରେ ସମାର୍ଜ୍ଜ୍ନୀ କଳସ ବିସର୍ଜନ ପରେ ଏହି ପୂଜା ର ପରିସମାପ୍ତି ହେବ ବୋଲି ନିଷ୍ପତି ନିଆଯାଇଥିଲା । ଏହି ଉପଲକ୍ଷେ ପ୍ରତିଦିନ ଯଜ୍ଞଶାଳl ରେ ବିଶ୍ଵଶାନ୍ତି ଯଜ୍ଞରେ ଆହୁତି ପ୍ରଦାନ, ଷୋଡ଼ଶ ଉପଚାର ପୂଜା ଆଦି ସ୍ବତନ୍ତ୍ର ନୀତି କାନ୍ତି, ବୈଦିକ ବିଧିବିଧାନ ରେ ଅନୁଷ୍ଠିତ ହେବା ପାଇଁ ମଧ୍ଯ ସ୍ଥିର କରାଯାଇଥିଲା । ତେବେ ଏହି ଆଲୋଚନା ରେ, ପଣ୍ଡା ସେବକ ମାନଙ୍କ ପ୍ରତିନିଧି ଦୁର୍ଗାଚରଣ ପଣ୍ଡା, ମନ୍ଦିର ପ୍ରଶାସନିକ ଅଧିକାରୀ ବରଦା ପ୍ରସାଦ ମହାନ୍ତି, ରାଜସ୍ବ ବିଭାଗ ଅଧିକାରୀ ସୁଦର୍ଶନ ମହାନ୍ତି, ବରିଷ୍ଠ ସେବାୟତ ବିଷ୍ଣୁ ଚରଣ ରାଉଳ , ରମେଶ ଚନ୍ଦ୍ର ରାଉଳ, ଜିତେନ୍ଦ୍ର ରାଉଳ , ଅଶୋକ କୁମାର ବେହେରା ପ୍ରମୁଖ ଯୋଗଦେଇ ନିଜ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । ସମସ୍ତ ପଣ୍ଡା ସେବକ ଓ ଛତିଶା ନିଯୋଗ ଏହି ମଧୁପାର୍ବଣ ପୂଜାର ସୁପରିଚାଳନା କରିବାପାଇଁ ସକ୍ରିୟ ସହଯୋଗ କରିବେ ବୋଲି ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା ।
ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।