May 10, 2026

ନିୟମଗିରି ପର୍ବତରେ ବାସ କରୁଥିବା ଡଙ୍ଗରିଆ,ଝରଣିଆ ଆଦିବାସୀଙ୍କ ଜୀବିକା …

IMG-20250222-WA0032
Share

ଲାଞ୍ଜିଗଡ଼(ପୁରନ୍ଦର ଦଣ୍ଡସେନା) କଳାହାଣ୍ଡି ଓ ରାୟଗଡା ଜିଲ୍ଲା ମଧ୍ୟରେ ଥିବା ନିୟମଗିରି ପର୍ବତରେ ଅନେକ ଆଦିମ ଆଦିବାସୀ ଗ୍ରାମ ରହିଛି।ପ୍ରାୟତଃ ୧୧୨ ଟି ଗ୍ରାମ ରହିଛି ଏବଂ ପାଖାପାଖି କୋଡିଏ ହଜାର ଆଦିମ ଜନଜାତି ବସବାସ କରନ୍ତି।ପ୍ରକୃତି କୋଳରେ ଶାନ୍ତ ପରିବେଶ ମଧ୍ୟରେ ଆନନ୍ଦରେ ସରଳ ଜୀବନ ଯାପନ କରନ୍ତି। ଡଙ୍ଗର ବା ପାହାଡ଼ ଉପରେ ବାସ କରିବା କାରଣରୁ ଏମାନଙ୍କୁ ଡଙ୍ଗରିଆ ଏବଂ ଝରଣା ନିକଟରେ ରହିବାରୁ ଏମାନଙ୍କୁ ଝରଣିଆ ମଧ୍ୟ କୁହାଯାଏ।ଏମାନଙ୍କର ଜୀବନ ଧାରଣର ମୁଖ୍ୟ ଜୀବିକା ହେଲା ପାହାଡ଼ ଉପରେ ଓ ନିକଟବର୍ତ୍ତୀ ଅଞ୍ଚଳରେ ଥିବା ଜଙ୍ଗଲ ଜାତ ଦ୍ରବ୍ୟ ଆହରଣ କରି ବିକ୍ରି କରିବା ସହିତ ପାହାଡ଼ ଉପରେ ବିଭିନ୍ନ ଶସ୍ୟ ଚାଷ କରିବା।ସାଧାରଣତଃ ନିୟମଗିରିରେ ବସ ବାସ କରୁଥିବା ଆଦିବାସୀ ମାନେ ଜଙ୍ଗଲଜାତ ବିଭିନ୍ନ ଦ୍ରବ୍ୟ ସଂଗ୍ରହ କରିଥାନ୍ତି।ତା’ମଧ୍ୟରେ ଝୁଣା, ମହୁ,ଫୁଲ ଛାଞ୍ଚୁଣି,ବିଭିନ୍ନ ପ୍ରକାର ଖାଇବା ଯୋଗ୍ୟ କନ୍ଦା,ଆମ୍ବ,ପଣସ ପ୍ରଭୃତି।ପୁଣି ପାହାଡ଼ ଉପରେ ଏବଂ ଝରଣା ତଟରେ ସପୁରି,କମଳା, ଲେମ୍ଭୁ,ନାରଙ୍ଗୀ,କଞ୍ଚା ଓ ପାଚିଲା କଦଳୀ,ହଳଦୀ,କରଡ଼ି, କାଙ୍କଡ଼,ପାଳୁଅ ସହିତ ବିଭିନ୍ନ ଶସ୍ୟ ଭାବେ ମାଣ୍ଡିଆ,କୋଶଳା,ଗୁର୍ଜି, କାଙ୍ଗୁ,ବିରି,ଅଳସୀ,କାନ୍ଦୁଲ,କଟିଙ୍ଗ ପ୍ରଭୃତି ଉତ୍ପାଦନ କରିଥାନ୍ତି।ସେ ସବୁ ସେମାନେ ନିୟମଗିରି ନିକଟବର୍ତ୍ତୀ ଗ୍ରାମ ମାନଙ୍କରେ ଏବଂ ବିଭିନ୍ନ ସାପ୍ତାହିକ ହାଟରେ ବିକ୍ରି କରି ଯେଉଁ ଅର୍ଥ ପାଆନ୍ତି ସେହି ପଇସାରେ ସେମାନେ ନିଜ ପରିବାର ପାଇଁ ଅନ୍ୟାନ୍ୟ ଦ୍ରବ୍ୟ କ୍ରୟ କରିଥାନ୍ତି। ଅନେକ ଲୋକ ସେମାନଙ୍କ ସରଳତାର ସୁଯୋଗ ନେଇ ପଇସା ଦେବାରେ ମଧ୍ୟ ଠକି ଦେଇଥାନ୍ତି। ନିୟମଗିରି ଉପରେ ଥିବା ଅଧିକାଂଶ ଗ୍ରାମକୁ ରାସ୍ତା ନାହିଁ,ସ୍କୁଲ ନାହିଁ, ସ୍ୱାସ୍ଥ୍ୟ ଓ ବିଜୁଳି ଆଲୁଅର ମଧ୍ୟ ସୁବିଧା ନାହିଁ।ସରକାର ଏହି ସବୁ ଗାଁ ପ୍ରତି ଦୃଷ୍ଟି ଦେବା ନିହାତି ଆବଶ୍ୟକ ଅଟେ ବୋଲି ବୁଦ୍ଧି ଯିବି ମହଲରେ ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି l