February 23, 2025

ମଦୁଆଙ୍କ ଅଡ୍ଡାସ୍ଥଳି ପାଲଟିଛି ପ୍ରସିଦ୍ଧ ତାରିଣୀ ମନ୍ଦିର।

Share

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ):ଭବାନୀପାଟଣାର ଏକ ଛୋଟ ପାହାଡ ଉପରେ ଅବସ୍ଥିତ ପ୍ରସିଦ୍ଧ ତାରିଣୀ ମନ୍ଦିର ମଦୁଆଙ୍କ ଅଡ୍ଡାସ୍ଥଳି ପାଲଟିଛି। ବହୁ ପୁରାତନ ଏହି ତାରିଣୀ ମନ୍ଦିର ପାହାଡ଼ ଦେଇ ମନ୍ଦିରକୁ ଯିବା ରାସ୍ତାର ଦୁଇ କଡରେ ବିଭିନ୍ନ ଜାଗାରେ ଦଳ ଦଳ ହୋଇ ମଦୁଆମାନେ ମଦ ପିଇ ଅସଭ୍ୟ ଭାଷାରେ କଥାବାର୍ତ୍ତା ହେଉଥିବା, ଯେଉଁଠି ସେଇଠି ଗାଡିବୁଲିବା ଦୃଶ୍ୟ ଦୈନନ୍ଦିନ ଅଟେ। ମନ୍ଦିର ଦର୍ଶନ ପାଇଁ ଯାଉଥିବା ଭକ୍ତ ଖାସ କରି ସ୍ତ୍ରୀ ଲୋକଙ୍କୁ ଅଶ୍ଳୀଳ ଇଙ୍ଗିତ କରନ୍ତି। ଏଥିପାଇଁ କୌଣସି ବ୍ୟକ୍ତି ଆପତ୍ତି କରନ୍ତି ତାହାହେଲେ ମାରପିଟ ପର୍ଯ୍ୟନ୍ତ କଥାଯାଏ। ଏଥି ଯୋଗୁଁ ଭକ୍ତ ଓ ମନ୍ଦିର ପ୍ରଶାସନ ନାକେଦମ ହେଲେଣି। ବହୁ ପୂର୍ବରୁ କେତେକ ଅପ୍ରୀତିକର ଘଟଣା ଘଟିବା ନେଇ ପୋଲିସ ଠାରେ ଅଭିଯୋଗ ହେବାପରେ ପୋଲିସ ମଧ୍ୟ ନିଜର କର୍ତ୍ତବ୍ୟରେ ଅବହେଳା ନକରି ବର୍ଷ ବର୍ଷ ଧରି ଦୈନିକ ନିର୍ଦ୍ଧିଷ୍ଟ ସମୟରେ ପେଟ୍ରୋଲିଂ କରିଆସୁଛି। ଏକଥା ମଦୁଆ ମାନେ ଭଲ ଭାବରେ ଜାଣନ୍ତି ଏବଂ ସେହି ସମୟରେ ମନ୍ଦିର ଠାରୁ କିଛି ସମୟ ପାଇଁ ଦୁରେଇ ରହନ୍ତି ଏବଂ ପୋଲିସ ଗଲାପରେ ତୁରନ୍ତ ତାଙ୍କର ଲୀଳା ଆରମ୍ଭ କରିଦିଅନ୍ତି। ଏହାଛଡା ମଦୁଆ ମାନେ ମଦ ବୋତଲ, ବିଅର ବୋତଲ, ପ୍ଲାଷ୍ଟିକ ଗ୍ଲାସ, ଖଲି, ଜରି ଏଣେ ତେଣେ ଫିଙ୍ଗି ମନ୍ଦିର ପରିବେଶ ଖରାପ କରୁଛନ୍ତି। ଏଥିପାଇଁ ଧୀରେ ଧୀରେ ଭକ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଏଥିଯୋଗୁଁ ମନ୍ଦିର ଚାରିପଟେ ଘେରି ରହିଥିବା ତାରିଣୀ ମନ୍ଦିର ପଡା ବାସିନ୍ଦାଙ୍କ ବେପାର ମାନ୍ଦା ହେବାଯୋଗୁଁ ଅସନ୍ତୋଷ ପ୍ରକାଶ କରୁଛନ୍ତି।ଏଥିସହ ମଦୁଆଙ୍କ ତୀବ୍ର ଗାଡିଚାଳନା ଯୋଗୁଁ ଦୁର୍ଘଟଣାମାନ ଘଟୁଥିବାରୁ ସ୍ଥାନୀୟ ପଡା ବାସିନ୍ଦା ମାନେ ଦାବି କରିଛନ୍ତି ଯେ ଯଥାଶୀଘ୍ର ମନ୍ଦିର ପରିସର ପରିଷ୍କାର କରାଯାଉ ଏବଂ ମଦୁଆ ମାନଙ୍କ ଦୌରାତ୍ମ୍ୟ କମାଇବା ପାଇଁ ପୋଲିସ ପ୍ରଶାସନ କଡା ପଦକ୍ଷେପ ନେଇ ପେଟ୍ରୋଲିଂ ଆହୁରି ଜୋରଦାର କରୁ।