February 23, 2025

ଜଗନ୍ନାଥ ସାଗର କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର କାର୍ଯ୍ୟରେ ବିଳମ୍ବ,ଅବଧି ସରିବା ପରେ ମଧ୍ୟ ଡ୍ରେନ ନିର୍ମାଣ କାର୍ଯ୍ୟ ଅସମ୍ପୂର୍ଣ୍ଣ, ବାଧକ ସାଜିଛି ବେସରକାରୀ ଜମି..

Share

 କୋରାପୁଟ(ହରିଶ କୁମାର ପଟ୍ଟନାୟକ)ଜଗନ୍ନାଥ ସାଗର କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।ପ୍ରାୟ ୪ କୋଟି ୯୮ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେଉଥିବା ଡ୍ରେନ ନିର୍ମାଣ କାର୍ଯ୍ୟ ଚୁକ୍ତିନାମା ଅନୂଯାୟୀ ଚୁକ୍ତିନାମା ସଂଖ୍ୟା ୧ ପି ୱାନ୍/୨୩-୨୪ ପ୍ରକାରେ କାର୍ଯ୍ୟ ଆରମ୍ଭ ହୋଇଛି ୨୪.୦୪.୨୦୨୩ ତାରିଖ ରେ ଏବଂ କାର୍ଯ୍ୟ ଶେଷ ୨୩.୦୩.୨୦୨୪ ତାରିଖ ସୁଦ୍ଧା ସାରିବା ପାଇଁ ସମୟ ଧାର୍ଯ୍ୟ ହୋଇଥିବା ସୂଚନା ଫଳକରେ ଉଲ୍ଲେଖ ରହିଛି।ଧାର୍ଯ୍ୟ ସମୟ ସୀମା ଶେଷ ହୋଇ ଯାଇଥିଲେ ମଧ୍ୟ କାର୍ଯ୍ୟ ଶେଷ ହେଉ ନ ଥିବାରୁ ଚଳିତ ବର୍ଷ ଡ୍ରେନ ପାଣି ନିଷ୍କାସନ ହେଉ ନ ଥିବା ଯୋଗୁଁ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଯାହା ଫଳରେ ଦୂର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଉଛି। ସୂଚନା ଯୋଗ୍ୟ ଯେ ୧୧୨୭ ମିଟର ଦୈର୍ଘ୍ୟର ଡ୍ରେନ ନିର୍ମାଣ କାର୍ଯ୍ୟ ଚାଲୁରହିଥିବା ବେଳେ ଏଥିରେ ୧୨୦ ମିଟର ବେସରକାରୀ ଜମି ରହିଛି। ସେଥି ପାଇଁ ଡ୍ରେନ ନିର୍ମାଣ କାର୍ଯ୍ୟରେ ବହୁତ ବଡ ସମସ୍ୟା ଦେଖାଯାଇଛି। ଡ୍ରେନ ନିର୍ମାଣ କାର୍ଯ୍ୟ ଦାୟିତ୍ଵରେ ଥିବା କନିଷ୍ଠ ଯନ୍ତ୍ରୀ ରଞ୍ଜନ କୁମାର ସାହୁଙ୍କ କହିବା ଅନୁସାରେ ଏହି ୧୨୦ ମିଟର ବେସରକାରୀ ଜମି ସମସ୍ୟାକୁ ନେଇ ଜଳ ସମ୍ପଦ ବିଭାଗ କ୍ଷୁଦ୍ର ଜଳ ସେଚନ ବିଭାଜନ ଜୟପୁର ପକ୍ଷରୁ ଜୟପୁର ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ବାରମ୍ବାର ଅବଗତ କରାଯାଇଛି।ଏହା ସତ୍ତ୍ୱେ ବେସରକାରୀ ଜମି ରହିଥିବା ହେତୁ ପୌର ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାରେ ବିଳମ୍ବ ହେଉଥିବା ଦେଖାଦେଇଛି। ତେଣୁ ଏନେଇ କାର୍ଯ୍ୟ ଆଗେଇ ପାରୁନି ବୋଲି କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ କୁହାଯାଉଛି। ଜଗନ୍ନାଥ ସାଗର ପାର୍ଶ୍ଵରେ ଡ୍ରେନ ନିର୍ମାଣ ହେବା ଦ୍ବାରା ଦୂଷିତ ଜଳ ସାଗର ଭିତରକୁ ପ୍ରବେଶ ନ ହୋଇ ସିଧାସଳଖ ଜଗନ୍ନାଥ ସାଗର ବାହାର ପାର୍ଶ୍ଵ ଦେଇଯିବ ଯାହା ଦ୍ଵାରା ଜଗନ୍ନାଥ ସାଗରର ଜଳାଶୟ ସ୍ଵଚ୍ଛ ହୋଇ ରହିବ।ବର୍ତ୍ତମାନ ଡ୍ରେନ ନିର୍ମାଣ ଅବଧି ସରିବା ପରେ ମଧ୍ୟ ଡ୍ରେନ୍ ନିର୍ମାଣ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି। କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଏହାର କିଛି ଅଂଶ କାର୍ଯ୍ୟ ଚାଲୁ ରହିଥିବା ବେଳେ ବର୍ତ୍ତମାନ ଅବଶିଷ୍ଟ କାର୍ଯ୍ୟ କରାଯାଉଛି କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ଏହି ଡ୍ରେନ୍ ନିର୍ମିତ ହେବା ଦ୍ଵାରା ସ୍ଥାନୀୟ ଅଞ୍ଚଳରେ ସ୍ଵଚ୍ଛ ପରିବେଶ ସୃଷ୍ଟି ହେବ। ଯାହା ଦ୍ୱାରା ଦୁର୍ଗନ୍ଧମୟ ପରିବେଶରୁ ଲୋକେ ବଞ୍ଚିତ ରହିବେ। ଅନ୍ୟପଟେ ଡ୍ରେନ୍ ନିର୍ମାଣ କେତେକ ସ୍ଥାନରେ କଂକ୍ରିଟ କାର୍ଯ୍ୟରେ ନିମ୍ନମାନର ଲୁହା ଛଡ ଓ ସିମେଣ୍ଟ ବ୍ୟବହୃତ ହେଉଥିବା ନେଇ ସାଧାରଣରେ ଅଭିଯୋଗ ହେଉଛି। ପ୍ରାୟ ୪ କୋଟି ୯୮ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେଉଥିବା କାର୍ଯ୍ୟରେ ଏପରି ନିମ୍ନ ମାନର କାମ ପାଇଁ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବା ସହ ଡ୍ରେନ୍ କାର୍ଯ୍ୟରେ ସ୍ୱଚ୍ଛତା ରହି ଅତିଶିଘ୍ର କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି।