ଗୋପାଳପୁର ବେଳାଭୂମି ମହୋତ୍ସବ ୨୦୨୬ ଗୋପାଳପୁରକୁ ଆକର୍ଷଣୀୟ ବେଳାଭୂମି କ୍ରୀଡା କେନ୍ଦ୍ରରେ ପରିଣତ କରିବାକୁ ଜ଼ିଲ୍ଲା ପ୍ରଶାସନର ବ୍ୟାପକ ପ୍ରୟାସ

ଛତ୍ରପୁର ତା ୨୨/୧/୨୬ କ୍ରୀଡା ଓ ଉତ୍ତମ ସ୍ୱାସ୍ଥ୍ୟ ଉପରେ ପ୍ରାଧାନ୍ୟ ଓ ଗୋପାଳପୁରକୁ ରାଜ୍ୟ ତଥା ଦେଶର ଏକ ଉଦୀୟମାନ ବେଳାଭୂମି କ୍ରୀଡା କେନ୍ଦ୍ର ଭାବେ ପ୍ରତିଷ୍ଠା କରିବାର ପ୍ରୟାସ ନେଇ ଏ ବର୍ଷର ଗୋପାଳପୁର ବେଳାଭୂମି ମହୋତ୍ସବକୁ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହିତ ଜ଼ିଲ୍ଲା ପ୍ରଶାସନ ଓ ଅନ୍ୟମାନଙ୍କ ମହତ୍ୱପୂର୍ଣ୍ଣ ସହଯୋଗରେ ଆୟୋଜିତ ହେବାକୁ ଯାଉଛି I ଜାନୁଆରୀ ୨୭ରୁ ୩୦ ତାରିଖ ଯାଏଁ ହେବାକୁ ଥିବା ବେଳାଭୂମି ମହୋତ୍ସବରେ କ୍ରୀଡା, ଉତ୍ତମ ସ୍ୱାସ୍ଥ୍ୟ ଓ ଯୁବ ସହଭାଗିତାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି ।
ଏହି ବର୍ଷର ଆୟୋଜନ ବିଶେଷ ଗୁରୁତ୍ୱ ବହନ କରୁଛି, କାରଣ ଗଞ୍ଜାମ ଜିଲ୍ଲାର ଇତିହାସରେ ପ୍ରଥମଥର ପାଇଁ ଏତେ ବଡ଼ ଧରଣର ସଂଗଠିତ ବେଳାଭୂମି କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି। ଏହା ଯୁବ କ୍ରୀଡାବିତ୍ ଓ ଉତ୍ତମ ସ୍ୱାସ୍ଥ୍ୟକୁ ଭଲ ପାଉଥିବା ଯୁବପିଢ଼ିଙ୍କ ମଧ୍ୟରେ ଅହେତୁକ ଉତ୍ସାହ ସୃଷ୍ଟି କରିବା ସହିତ ଶୀତ ଋତୁର ପର୍ଯ୍ୟଟନକୁ ଆଶାତୀତ ଭାବରେ ବୃଦ୍ଧି କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି ।
ମାରାଥନ୍ରୁ କ୍ରୀଡା ଉତ୍ସବର ଶୁଭାରମ୍ଭ
ମୁଖ୍ୟ ଉତ୍ସବ ପୂର୍ବରୁ, ଜାନୁଆରୀ ୨୫, ୨୦୨୬ରେ ୧୦ କିଲୋମିଟର ମାରାଥନ୍ ସହ କ୍ରୀଡା କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ। ସମସ୍ତ ବୟସର ବ୍ୟକ୍ତିବିଶେଷଙ୍କ ଉନ୍ମୁକ୍ତ ରହିଥିବା ଏହି ମେଗା ମାରାଥନ୍ ଫିଟନେସ୍, ସହନଶୀଳତା ଓ ସମୁଦାୟ ସହଭାଗିତାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟ ନେଇ ଆୟୋଜିତ କରାଯାଉଛି । ପୁରୁଷ ଓ ମହିଳା ବିଭାଗ ଅଲଗା ଭାବେ ରହିବ ଏବଂ ପ୍ରତ୍ୟେକ ବିଭାଗର ଶୀର୍ଷ ସ୍ଥାନ ଅଧିକାର କରିଥିବା ତିନିଜଣଙ୍କୁ ମୋଟ ୫୦,୦୦୦ ଟଙ୍କାର ନଗଦ ପୁରସ୍କାର ରାଶି ଓ ମେଡାଲ ପ୍ରଦାନ କରାଯିବ। ଯେ କୌଣସି ବୟସର ଓ ଯେ କୌଣସି ସ୍ଥାନର ବ୍ୟକ୍ତି ଏହି ମେଗା ମାରାଥନରେ ଅଂଶଗ୍ରହଣ କରିପାରିବେ ।
ଗଞ୍ଜାମରେ ପ୍ରଥମଥର ପାଇଁ ବଡ଼ ପରିମାଣର ବେଳାଭୂମି କ୍ରୀଡା ପ୍ରତିଯୋଗିତା
ଜାନୁଆରୀ ୨୭ରୁ ୩୦ ପର୍ଯ୍ୟନ୍ତ ଗୋପାଳପୁର ବେଳାଭୂମି ଏକ ବିଶାଳ କ୍ରୀଡା ମଞ୍ଚରେ ପରିଣତ ହେବ। ଗଞ୍ଜାମ ଜିଲ୍ଲାରେ ପ୍ରଥମଥର ପାଇଁ ଏପରି ବଡ଼ ପରିସରରେ ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତାଗୁଡ଼ିକ ଗଂଜାମ ଜ଼ିଲ୍ଲାର କ୍ରୀଡା ବିକାଶରେ ଏକ ମାଇଲଷ୍ଟୋନ ସୃଷ୍ଟି କରିବ ।
ସମସ୍ତ ପ୍ରତିଯୋଗିତା ପୁରୁଷ ଓ ମହିଳା ବିଭାଗରେ ହେବ, ଯାହା ସମାନ ସୁଯୋଗ ସୁନିଶ୍ଚିତ କରିବ। କ୍ରୀଡା ତାଲିକାରେ ୫-ଏ-ସାଇଡ୍ ବେଳାଭୂମି ଫୁଟବଲ୍, ବେଳାଭୂମି ଭଲିବଲ୍ (୩+୧ ), ବେଳାଭୂମି ହ୍ୟାଣ୍ଡବଲ୍ (୪+୧), ବେଳାଭୂମି କବାଡି (୪+୧), ବେଳାଭୂମି କାରାଟେ, ୮ ଜଣିଆ ଦଳର ଟଗ୍ ଅଫ୍ ୱାର୍, ଏବଂ ଯୋଗ ପ୍ରତିଯୋଗିତା ସାମିଲ ରହିଛି। ଏହା ସହିତ ମନୋରଞ୍ଜନାତ୍ମକ ବେଳାଭୂମି କ୍ରୀଡାଗୁଡ଼ିକ ମଧ୍ୟ ଆୟୋଜିତ ହେବ, ଯେଉଁ ଥିରେ ଦର୍ଶକମାନେ ମଧ୍ୟ ଅଂଶ ଗ୍ରହଣ କରିପାରିବେ ।ପୁରସ୍କାର ଧନରାଶି ଓ ଆନୁସଙ୍ଗିକ ସୁବିଧା
ବେଳାଭୂମି କ୍ରୀଡା ପ୍ରତିଯୋଗିତାକୁ ଆକର୍ଷଣୀୟ ଓ ଜନାଦୃତ କରିବା ପାଇଁ ଏ ବର୍ଷ ପାଖାପାଖି ୨ ଲକ୍ଷ ଟଙ୍କାର ନଗଦ ପୁରସ୍କାର ରାଶି ଜ଼ିଲ୍ଲାର କ୍ରୀଡ଼ାବିତ ମାନଙ୍କୁ ପ୍ରଦାନ କରାଯିବ । ପୁରସ୍କାର ସହିତ ସମସ୍ତ ପଂଜିକୃତ କ୍ରୀଡାବିତଙ୍କ ପାଇଁ ଟି-ଶାର୍ଟ, ଖାଦ୍ୟ-ପାନୀୟ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯିବ ।
ଯୋଗ୍ୟତା
ବେଳାଭୂମି କ୍ରୀଡା ପ୍ରତିଯୋଗିତାରେ ୧୮ରୁ ୩୦ ବର୍ଷ ବୟସ ମଧ୍ୟର କେବଳ ଗଞ୍ଜାମ ଜିଲ୍ଲାର ବାଳକ ଓ ବାଳିକାମାନେ ଅଂଶ ଗ୍ରହଣ କରିପାରିବେ । ବିଶେଷ ଭାବେ ଜଣାଇଦିଆଯାଉଛି, ଜାନୁଆରୀ ୨୫ର ୧୦ କି.ମି. ମାରାଥନ୍ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ରହିବ; ଏଥିରେ ଯେକୌଣସି ବୟସର ଏବଂ ଜିଲ୍ଲାବାହାରର ବ୍ୟକ୍ତିବିଶେଷ ମଧ୍ୟ ଅଂଶ ଗ୍ରହଣ କରିପାରିବେ ।
ପର୍ଯ୍ୟଟନ ଓ ଯୁବ ସହଭାଗିତାକୁ ଉତ୍ସାହ
ଉତ୍ସବର ପୁନର୍ଜୀବନ ଓ ସଂଗଠିତ କ୍ରୀଡା ପ୍ରତିଯୋଗିତାର ଶୁଭାରମ୍ଭ ଗୋପାଳପୁରର ଶୀତକାଳୀନ ପର୍ଯ୍ୟଟନକୁ ନିଶ୍ଚିତ ଭାବରେ ବୃଦ୍ଧି କରିବ । ଶାନ୍ତ-ସୁନ୍ଦର ବେଳାଭୂମି ଓ ଉପନିବେଶିକ ଐତିହ୍ୟ ପାଇଁ ପରିଚିତ ଗୋପାଳପୁର କ୍ରୀଡାପ୍ରେମୀ, ପର୍ଯ୍ୟଟକ ଓ ଜନସାଧାରଣଙ୍କୁ ଆକର୍ଷିତ କରିବ । ତା ସହିତ ବେଳାଭୂମି କ୍ରୀଡା ମହୋତ୍ସବକୁ ଅଧିକ ଆକର୍ଷଣୀୟ କରିବାକୁ ସକ୍ଷମ ହେବ I
୨୨ତାରିଖ ସୁଦ୍ଧା ପଞ୍ଜୀକରଣର ସ୍ଥିତି
ଫୁଟବଲ୍ରେ ୯୧ ଟି ଦଳ ପଞ୍ଜୀକରଣ କରିଥିବା ବେଳେ କବାଡିରେ ସର୍ବାଧିକ ୧୧୧ ଜଣ/ଦଳ, ହ୍ୟାଣ୍ଡବଲ୍ରେ ୪୭ , ଭଲିବଲ୍ରେ ୪୩ ଓ ମନୋରଞ୍ଜନାତ୍ମକ ଖେଳ (ଫନ୍ ଗେମ୍)ରେ ୪୮ ଟି ଦଳ/ଅଂଶଗ୍ରହଣକାରୀ ପଞ୍ଜୀକରଣ କରିଛନ୍ତି । ଟଗ୍ ଅଫ୍ ୱାର୍ରେ ୪୨, ଯୋଗରେ ୩୪ ଏବଂ କରାଟେରେ ୬ ଜଣ ଅଂଶଗ୍ରହଣକାରୀ ପଞ୍ଜୀକରଣ କରିଛନ୍ତି ।
