October 5, 2024

ସରକାର ଗଠନ କରିବା ପରେ ପ୍ରଥମ ଥର ପାଇଁ ପୁରୀଠାରେ ଦୁଇ ଦିନିଆ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

Share

ସରକାର ଗଠନ କରିବା ପରେ ପ୍ରଥମ ଥର ପାଇଁ ପୁରୀଠାରେ ଦୁଇ ଦିନିଆ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଭିଭାଷଣ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଆଜି ମୁଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ୩୮ତମ ଦିନ । ଦୀର୍ଘ ଦଶଦ୍ଧିର ସଂଘର୍ଷ ପରେ ବିଜେପି ପୂର୍ଣ୍ଣସଂଖ୍ୟା ଗରିଷ୍ଠତା ପାଇଛି । ପ୍ରଥମଥର ପାଇଁ ବିଜେପି ଓଡ଼ିଶାକୁ ନିଜସ୍ୱ ମୁଖ୍ୟମନ୍ତ୍ରୀ ଦେଇଛି । ମୁଁ କୃତଜ୍ଞ, ଆପଣମାନଙ୍କ ଆଶୀର୍ବାଦରୁ ମୁଁ ମୁଖ୍ୟମନ୍ତ୍ରୀ ହୋଇଛି । ମୁଖ୍ୟମନ୍ତ୍ରୀଙ୍କୁ ପଦ ନୁହେଁ ଜଣେ ସମର୍ପିତ କାର୍ଯ୍ୟକର୍ତାଭାବେ ଦାୟିତ୍ୱ ଗ୍ରହଣ କରିଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ଆମକୁ ଶାହା ହୋଇଛନ୍ତି । ଆମେ ମହାପ୍ରଭୁଙ୍କ ନାଁରେ ଓଡ଼ିଆ ଅସ୍ମିତାର ଲଢ଼େଇ କରିଥିଲୁ । ମୁଁ ଶପଥ ନେବା ପରେ ପ୍ରଥମେ କ୍ୟାବିନେଟ୍‌ରେ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବାର ନିଷ୍ପତି ହେଲା, ୫୦୦କୋଟିର କର୍ପସ ଫଣ୍ଡ ବ୍ୟବସ୍ଥା ହେଲା, ଭକ୍ତ ଭଗବାନଙ୍କ ଭିତରେ ମନୁଷ୍ୟକୃତ ଅହଂକାରୀ ପାଚେରୀ ଭଙ୍ଗା ଗଲା । ରତ୍ନଭଣ୍ଡାର ତାଲା ମଧ୍ୟ ଖୋଲା ଗଲା । ୨୫ବର୍ଷ ସରକାରରେ ମୁଖ୍ୟମନ୍ତ୍ରୀ ଲୋକଙ୍କର ପାଖରେ ନଥିଲେ । ନବୀନ ବାବୁ ଦୀର୍ଘଦିନ ଶାସନରେ ରହିବି ଖଣ୍ଡି ଓଡ଼ିଆ କହି ଓଡ଼ିଆଙ୍କୁ ଅପମାନିତ କରୁଥିଲେ । ମୁଁ ଓଡ଼ିଆ, ୨୪ଘଂଟା କଠିନ ପରିଶ୍ରମ କରିବାର ଶପଥ ନେଇଛି । ଶପଥର ୩୮ଦିନ ଭିତରେ ଗୋଟିଏ ଦିନ ନାହିଁ ଓଡ଼ିଶାବାସୀଙ୍କୁ ଗୁହାରି ଶୁଣିନାହିଁ ।

ସଂକଳ୍ପପତ୍ର ଆମ କାମର ଆଧାର । ସାଧାରଣ ସଭାରେ ନୁହେଁ ଏନଡିଏ ସାଂସଦଙ୍କ ଯୁଗ୍ମ ବୈଠକରେ ମୋଦି କହିଥିଲେ, ଓଡ଼ିଶାରେ ନୂତନ କ୍ରାନ୍ତି ଆସିଛି । ଆଗାମୀ ୨୫ ବର୍ଷ ପାଇଁ ଦେଶର ବିକାଶ ଯାତ୍ରାର ଏକ ନମ୍ବର ଇଞ୍ଜିନ ହେବ ଓଡ଼ିଶା । ପ୍ରଧାନମନ୍ତ୍ରୀଙ୍କ ଏହା ଭାଷଣ ନଥିଲା, ଥିଲା ତାଙ୍କର ପ୍ରତିବଦ୍ଧତା । ମୋଦୀଙ୍କ ପ୍ରତିବଦ୍ଧତାକୁ କାର୍ଯ୍ୟରେ ପରିଣତ କରି ଓଡ଼ିଆ ଲୋକଙ୍କ ହୃଦୟ ଜିତିବାର ଦାୟିତ୍ୱ ଏବେ ଆମ ହାତରେ । ଗତ ୧୦ବର୍ଷରେ ମୋଦି ସରକାରରେ ଓଡ଼ିଶାକୁ ପ୍ରଚୁର ଅର୍ଥ ଆସିଛି । ବିଶେଷ ଭାବରେ ମୋଦି ସରକାରଙ୍କ ଖଣିନୀତି ପାଇଁ ପ୍ରଚୁର ଅର୍ଥ ମିଳିଛି । ୧୦ବର୍ଷରେ ମୋଦି ସରକାର ଓଡ଼ିଶାକୁ ୧୮ଲକ୍ଷ କୋଟି ଟଙ୍କା ଦେଇଛନ୍ତି । ଓଡିଶାରେ ଥିବା ଶାସନ ବ୍ୟବସ୍ଥା ଗରିବଙ୍କୁ ନ୍ୟାୟ ଦେବା ବଦଳରେ ହରିଲୁଟ୍‌ର ଆଡ୍ଡା ସାଜିଥିଲା । ବିଜେପି ସରକାର ପ୍ରତିଟି ପଇସା ଗରିବଙ୍କ ହକରେ ବିନିଯୋଗ କରିବ । ଯିଏ ଦୁର୍ନୀତି କରିଛନ୍ତି, ସେମାନଙ୍କ ବିରୋଧରେ ଉପଯୁକ୍ତ ତଦନ୍ତ କରି କଡା ସଜା ଦିଆଯିବ । ବିଜେପି ସରକାର ୧୦୦ଦିନ ପାଇଁ ଏଜେଣ୍ଡା ପ୍ରସ୍ତୁତ କରିଛି । ଧାନ କୁଇଂଟାଲ ପିଛା ଚାଷୀଙ୍କୁ ୩୧ଶହ ଟଙ୍କା ମିଳିବ । ଚାଷୀଙ୍କୁ ଏହି ଅର୍ଥ ଓଡ଼ିଶାର ସାଧାରଣ ଲୋକଙ୍କ କ୍ରୟଶକ୍ତିକୁ ବଢ଼ାଇବା ସହ ଓଡ଼ିଶାର ଜିଡିପିରେ ବୈପ୍ଳବିକ ପରିବର୍ତନ ଆଣିବ । ସୁଭଦ୍ରା ଯୋଜନାରେ ରାଜ୍ୟ ପ୍ରତି ମହିଳାଙ୍କୁ ୫୦ ହଜାର ଟଙ୍କା ଭାଉଚର ପାଇଁ ନୀତିନିୟମ ପ୍ରଣୟନ କରାଯିବା ସହ ନିର୍ଦ୍ଧାରିତ ସମୟରେ ଏହି ଅର୍ଥ ମା, ଭଉଣୀମାନେ ନେଇ ପାରିବେ ତାର ସୁବନ୍ଦୋବସ୍ତ କରାଯିବ । ୨୦୦କୋଟି ଟଙ୍କାର ଓଡ଼ିଆ ଅସ୍ମିତା ଫଣ୍ଡ କରାଯାଇଛି । ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ଭାଷା କମିଶନ ଗଠନ ପାଇଁ ଯୋଜନା ଆରମ୍ଭ ହୋଇଛି । ଶ୍ରମିକଙ୍କ ସର୍ବନିମ୍ନ ମଜୁରୀରେ ବଡ ବୃଦ୍ଧି କରାଯାଇଛି । ସମସ୍ତଙ୍କୁ ବିଶୁଦ୍ଧପାନୀୟ ଜଳ ପାଇପ ଯୋଗେ ଘରେ ଘରେ ପହଂଚାଇବା ପାଇଁ ଯୋଜନା ଚୂଡାନ୍ତ କରାଯାଇଛି ବୋଲି କାର୍ଯ୍ୟକାରିଣୀରେ ଶ୍ରୀ ମାଝୀ କହିଛନ୍ତି ।

୨୫ବର୍ଷର ସ୍ଥିର ସରକାର ଆମକୁ ସ୍ୱାସ୍ଥ୍ୟ, ଶିକ୍ଷା, ଶିଳ୍ପ, କୃଷି ଓ ନ୍ୟାୟ ପ୍ରଦାନରେ ଶୋଚନୀୟ ଅବସ୍ଥା ଦେଖାଇଛି । ସେହିପରି ମହିଳା ସଶକ୍ତିକରଣର କଥା କହୁଥିବା ବିଜେଡି ସରକାରରେ ଲିଙ୍ଗଗତ ବୈଷମୟ କ୍ଷେତ୍ରରେ ଦେଶରେ ୨୫ଟି ଆକଳିତ ରାଜ୍ୟ ମଧ୍ୟରୁ ଓଡ଼ିଶାର ସ୍ଥାନ ୨୮ନମ୍ବରରେ । ଶିକ୍ଷା କ୍ଷେତ୍ରରେ, ଶାନ୍ତି ଓ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଓଡ଼ିଶାର ସ୍ଥିତି ୨୭ନମ୍ବର । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଦୀର୍ଘବର୍ଷର ସରକାର କାମ କରିବା ପାଇଁ ନଥିଲା କେବଳ ପ୍ରଚାର ସର୍ବସ୍ୱ ଥିଲା ବୋଲି ଶ୍ରୀ ମାଝୀ କହିଛନ୍ତି ।

ଓଡ଼ିଶାରେ ପ୍ରାକୃତିକ ସମ୍ପଦ ଭରପୁର ଅଛି । ଯଦି ସବୁର ସଦବିନିଯୋଗ କରାଯାଏ ତେବେ ମୋଦିଙ୍କ ଭାଷାରେ ଓଡ଼ିଶା କେବଳ ଦେଶରେ ଏକ ନମ୍ବର ରାଜ୍ୟ ହେବ ନାହିଁ ବରଂ ଦକ୍ଷିଣ ପୂର୍ବ ଏସୀୟ ଦେଶ ସମୂହର ଆର୍ôଥକ ବିକାଶର ମୁଖଶାଳା ହୋଇପାରିବ ।

ଏହି କାର୍ଯ୍ୟକାରିଣୀରେ ସରକାର ଓ ସଂଗଠନ ମଧ୍ୟରେ ଉପଯୁକ୍ତ ସମନ୍ୱୟର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ ବରିଷ୍ଠ ନେତୃମଣ୍ଡଳୀ । ଏହି ପରିପ୍ରେକ୍ଷିରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ଯେ, ବିଜେପି ସରକାର ଗର୍ବ ଓ ଅହଂକାର ତ୍ୟାଗକରି ଲୋକଙ୍କ ହିତ ଓ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବ । ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରି ସଂଗଠନକୁ ଶକ୍ତିଶାଳୀ କରିବ । ପ୍ରତ୍ୟେକ କାର୍ଯ୍ୟକର୍ତା ହେଉଛନ୍ତି ସରକାରୀ ଦଳର ଯୋଗ୍ୟ ସେନାପତି । ଲଗାଲ୍ ଠିକ୍ ଧରିଲେ ଘୋଡା ନିୟନ୍ତ୍ରଣରେ ରହିବ । ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ଶ୍ରୀ ସାମଲ କାର୍ଯ୍ୟକର୍ତାଙ୍କୁ ଆଶ୍ୱସ୍ତିବାଣୀ ଶୁଣାଇଥିଲେ ।

ଦୁଇ ଦିନିଆ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀର ଦ୍ୱିତୀୟ ଦିନ ଅବସରରେ ପ୍ରଥମେ ୩ଟି ଧନ୍ୟବାଦ ପ୍ରସ୍ତାବ ଆଗତ ହୋଇଥିଲା । ଏହାପରେ ଶୋକ ପ୍ରସ୍ତାବ ଆଗତ କରାଯାଇଛି । କେନ୍ଦ୍ର ସରକାରଙ୍କ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ ପୂର୍ବତନ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ ପୂର୍ବତନ ମନ୍ତ୍ରୀ ବିଶେଶ୍ୱର ଟୁଡୁ, ଏହାକୁ ସମର୍ଥନ ଜଣାଇଥିଲେ ରାଜ୍ୟ ସହପ୍ରଭାରୀ ଲତା ଉସେଣ୍ଡି । ଭୋଟର ଭାଇଭଉଣୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଏହାକୁ ସମର୍ଥନ ଜଣାଇଥିଲେ ରାଜ୍ୟ ପ୍ରଭାରୀ ବିଜୟ ପାଲସିଂ ତୋମାର । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ବସନ୍ତ ପଣ୍ଡା, ମନ୍ତ୍ରୀ ସୁରେଶ ପୂଜାରୀ, ସାଂସଦ ଅପରାଜିତା ଷଡଙ୍ଗୀ, ଭର୍ତୃହରି ମହତାବ, ବରିଷ୍ଠ ନେତା ଜୟନାରାୟଣ ମିଶ୍ର ରାଜନୈତିକ ଚିଠା ପ୍ରସ୍ତାବରେ ଅଂଶ ଗ୍ରହଣ କରିଥିଲେ ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ