October 5, 2024

ଯୁଯୁମୁରା ପଞ୍ଚାୟତ ସମିତି ବୈଠକ:ଶିକ୍ଷା,ସ୍ୱାସ୍ଥ୍ୟ ଓ ପାନୀୟ ଜଳ ମୁଖ୍ୟ ସମସ୍ୟା,ବ୍ଲକ ବିଭାଜନକୁ ନେଇ ପୁଣି ଉଠିଲା ସ୍ୱର 

Share

 

ସମ୍ବଲପୁର,(ରାଜାରାମ ଷଡଙ୍ଗୀ ): ବ୍ଲକ ସମିତି ବୈଠକରେ ଶିକ୍ଷା,ସ୍ୱା୍ସ୍ଥ୍ୟ,ପାନୀୟ ଜଳ ଭଳି ମୌଳିକ ଅଧିକାରକୁ ନେଇ ଜନ ପ୍ରତିନିଧି ମାନଙ୍କ ସ୍ୱର କେବଳ ତିକ୍ଷ୍ଣ ହୋଇନଥିଲା ବଂର ବ୍ଲକ ବିଭାଜନକୁ ନେଇ ମଧ୍ୟ ପୁଣି ଥରେ ସ୍ୱର ଶାଣୀତ ହୋଇଛି। ଏପରିକି ଉତ୍ତରଦାୟୀ ଅଧିକାରୀ ମାନଙ୍କ ଅନୁପସ୍ଥିତ ନେଇ ବିଧାୟକ ପ୍ରଶନ୍ନ ଆଚାର୍ଯ୍ୟ ପ୍ରସ୍ତାବ ଗ୍ରହଣ କରି ଜିଲ୍ଲାପାଳଙ୍କ ନିକଟକୁ ପଠାଇ ୪ ମାସରେ ଥରେ ହେଉଥିବା ସମିତି ବୈଠକରେ ବିଭାଗୀୟ ଅଧିକାରୀ ମାନଙ୍କ ଉପସ୍ଥିତିକୁ ନିଶ୍ଚିତ କରିବାକୁ କଡା ଭାଷାରେ ବିଡିଓଙ୍କୁ କହିଥିଲେ।

 

ଯୁଯୁମୁରା ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ରାଜୀବ ଗାନ୍ଧୀ ସେବା କେନ୍ଦ୍ରର ସମ୍ମିଳନୀ କକ୍ଷରେ ଶୁକ୍ରବାର ଯୁଯୁମୁରା ପଞ୍ଚାୟତ ସମିତିର ଷଷ୍ଠ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ଆରମ୍ଭରୁ ବିଭିନ୍ନ ବିଭାଗର ଉତ୍ତରଦାୟୀ ଅଧିକାରୀଙ୍କ ଅନୁପସ୍ଥିତିକୁ ନେଇ ଜନ ପ୍ରତିନିଧି ମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ସେମାନଙ୍କ କହିବା ଅନୁଯାୟୀ, ବିଭିନ୍ନ ବିଭାଗର ଉତ୍ତରଦାୟୀ ଅଧିକାରୀ ବୈଠକକୁ ନଆସି ସେମାନେ ତାଙ୍କର ଅଧସ୍ତନ କର୍ମଚାରୀଙ୍କୁ ପଠାଉଛନ୍ତି। କୌଣସି ସମସ୍ୟା ସମ୍ପର୍କରେ ପଚାରିଲେ ସେମାନଙ୍କ ପାଖରେ ଉତ୍ତର ନଥାଏ। ଏହି ପ୍ରସଙ୍ଗରେ ରେଢାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଲେ ଯେ, ଯେଉଁ ବିଭାଗୀୟ ଅଧିକାରୀ ମାନେ ବୈଠକରେ ଅନୁପସ୍ଥିତ ଅଛନ୍ତି। ସେମାନଙ୍କ ବିରୁଦ୍ଧରେ ପ୍ରସ୍ତାବ ଆଗତ କରାଯାଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବିଡ଼ିଓ ବିଜୟ ସଏଙ୍କୁ ଅନୁରୋଧ କରିଥିଲେ।

ଯୁଯୁମୁରା ବ୍ଲକ ଅଧ୍ୟକ୍ଷା ମମତା ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଶିକ୍ଷା, ପାନୀୟ ଜଳ, ସ୍ବାସ୍ଥ୍ୟ, ଯୋଗାଣ, ସମନ୍ୱିତ ଶିଶୁ ବିକାଶ ଯୋଜନା, ବିଦ୍ୟୁତ୍ , ସାମାଜିକ ସୁରକ୍ଷା, କୃଷି, ଉଦ୍ୟାନ, ମତ୍ସ୍ୟ, ପ୍ରାଣୀ ସମ୍ପଦ ଉପରେ ଆଲୋଚନା ହୋଇଥିଲା। ବ୍ଲକ ଅଞ୍ଚଳରେ ସମୁଦାୟ ୭୪ ଜଣ ଶିକ୍ଷକ ପଦବୀ ଖାଲି ପଡ଼ିଥିବା ନେଇ ପ୍ରାଥମିକ ଶିକ୍ଷାର ନଗ୍ନ ନମୁନାକୁ ଜନପ୍ରତିନିଧି ମାନେ ଆଣି ସମସ୍ୟାର ସମାଧାନ ପାଇଁ ଦାବି କରିଥିଲେ।ଏପରିକି ଡେପୁଟେସନ୍ ଯାଇଥିବା ଶିକ୍ଷକ ମାନଙ୍କୁ ନିଜ ସ୍କୁଲକୁ ଫେରାଇ ଆଣିବା କୁ ଦାବି ଉଠିଥିଲା।ଶିକ୍ଷକ ମାନେ ଶିକ୍ଷାଦାନ ନକରି ବ୍ୟକ୍ତିଗତ କାମରେ ବ୍ୟସ୍ତ ରହୁଥିବା ନେଇ ବୈଠକରେ ଉଦବେଗ ମଧ୍ୟ ପ୍ରକାଶ ପାଇଥିଲା।କିନ୍ତୁ ଅଧିକାରୀ ମାନେ ଅକର୍ମଣ୍ୟ ଭାବେ ସିଟ୍ ରେ ବସି ସେମାନଙ୍କୁ ସହଯୋଗ କରୁଥିବାରୁ ବ୍ଲକରେ ପ୍ରାଥମିକ ଶିକ୍ଷା ସଂପୁର୍ଣ୍ଣ ଭୁଷୁଡି ପଡିଥିବା ଭଳି ଅଭିଯୋଗ ଆସିଥିଲା। ଘର୍ ଘର୍ ମେ ନଲ ସେ ଜଳ ଭଳି ମେଗା ପାନୀୟ ଜଳ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ଅଧାପନ୍ତରିଆ ପଡ଼ିଥିବା ବେଳେ କିଛି ମନ୍ଥର ଗତିରେ ଚାଲିଥିବାରୁ ଜନ ପ୍ରତିନିଧି ମାନେ ଅସନ୍ତୋଷ ପ୍ରକାଶ କରିବା ସହ ରେଢାଖୋଲ ଆରଡବ୍ଲୁଏସଏସ ଏସଡିଓଙ୍କୁ କ୍ଷେତ୍ର ପରିଦର୍ଶନ କରିବାକୁ ଅନୁରୋଧ କରି ପାନୀୟ ଜଳର ସମସ୍ୟା ଦୂର କରିବାକୁ ଆଦେଶ କରି ପ୍ରସ୍ତାବ ରଖିବାକୁ ଦାବି କରିଥିଲେ। ଷ୍ଟ୍ରିଟ ଲାଇଟ୍ ଜଳୁ ନଥିବା ବେଳେ ବିଲ୍ ଆସୁଥିବାରୁ ବିଲ୍ ପୈଠ କରିବୁ ନାହିଁ ବୋଲି ସରପଞ୍ଚ ମାନେ ରୋକ ଠୋକ କହିଥିଲେ । ସେହିପରି ପଡିଆବାହାଲ ସଂଲଗ୍ନ ପଞ୍ଚାୟତର ଲୋକେ ବ୍ଲକର ବିଭିନ୍ନ କାମରେ ଯୁଯୁମୁରା ଆସିଥାନ୍ତି । ପଡିଆବାହାଲରୁ ଯୁଯୁମୁରା ଦୂର ବାଟ ହେଉଥିବା ବେଳେ ଯାତାୟାତ ସମୟରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏପରିକି ବ୍ଲକରେ ଅଧିକାରୀ ମାନଙ୍କ ଅନୁପସ୍ଥିତି,ଅସହଯୋଗ ଯୋଗୁଁ ଯୁଯୋମୁରା ଜୋନ ୧ର ବିକାଶ ଅପହଞ୍ଚ ହେବା ସହ ହୀତାଧିକାରୀଙ୍କ ପ୍ରତି ଅଣଦେଖା କରାଯାଉଥିବା ଭଳି ଗୁରୁତର ଅଭିଯୋଗ ଆଣି ବ୍ଲକ୍ ବିଭାଜନ ନେଇ ପ୍ରତିଥର ପରି ଏହି ବୈଠକରେ ମଧ୍ୟ ସ୍ୱାର ଶାଣିତ ହୋଇଥିଲା। ପଡିଆବାହାଲରେ ନୂତନ ବ୍ଲକ ଗଠନ କରିବାକୁ ପଞ୍ଚାୟତ ପ୍ରତିନିଧି ମାନେ ରେଢାଖୋଲ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏ ପ୍ରସଙ୍ଗରେ ସରକାରୀ ସ୍ତରରେ ଯେତେବେଳେ ବ୍ଲକ ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ ହେବ ସେତେବେଳେ ତାଙ୍କ ପକ୍ଷରୁ ଯାହା ସହଯୋଗ ସମର୍ଥନ ଦରକାର ପଡ଼ିବ ସେ କରିବେ ବୋଲି ବିଧାୟକ ଶ୍ରୀ ଆଚାର୍ଯ୍ୟ କହିଥିଲେ ।

ବିଡ଼ିଓ ବିଜୟ ସଏ ବୈଠକ ପରିଚାଳନା କରିଥିଲେ। ଜିଲ୍ଲା ପରିଷଦ ଉପ ସଭାପତି ମାଧବ ମିର୍ଦ୍ଧା, ଜିଲ୍ଲା ପରିଷଦ ସଭ୍ୟା କବିତା ସାହୁ, ଏବିଡିଓ ପ୍ରଜ୍ଞା ପାଣିଗ୍ରାହୀ, ସାଂସଦ ପ୍ରତିନିଧି ପ୍ରମୋଦ କୁମାର ମିଶ୍ର, ବ୍ଲକ ଉପାଧ୍ୟକ୍ଷା ମନ୍ଦାକିନୀ ବିଶ୍ଵାଳ, ଯୁଯୁମୁରା ତହସିଲଦାର ସ୍ଵାଧୀନ ବେହେରା ମଞ୍ଚାସୀନ ଥିଲେ।

 

ବୈଠକରେ ବାହାମ ସରପଞ୍ଚ୍ ସରସ୍ବତୀ ଭୋସାଗର, ମେଘପାଳ ସରପଞ୍ଚ୍ ମମତା ପ୍ରଧାନ,ଲିପିଣ୍ଡା ସରପଞ୍ଚ୍ ପ୍ରଫୁଲ୍ଲ ମିର୍ଦ୍ଧା,ଟାମ୍ପରଗଡ ସରପଞ୍ଚ୍ କ୍ଷୀରୋଦ ରାଉଳ,କବରାପାଲି ସରପଞ୍ଚ୍ ଅନ୍ତର୍ଜାମୀ ପ୍ରଧାନ,ବାହାମ ସମିତି ସଭ୍ୟ ପ୍ରଫୁଲ୍ଲ ମଗର,ଯୁଯୋମୁରା ସମିତି ସଭ୍ୟ ଜୟନ୍ତ ପ୍ରଧାନଙ୍କ ସହିତ ୧୮ ଗୋଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ/ସଭ୍ୟା ମାନେ ନିଜ ପଞ୍ଚାୟତର ବିଭିନ୍ନ ସମସ୍ୟା ଉପରେ ଅଲୋଚନା କରି ସମସ୍ୟାର ସମାଧାନ ଦିଗରେ ବିଭାଗୀୟ ଅଧିକାରୀ ମାନଙ୍କୁ ଉତ୍ତରଦାୟୀ କରାଇବାକୁ ବୈଠକରେ ଯୋର ଦେଇଥିଲେ।ଏପରିକି ପୁର୍ବ ବୈଠକର ପ୍ରସ୍ତାବ ଉପରେ କୌଣସି କାମ ହେଉନଥିବାରୁ ବହୁ ସରପଞ୍ଚ୍ ପୁର୍ବ ରେଜୁଲେସନ ପାଠକରି ଅପାରଗ ଅଧିକାରୀଙ୍କୁ ଖୋଜିଥିଲେ ।ଆସନ୍ତା ବୈଠକରୁ ସମସ୍ତ ଲାଇନ ଡିପାରମେଣ୍ଟ ଅଧିକାରୀ ମାନଙ୍କୁ ବୈଠକରେ ଉପସ୍ଥିତ ରହିବାକୁ ବିଧାୟକଙ୍କ ସହିତ ଜନପ୍ରତିନିଧି ମାନେ ବିଡିଓଙ୍କୁ ଚେତାଇ ଦେଇଥିଲେ।