July 3, 2024

ଜିଲ୍ଲା ସ୍ତରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ

Share

ଛତ୍ରପୁର ତା. ୨୧- ୦୬-୨୦୨୪(ଅରୁଣ କୁମାର ପଣ୍ଡା )ଗଞ୍ଜାମ ଜିଲ୍ଲାର ଛତ୍ରପୁର ପୋଲିସ ପ୍ୟାରେଡ ପଡିଆ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ଶୁକ୍ରବାର ପାଳିତ ହୋଇଯାଇଛି l ପ୍ରାତଃ ସମୟରେ ଅନୁଷ୍ଠିତ ଏହି ଯୋଗ ଦିବସରେ ବ୍ରହ୍ମପୁର ସାଂସଦ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କହିଥିଲେ ୨୦୧୫ ମସିହା ଜୁନ ୨୧ ତାରିଖରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇ ଥିଲା ଓ ସେହି ଦିନ ଠାରୁ ଏହି ଦିବସ ପାଳିତ ହୋଇ ଆସୁଛି l ମିଳିତ ଜାତି ସଙ୍ଘର ସାଧାରଣ ସଭାର ୬୯ ତମ ଅଧିବେସନ ରେ ଆମ ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ୨୦୧୪ ସମ୍ବୋଧନରେ ଯୋଗ ଦିବସ ସମ୍ପର୍କରେ ପରାମର୍ଶ ଦେଇଥିଲେ l ତାର ପରବର୍ତୀ ସମୟରେ ୨୦୧୪ ମସିହା ଡିସେମ୍ବର ୧୧ ତାରିଖରେ ୧୯୩ ଜଣ ସଦସ୍ୟ ୨୧ ଜୁନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବାକୁ ରାଜି ହୋଇଥିଲେ l ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ଏହି ଦିବସ ସମଗ୍ର ବିଶ୍ୱରେ ପାଳିତ ହୋଇ ଆସୁଅଛି l ଯୋଗ – ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ଅଭ୍ୟାସ କରାଇବାରେ ଅନେକ ସାହାର୍ଯ୍ୟ କରେ ବୋଲି ମତ ରଖି ଯୋଗ ଅଭ୍ୟାସ ପରେ ସମସ୍ତଙ୍କୁ ଦୈନିକ ଯୋଗ କରାଇବା ନିମନ୍ତେ ଶପଥ ପାଠ କରାଇ ସମସ୍ତଙ୍କୁ ପ୍ରୋତ୍ସାହନ ଦେବା ସହ ସମାଜକୁ ଦିଗ ଦର୍ଶନ ଦେଇଥିଲେ l ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଛତ୍ରପୁର ପୌର ପାଳିକା ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ପ୍ରମୁଖ ଯୋଗ ଦେଇ ଯୋଗର ତାତ୍ପର୍ଯ୍ୟ ଏବଂ ଏହାର ଆବଶ୍ୟକତା କିଭଳି ଅପରିହାର୍ଯ୍ୟ ତାହା ନିଜ ବକ୍ତବ୍ୟରେ ଅବଗତ କରାଇ ପ୍ରତ୍ୟେକେ ପ୍ରତିଦିନ ଅଭ୍ୟାସ କରିବାକୁ ଜଣାଇଥିଲେ l ଛତ୍ରପୁର ଓକିଲ ସଙ୍ଘର ସଭାପତି ପ୍ରଦୀପ ପାଢ଼ୀ ଏବଂ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ମୁନା ଦାସ, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଉନ୍ନୟନ ଅଧିକାରୀ ମଧୁମିତା ମଂଚାସୀନ ଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଦେବବ୍ରତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ସମସ୍ତ ଅତିଥି ମାନଙ୍କ ଗହଣରେ ସ୍ଥାନୀୟ ଜନ ସାଧାରଣ, ଲୋକ ପ୍ରତିନିଧି, ପ୍ରଶାସନିକ ଅଧିକାରୀଙ୍କୁ ଯୋଗ ପ୍ରଶିକ୍ଷକ ସୁଶ୍ରୀ ସୁନିତା ପାତ୍ର, ପ୍ରିୟ ରଞ୍ଜନ ପାତ୍ର ଓ ସନ୍ତୋଷ କୁମାର ବିଶ୍ୱାଳ ଯୋଗ କଣ ଜଣାଇ ଯୋଗ୍ ଶିକ୍ଷା ପ୍ରଦାନ କରିଥିଲେ l
ଅତିରିକ୍ତ ଜିଲ୍ଲାପାଳ ଡ଼ଃ. ପ୍ରମୋଦ କୁମାର ପୃଷ୍ଟି ଓ ସୁଧାଂଶୁ କୁମାର ଭୋଇ, ଗଞ୍ଜାମ ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରି ପ୍ରତାପ ଚନ୍ଦ୍ର ପ୍ରଧାନ, ଛତ୍ରପୁର ଉପଜିଲ୍ଳାପାଳ ଦେବବ୍ରତ ମହାନ୍ତ, ଛତ୍ରପୁର ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ବରାଳଙ୍କ ସମେତ ବହୁ ଲୋକ ପ୍ରତିନିଧି, କ୍ରୀଡ଼ାବିତ, ସାମ୍ବାଦିକ ଓ ସ୍ଥାନୀୟ ଜନ ସାଧାରଣ ଏଥିରେ ଅଂଶ ଗ୍ରହଣ କରିଥିଲେ l