April 21, 2025

ହାଇକୋର୍ଟ ର କିଛି ଗୁରୁତ୍ଵପୂର୍ଣ୍ଣ ରାୟ।

Share

 

କଟକ( ଦେବାଶିଷ ଦାଶ )

ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାରେ ଦୋଷମୁକ୍ତ ହେବା ନ୍ୟାୟିକ ପ୍ରକ୍ରିୟାର ଅଗ୍ରଗତିକୁ ରୋକି ନଥାଏ। ଉଭୟ ନ୍ୟାୟିକ କାର୍ଯ୍ୟବାହୀ ପ୍ରକ୍ରିୟା ଓ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ମଧ୍ୟରେ ଏକ ମୌଳିକ ଅନ୍ତର ରହିଛି। ଏଣୁ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାରେ ଜଣେ ଦୋଷମୁକ୍ତ ହୋଇଥିଲେ ମଧ୍ୟ ଅପରାଧିକ ମାମଲା ଆଇନ ଅନୁସାରେ ଜାରି ରହିବା ଉଚିତ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ‌ରେ କହିଛନ୍ତି। ରିଖିରାମ ଚନ୍ଦ୍ରକାର ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ଆବେଦନର ଏକତ୍ର ଶୁଣାଣି କରି ଜଷ୍ଟିସ ଶିବଶଙ୍କର ମିଶ୍ର ଏପରି ରାୟ ପ୍ରକାଶ କରିଛନ୍ତି। ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାରେ ପ୍ରାମାଣିକ ତଥ୍ୟର ମାନ ଅପରାଧିକ ମାମଲା ସହ ସମାନ ନୁହେଁ। ଏଣୁ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାରେ ଦୋଷମୁକ୍ତ ହୋଇଥିବା ସତ୍ତ୍ବେ ଦୁର୍ନୀତି ମାମଲାରେ ଅଭିଯୁକ୍ତ ସରକାରୀ କର୍ମଚାରୀଙ୍କ ବିରୋଧରେ ରୁଜୁ ଅପରାଧିକ ମାମଲା ରଦ୍ଦ ପାଇଁ ଏହା ଫଳପ୍ରଦ ହେବ ନାହିଁ। ପ୍ରାଧିକୃତ ଅଧିକାରୀଙ୍କ ସ୍ୱୀକୃତି ଆଧାରରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାରେ ଅଧିକାରୀଙ୍କୁ ଦୋଷମୁକ୍ତ କରିଦିଆଯାଇଥାଏ। ଏଣୁ ଏହି ଆଧାରରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଅପରାଧିକ ମାମଲା ରଦ୍ଦ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି।