ସରକାର ଙ୍କୁ ଡାକ୍ତର ମାନଙ୍କ ଚେତାବନୀ।

ଭୁବନେଶ୍ବର ( ଦେବାଶିଷ ଦାଶ ) ଡାକ୍ତରମାନଙ୍କୁ ପ୍ରତିଶୃତି ଦେଇ ପ୍ରତାରଣା କରିଛନ୍ତି ମୋହନ ସରକାର। ଯାହାକୁ ନେଇ ଆଜି ଓଡ଼ିଶା ମେଡିକାଲ୍ ସର୍ଭିସ୍ ଆସୋସିଏସନ୍(ଓମସା) ସମୂହ ଇସ୍ତଫା ଦେବାକୁ ଧମକ ଦେଇଛି। ଓମସା ପକ୍ଷରୁ ଆଜି ଭୁବନେଶ୍ବରରେ ବିଶାଳ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଯେଉଁଠାରେ ଓଡ଼ିଶା ମେଡିକାଲ୍ ସର୍ଭିସ୍ ଆସୋସିଏସନ୍ ସରକାରଙ୍କ ଉପରେ ବର୍ଷିଥିଲା। ସରକାର ସେମାନଙ୍କ ସହ ପ୍ରତାରଣା କରିଛନ୍ତି।
ଯେଉଁଥି ପାଇଁ ସେମାନେ ଆଗାମୀ ଦିନରେ ଅସହଯୋଗ ଆନ୍ଦୋଳନକୁ ଓହ୍ଲାଇବେ, ଦରକାର ପଡିଲେ ଡାକ୍ତରମାନେ ସମୂହ ଇସ୍ତଫା ଦେବେ ବୋଲି ମଧ୍ୟ ଓମସା ପକ୍ଷରୁ କୁହାଯାଇଛି।
ଓଡ଼ିଶା ମେଡିକାଲ୍ ସର୍ଭିସ୍ ଆସୋସିଏସନ୍(ଓମସା) ପକ୍ଷରୁ କୁହାଯାଇଛି ଯେ ସରକାର ଓମସା ସହ ଆଲୋଚନାକୁ ଆସୁ ନାହାଁନ୍ତି। ରାଜ୍ୟରେ କାର୍ଯ୍ୟରତ ଡାକ୍ତରମାନଙ୍କର ୭ ଦଫା ଦାବି ନେଇ ସରକାରଙ୍କୁ ଜଣାଯିବା ପରେ ସରକାର ଆଲୋଚନା ପାଇଁ ପ୍ରତିଶ୍ରୁତି ଦେଇଥିଲେ ବି ଆଲୋଚନା କରୁନାହାନ୍ତି। ଓମସା ସଦସ୍ୟମାନେ ରାଜ୍ୟରେ ଡାଇନାମିକ୍ ଆସୁର୍ଡ କ୍ୟାରିଅର୍ ପ୍ରୋଗ୍ରେସନ୍ (ଡିଏସିପି) କାର୍ୟ୍ୟକାରୀ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଯେତେବେଳେ କି ଅତି କମରେ ଦେଶର ୧୮ଟି ରାଜ୍ୟ ସରକାରୀ ହସ୍ପିଟାଲରେ ସେବା କରୁଥିବା ଡାକ୍ତରମାନଙ୍କ ପାଇଁ ଡିଏସିପି ଲାଗୁ କରିସାରିଛନ୍ତି ସରକାର।
ଡିଏସିପି ଲାଗୁ କରିବା ସମୟରେ ଆଡ-ହକ୍ ଡାକ୍ତରଙ୍କ ଚୁକ୍ତିଭିତ୍ତିକ ଅବଧି ବିଚାରକୁ ନେବାକୁ ମଧ୍ୟ ସଂଘ ସରକାରଙ୍କୁ ଅନୁରୋଧ କରିଛି। ଏହା ବ୍ୟତୀତ ସଂଘ କ୍ୟାଡର ପୁନର୍ଗଠନ କରିବାକୁ ଚାହୁଁଛି ଯାହା ଗତ ସାତ ବର୍ଷ ଧରି ଓଡ଼ିଶାରେ କରାଯାଇନାହିଁ। ସେହିପରି ସ୍ନାତକୋତ୍ତର ପାଇଁ ପ୍ରୋତ୍ସାହନ ଏବଂ ଦନ୍ତ ଚିକିତ୍ସକମାନଙ୍କୁ ଅନ୍ୟାନ୍ୟ ସୁବିଧା ପାଇଁ ମଧ୍ୟ ଦାବି କରାଯାଇଛି। ଏଥି ସହିତ ଡାକ୍ତରମାନଙ୍କୁ ସ୍ଥାନାନ୍ତର, ସ୍ୱାସ୍ଥ୍ୟ ବୀମା ସମୟରେ ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନେବାକୁ ଓମସା ପକ୍ଷରୁ ଦାବି ରହିଛି।