ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦେହାନ୍ତ ।

ବୋଲଗଡ଼,(ଉପାନ୍ତ ଖବର): ସଂପୁରସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟର ସେବାନିବୃତ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀ କହ୍ନେଇ ଦତ୍ତ ବୁଧବାର ରାତ୍ର ୩ଘଟିକାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ଶ୍ୱାସ ଜନିତ ରୋଗରେ ପୀଡିତ ଶ୍ରୀ ଦତ୍ତଙ୍କ ଚିକିତ୍ସା ପାଇଁ ତାଙ୍କୁ ପୁତ୍ରବଧୂ
ଅଶାନ୍ତିଦତ୍ତ, ଦୁଇ ପୁତ୍ର ବିଶ୍ୱନାଥ ଦତ୍ତ ଏବଂ ଦିଲ୍ଲୀପ କୁମାର ଦତ୍ତ ବୋଲଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗତ ବୁଧବାର ଦିନ ନେଇଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ରାତ୍ର ୧୧ଟାରେ ସେଠାରୁ ବାହାରି ଭୁବନେଶ୍ବରସ୍ଥିତ ଏମ୍ସ ହସ୍ପିଟାଲରେ
ସେମାନେ ପହଂଚିଥିଲେ ।
ରାତି ୩ଘଟିକାରେ ସେଠାରେ ଶ୍ରୀ ଦତ୍ତଙ୍କର ମୃତ୍ୟୁ ଘଟିଥିଲା ।ମୃତ୍ୟୁ ବେଳକୁ ତାଙ୍କୁ ୭୩ବର୍ଷ ହୋଇଥିଲା। ମରଶରୀରକୁ ତାଙ୍କ ସଂପୁରସ୍ଥିତ ବାସଗୃହକୁ ଗୁରୁବାର ଦିନ ଅଣାଯାଇଥିଲା। ମରଶରୀରର ଅନ୍ତିମ ଦର୍ଶନ ନିମନ୍ତେ ପୋଲିସ ଅଧିକାରୀ ପ୍ରଫୁଲ୍ଲ କୁମାର ଦେଓ, ସ୍ଥାନୀୟ ସରପଞ୍ଚ ଜଳଧର ମହାନ୍ତି, ସମିତିସଭ୍ୟା ବିନୋଦିନୀ ଦତ୍ତ, ଗଣ ମାଧ୍ୟମ ପ୍ରତିନିଧି, ସଂପୁର ସେବା ସମବାୟ ସମିତି ଅଧ୍ୟକ୍ଷ ଭଗବାନ ସ୍ୱାଇଁ, ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ
ସମେତ ଖଙ୍ଗୁରିଆ, ସଂପୁର ଓ ବୋଲଗଡ଼ରୁ କେତେକ ଭଦ୍ରବ୍ୟକ୍ତି
ଏବଂ ମହିଳା ସେଠାରେ ପହଂଚିଥିଲେ ।ଶୋଭାଯାତ୍ରାରେ ମରଶରୀରର ଗ୍ରାମ ପରିକ୍ରମା ପରେ
ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିଲା । ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁ ଶ୍ରୀ ଦତ୍ତଙ୍କର ବାସସ୍ଥାନରେ ପହଂଚି ଆତ୍ମୀୟସ୍ୱଜନଙ୍କୁ ସମବେଦନା ଜଣାଇଥିଲେ ।ଆତ୍ମାର ସଦଗତି ପାଇଁ ଶୁକ୍ରବାର ପ୍ରାର୍ଥନା ଶ୍ରେଣୀରେ
ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ଅଂଶୁମାନ ଧଳଙ୍କ ତତ୍ଵାବଧାନରେ ସ୍ୱର୍ଣଲତା ପ୍ରଧାନ,ଶୁଭଶ୍ରୀ ଧଳ,ସ୍ମିତାସିନ୍ଧୁ ମହାପାତ୍ର,ନମିତା ସାହୁ,ସୌଦାମିନୀ ସୁବୁଦ୍ଧି,ସୌଦାମିନୀ ପରିଡ଼ା ,ଶ୍ରୋତାଲିନି ସାହୁ,ଦିପ୍ତୀରଞ୍ଜନ ଦାସ ଓ ବିଭୁପ୍ରସାଦ ମହାପାତ୍ର ସମେତ ସମସ୍ତ କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।ଶ୍ରୀ ଦତ୍ତ ୧୯୮୦ ମସିହାରେ ଚତୁର୍ଭୁଜ ଉଚ୍ଚ
ବିଦ୍ୟାଳୟରେ ରାତ୍ର ଜଗୁଆଳ ଓ
ସଫେଇ କର୍ମଚାରୀ ରୂପେ ନିଯୁକ୍ତି ପାଇ ଦୀର୍ଘ ୩୨ ବର୍ଷ ପରେ ଏଠାରୁ
ଅବସର ଗ୍ରହଣ କରିଥିଲେ ।ସେ ଜଣେ କର୍ମଠ, ଛାତ୍ରବତ୍ସଳ, ସଚୋଟ,ନିରଳସ ଓ
ସମୟାନୁବର୍ତ୍ତି କର୍ମଚାରୀ ଥିଲେ ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।