May 22, 2025

ସକ୍ଷମ ଯୋଜନା ରୁ ବଞ୍ଚିତ ଅଙ୍ଗନବାଡ଼ି କେନ୍ଦ୍ର

Share

 

 

କୋଲନରା: କୋଲନରା ବ୍ଲକ ଅନ୍ତର୍ଗତ ଭୋଇମଡା ପଞ୍ଚାୟତର ତେଡ଼ା ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ର ଗୃହ ଦୀର୍ଘ ୪ ବର୍ଷରୁ ଉର୍ଦ୍ଧ ହେବ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡ଼ି ରହିଛି | ଫଳରେ ପିଲାଙ୍କୁ ନେଇ ପଢ଼ାଇବାକୁ ହେଲେ ଅଙ୍ଗନବାଡ଼ି କର୍ମୀ ଙ୍କୁ ବହୁ ହଇରାଣ ହେବାକୁ ପଡୁଛି | କେବେ କାହା ପିଣ୍ଡାରେ ତ ଆଉ କେବେ ଗାଁ ଦାଣ୍ଡରେ ବସେଇ ପିଲାଙ୍କୁ ଶିକ୍ଷା ଦିଆଯାଉଛି | ଅଙ୍ଗନବାଡି କେନ୍ଦ୍ର ସମ୍ପୂର୍ଣ୍ଣ କରିବା ଦିଗରେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ନିର୍ମାଣ କାର୍ଯ୍ୟ ଆଗେଇ ପାରୁ ନ ଥିବା ଅଭିଯୋଗ ହୋଇଛି | ସୂଚନା ମୁତାବକ, ତେଡ଼ା ଗ୍ରାମରେ ରହିଥିବା ଅଙ୍ଗନବାଡ଼ି କେନ୍ଦ୍ରରେ ୨୨ ଜଣ ପ୍ରିସ୍କୁଲ ପିଲା ପାଠ ପଢନ୍ତି | ସେମାନଙ୍କୁ ଶିକ୍ଷାଦାନ ନିମନ୍ତେ ରାଧାରାଣୀ ସାହୁ ନାମକ ଅଙ୍ଗନବାଡ଼ି କର୍ମୀଙ୍କୁ ନିଯୁକ୍ତି ଦିଆଯାଇଛି | ଉକ୍ତ ଗ୍ରାମରେ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ଵ ଗୃହ ନ ଥିବା ହେତୁ ଗାଁ ଦାଣ୍ଡରେ କିମ୍ବା ଲୋକଙ୍କ ବାରଣ୍ଡାରେ ପ୍ରିସ୍କୁଲ ପିଲା ମାନଙ୍କୁ ଶିକ୍ଷାଦାନ ଦିଆଯାଉଥିବା ନେଇ ଗ୍ରାମବାସୀ ଦାବି କରି ଆସୁଥିଲେ | କୋମଳମତି ଶିଶୁ ମାନଙ୍କ ସୁବିଧା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରି ଅଙ୍ଗନବାଡ଼ି ଗୃହ ନିର୍ମାଣ କରିବା ନିମନ୍ତେ ୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା | ପରେ ଅଙ୍ଗନବାଡ଼ି ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା | ଉକ୍ତ ଅଙ୍ଗନବାଡ଼ି ଗୃହର ଛାତ କାମ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଶେଷ ହୋଇ ସାରିଥିବା ବେଳେ ଆଉ କିଛି କାମ ବାକି ରହିଛି | କିନ୍ତୁ ଠିକାଦାର ଜଣକ ନିର୍ମାଣ କାର୍ଯ୍ୟ ହଠାତ ବନ୍ଦ କରି ଦେଇଥିବା ଜଣାପଡିଛି | ଯେତିକି ଅର୍ଥ ମଞ୍ଜୁର ହୋଇଥିଲା ତାହା ସମାପ୍ତ ହୋଇଯିବା ହେତୁ ନିର୍ମାଣ କାର୍ଯ୍ୟ ଅଟକି ଯାଇଥିବା ସୂଚନା ମିଳିଛି | ବର୍ତ୍ତମାନ ୪ ବର୍ଷରୁ ଉର୍ଦ୍ଧ ସମୟ ହେବ ସେହି ଅଙ୍ଗନବାଡ଼ି ଗୃହ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ସେମିତି ପଡ଼ି ରହିଛି | ଯେତିକି ନିର୍ମାଣ ହୋଇଛି ତାହା ମଧ୍ୟ ଏବେ ଧୀରେ ଧୀରେ ନଷ୍ଟ ହେବାକୁ ବସିଲାଣି | ଯଦି ତୁରନ୍ତ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରା ନ ଯାଏ ତାହେଲେ ଆଉ କିଛି ବର୍ଷ ମଧ୍ୟରେ ଯେତିକି ନିର୍ମାଣ ହୋଇଛି ତାହା ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ସହ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ପାଣିରେ ବୁଡି ଯିବ ବୋଲି ମତପ୍ରକାଶ ପାଇଛି | ଅନ୍ୟପଟେ ଗୋଟିଏ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହ ପାଇଁ ୩ କିମ୍ବା ସାଢେ ୩ ଲକ୍ଷ ଟଙ୍କା ଯଥେଷ୍ଟ ହେଉଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ର ଗୃହ ପାଇଁ ୫ ଲକ୍ଷ ଟଙ୍କା କିଭଳି ଭାବେ ନିଅଣ୍ଟ ପଡ଼ିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି | ଏ ସମ୍ପର୍କରେ କୋଲନରା ସିଡ଼ିପିଓ ବିଜୟଲକ୍ଷ୍ମୀ ନିଶଙ୍କ ଙ୍କୁ ପଚାରି ବୁଝିବାରୁ ଯେତିକି ଅର୍ଥ ମଞ୍ଜୁର ହୋଇଥିଲା ଠିକାଦାର ଜଣକ ସେତିକି କାମ କରିଥିବା ଠିକାଦାର ଜଣକ କହୁଥିବା ସେ କହିବା ସହ ବାକି କାମ ପାଇଁ ସରକାରଙ୍କୁ ଲିଖିତ ଭାବେ ଦିଆଯାଇଛି, ଟଙ୍କା ଆସିଲେ ଅଙ୍ଗନବାଡ଼ି ଗୃହଟି ସମ୍ପୂର୍ଣ୍ଣ ହେବ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଥିଲେ | ତେଣୁ ଜିଲ୍ଲା କିମ୍ବା ବ୍ଲକ ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରି ଅସମ୍ପୂର୍ଣ୍ଣ ଅଙ୍ଗନବାଡ଼ି ଗୃହ ସମ୍ପୂର୍ଣ୍ଣ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି |

ରିପୋର୍ଟ : ସଞ୍ଜୀବ କଣ୍ଡାଗରୀ