December 21, 2024

ସଂପୂର୍ଣ ରାମନଗରପଡା ୱାର୍ଡ ନଂ ୩ କରାଯାଉ ବୋଲି ଦାବି।

Share

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ):ଭବାନୀପାଟଣା ସହରର ୩ ନଂ ୱାର୍ଡ ହେଉଛି ରାମନଗରପଡା। ଏହି ରାମନଗରପଡାର ହାରାହାରି ଜନସଂଖ୍ୟା ହେଉଛି ପ୍ରାୟ ପାଞ୍ଚ ହଜାର। ଏହି ରାମନଗରପଡାକୁ ତିନି ଭାଗରେ ବିଭକ୍ତ କରାଯାଇଛି। ଏହାର କେତେକ ଅଂଶ ୧ ନଂ ୱାର୍ଡ ଓ କିଛି ଅଂଶ ୨ ନଂ ୱାର୍ଡରେ ମିଶାଯାଇଛି। ଏହି ୧ ନଂ ଓ ୨ ନଂ ୱାର୍ଡରେ ମିଶିଥିବା ଅଂଚଳର ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସଂପୁର୍ଣ ରାମନଗରପଡା ଅଞ୍ଚଳକୁ ୩ ନଂ ୱାର୍ଡ ଅନ୍ତର୍ଭୁକ୍ତ କରିବାପାଇଁ ପଡାବାସି ଅନେକ ଥର ପୌରପାଳିକା ନିକଟରେ ଦାବି ଜଣାଇଥିବା ସତ୍ତ୍ୱେ ଏହାର ସମାଧାନ ହୋଇପାରିନାହିଁ। ରାମନଗରପଡାର ଏହି ବିଛିନ୍ନ ଅଞ୍ଚଳ ଗୁଡିକୁ କେବଳ ପୌରପାଳିକା ନିର୍ବାଚନ ସମୟରେ ଭୋଟ ପାଇଁ ୱାର୍ଡମେମ୍ବର ପ୍ରାର୍ଥୀ ମାନଙ୍କର ଘନଘନ ଗତାଗତ ହୋଇଥାଏ ଏବଂ ନିର୍ବାଚନ ପରେ ୱାର୍ଡମେମ୍ବର ମାନେ ଆନ୍ତର୍ଧ୍ୟାନ ହୋଇଯାଆନ୍ତି। ଏହି ସବୁ ଅଂଚଳର କେତେକ ଗଳିକନ୍ଦି ରାସ୍ତାଗୁଡିକ ବାରମ୍ବାର ନିବେଦନ ସତ୍ୱେ ଆଜି ପର୍ଯ୍ୟନ୍ତ ତିଆରି ହୋଇପାରିନାହିଁ। ଏହାଛଡା ଯେଉଁ କେତେକ ରାସ୍ତା ତିଆରି ହୋଇଛି ସେଗୁଡିକ ନିମ୍ନ ମାନର ହୋଇଥିବାରୁ ମାତ୍ର କିଛି ମାସ ମଧ୍ୟରେ ବିଭିନ୍ନ ଜାଗାରେ ଭାଙ୍ଗିଯାଇଛି ଓ ଅନେକ ସ୍ଥାନରେ ଦାବିଯାଇଛି। ଏହା ଦ୍ଵାରା ପ୍ରାୟ ସବୁଦିନ ଛୋଟମୋଟ ଦୁର୍ଘଟଣା ଘଟିଥାଏ। ଏ ନେଇ ଅଞ୍ଚଳବାସି ସ୍ଥାନୀୟ ୱାର୍ଡମେମ୍ବରଙ୍କୁ ଜଣାଇଲେ ମଧ୍ୟ ୱାର୍ଡମେମ୍ବର ମାନେ କଥାକୁ ଗୁରୁତ୍ୱ ନଦେଇ ଖାମଖିଆଲିରେ ନେଉଛନ୍ତି। ଏହାଛଡା ପୌରପାଳିକାର ୧ ନଂ, ୨ନଂ ଓ ୩ନଂ ୱାର୍ଡର ସଫେଇ କର୍ମଚାରୀ ମାନେ ମଧ୍ୟ ଅନେକ ସମୟରେ ଦ୍ୱନ୍ଦ୍ୱରେ ପଡିଥାନ୍ତି ଯେ ଏହି ଅଞ୍ଚଳ କେଉଁ ୱାର୍ଡର ଅନ୍ତର୍ଭୁକ୍ତ ଅଟେ। ଏହି ଦ୍ୱନ୍ଦ ଯୋଗୁଁ ଏହି ଅଞ୍ଚଳ ଗୁଡିକର ନାଳ ନର୍ଦମା, ରାସ୍ତାଘାଟ ଗୁଡିକ ଆବର୍ଜନାରେ ପୁରିରହିଥାଏ। ଏଥିଯୋଗୁଁ ଏହି ଅଞ୍ଚଳବାସି ଦୁର୍ଗନ୍ଧମୟ ପରିବେଶରେ ରହିବାକୁ ବାଧ୍ୟ ହେଉଛନ୍ତି। ଏଣୁ ଅଞ୍ଚଳର ବୁଦ୍ଧିଜୀବୀ ମାନେ ସଂପୂର୍ଣ ରାମନଗରପଡାକୁ ୩ନଂ ୱାର୍ଡ କରାଯାଉ ବୋଲି ଦାବି ଜଣାଇଛନ୍ତି।