March 21, 2025

ଓଡ଼ିଶାରେ ରହିଛି ଭରପୂର ସୁନା ଖଣି

Share

ଓଡ଼ିଶାରେ ରହିଛି ଭରପୂର ସୁନା ଖଣି । ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ତେବେ ଦେବଗଡ଼, କେନ୍ଦୁଝର ପରେ ସୁନ୍ଦରଗଡ, ନବରଙ୍ଗପୁର, ଅନୁଗୁଳ, କୋରାପୁଟ, ମାଲକାନଗିରି, ସମ୍ବଲପୁର ଓ ବୌଦ୍ଧ ଜିଲ୍ଲାରେ ବି ରହିଛି ସୁନା ଖଣି ।

 

ବିଧାୟକ ଚକ୍ରମଣି କହଁର ରାଜ୍ୟର କେଉଁ କେଉଁ ସ୍ଥାନରେ କେତୋଟି ସୁନା ଖଣିର ସନ୍ଧାନ ମିଳିଛି ଆଉ କେଉଁ କେଉଁ ନୂଆ ଖଣି କେଉଁ କେଉଁ ସ୍ଥାନରେ ଅଛି ସେନେଇ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ରଖିଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ ।

 

ଖଣି ମନ୍ତ୍ରୀଙ୍କ ସୂଚନା ମୁତାବକ, ରାଜ୍ୟର ଦେବଗଡ଼ ଜିଲ୍ଲାର ଆଡାସ-ରାମପାଲ୍ଲୀ ଅଞ୍ଚଳରେ ଭାରତୀୟ ଭୂ-ବୈଜ୍ଞାନିକ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ତମ୍ବାପଥର ପାଇଁ ଜି-୨ ସ୍ତରରେ ଅନ୍ୱେଷଣ କଲାବେଳେ ସୁନାପଥରର ସନ୍ଧାନ ମିଳିଛି । କେନ୍ଦୁଝର ଜିଲ୍ଲାର ଗୋପୁର-ଗାଜିପୁର, ମାଙ୍କଡଚୁଆଁ, ସଲେଇକଣା, ଡିମିରିମୁଣ୍ଡା ଅଞ୍ଚଳରେ ସୁନାଖଣି ଚିହ୍ନଟ ପାଇଁ ଅନୁସନ୍ଧାନ କାମ ଚାଲୁ ରହିଛି ।

 

ସେହିପରି ମୟୂରଭଞ୍ଜ ଜିଲ୍ଲାର ଯଶିପୁର, ସୁରିଆଗୁଡା, ରୁଆଁସି, ଇଡେଲକୁଚା, ମାରେଡିହି ଓ ସୁଲେଇପାଟ ଏବଂ ବାଦାମପାହାଡ ଅଞ୍ଚଳରେ ସୁନାଖଣି ଅନ୍ୱେଷଣ ନିମନ୍ତେ ପ୍ରାରମ୍ଭିକ ଅନୁସନ୍ଧାନ ଜାରି ରହିଛି । ଏହାବ୍ୟତୀତ ସୁନ୍ଦରଗଡ, ନବରଙ୍ଗପୁର, ଅନୁଗୁଳ, କୋରାପୁଟ, ମାଲକାନଗିରି, ସମ୍ବଲପୁର, ବୌଦ୍ଧ ଜିଲ୍ଲାର କେତେକ ସ୍ଥାନରେ ବିକ୍ଷିପ୍ତ ଭାବରେ ସୁନା ଥିବାର ସୂଚନା ମିଳିଛି ।