April 30, 2026

ସ୍କୁଲରେ ପାଳନ ହେବନି ଗୁରୁଦିବସ, ଶିଶୁଦିବସ!

IMG-20251219-WA0029
Share

 

୨୦୨୬ରେ ବିଦ୍ୟାଳୟରେ ଗୁରୁ ଦିବସ ପାଳନ କରାଯିବ ନାହିଁ। ଶିଶୁ ଦିବସ ମଧ୍ୟ ପାଳିତ ହେବନି। ସେହିଦିନ ପିଲାମାନେ ବିଦ୍ୟାଳୟକୁ ଆସିବେ। ଅନ୍ୟ ଦିନଗୁଡ଼ିକ ପରି ପାଠପଢ଼ା ମଧ୍ୟ ହେବ। ବିଦ୍ୟାଳୟରେ କୌଣସି କାର୍ଯ୍ୟକ୍ରମ କରାଯିବ ନାହିଁ।

 

 

୨୦୨୬ରେ ବିଦ୍ୟାଳୟରେ ଗୁରୁ ଦିବସ ପାଳନ କରାଯିବ ନାହିଁ। ଶିଶୁ ଦିବସ ମଧ୍ୟ ପାଳିତ ହେବନି। ସେହିଦିନ ପିଲାମାନେ ବିଦ୍ୟାଳୟକୁ ଆସିବେ। ଅନ୍ୟ ଦିନଗୁଡ଼ିକ ପରି ପାଠପଢ଼ା ମଧ୍ୟ ହେବ। ବିଦ୍ୟାଳୟରେ କୌଣସି କାର୍ଯ୍ୟକ୍ରମ କରାଯିବ ନାହିଁ। ମାଧ୍ୟମିକ ଓ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ତରଫରୁ ୨୦୨୬ ମସିହା ବାର୍ଷିକ ଛୁଟି ତାଲିକାରେ ଏଭଳି ଉଲ୍ଲେଖ ହୋଇଛି। ବର୍ଷରେ ମୋଟ ୮୨ଟି ଛୁଟି ଦିବସ ଓ ୬ଟି ପାଳନୀୟ ଦିବସ ରହିଛି। ଜାନୁଆରି ୨୩ରେ ନେତା‌ଜୀ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ବିଦ୍ୟାଳୟରେ ପାଳିତ ହେବାକୁ ଥିବା ବେଳେ ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀ ପାଳିତ ହେବ। ତେବେ ଏହି ଛୁଟି ତାଲିକାରେ ଗୁରୁ ଦିବସ ଓ ଶିଶୁ ଦିବସକୁ ପାଳନୀୟ ଦିବସ ଭାବେ ଘୋଷଣା କରାଯାଇ ନ ଥିବାରୁ ବିରୋଧର ସ୍ବର ଉଠିଛି। ଦେଶର ଏହି ଦୁଇ ଜଣ ମହାନ ବରପୁତ୍ରଙ୍କ ଜୟନ୍ତୀ ପାଳନ ନ କରିବାକୁ ନିଆଯାଇଥିବା ନିଷ୍ପତ୍ତି ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ମହଲରେ ଗଭୀର ରେଖାପାତ କରିଛି।

 

ଛୁଟି ତାଲିକାରେ ଆଉ ଏକ ଅସଙ୍ଗତି ଦେଖିବାକୁ ମିଳିଛି। ୬ଟି ପାଳନୀୟ ଦିବସ ରହିଛି। ତେଣୁ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସିବେ। ଯଦି ସମସ୍ତେ ସ୍କୁଲ ଆସିବେ ତାହା ହେଲେ ସେହିଦିନ କିଭଳି ଛୁଟି ହେଲା ବୋଲି ପ୍ରଶ୍ନ ଉଠିଲାଣି। ଛୁଟି ଦିବସ ଓ ପାଳନୀୟ ଦିବସ ଅଲଗା ଅଲଗା କରିବାକୁ ଓଡ଼ିଶା ସରକାରୀ ହାଇସ୍କୁଲ (ମାଧ୍ୟମିକ) ଏନ୍‌ପିଏସ ଶିକ୍ଷକ ସଂଘ ବାରମ୍ବାର ଦାବିପତ୍ର ପ୍ରଦାନ କରିଛି। ତା’ସତ୍ତ୍ବେ କୌଣସି ସୁଫଳ ମିଳିପାରି ନାହିଁ। କେବଳ ସେତିକି ନୁହେଁ, ନୂଆ ସରକାର ଆସିବା ପରେ ପଞ୍ଚାୟତରାଜ ଦିବସ ଭାବେ ମାର୍ଚ୍ଚ ୫ରେ ହେଉଥିବା ଛୁଟିକୁ ତାଲିକାରୁ ବାଦ୍‌ ଦିଆଯାଇଛି।

ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣା କହିଛନ୍ତି ଯେ ପିଲାମାନଙ୍କୁ ଦେଶର ଦୁଇ ମହାନ ବରପୁତ୍ରଙ୍କ ବିଷୟରେ ଅବଗତ କରାଇବାକୁ ବିଦ୍ୟାଳୟରେ ଏହି ଦିବସଗୁଡ଼ିକ ପାଳିତ ହୋଇଥା‌ଏ। ପିଲାମାନେ ମଧ୍ୟ ସ୍ୱାଧୀନତା ଆନ୍ଦୋଳନର ଇତିହାସ ବିଷୟରେ ଜାଣିପାରନ୍ତି। ତେବେ ବର୍ତ୍ତମାନର ରାଜ୍ୟ ସରକାର ଛୁଟି ତାଲିକାରୁ ଏହି ଦୁଇ ମହାନ ଜନନେତାଙ୍କ ନାମକୁ ଜନମାନସରୁ ବାଦ ଦେବାକୁ ଚାହୁଁଛନ୍ତି। ଏହା ଆଦୌ ଗ୍ରହଣୀୟ ନୁହେଁ। ତୁରନ୍ତ ଛୁଟି ତାଲିକାକୁ ସଂଶୋଧନ କରି ଗୁରୁ ଦିବସ ଓ ଶିଶୁ ଦିବସକୁ ପାଳନୀୟ ଦିବସ ଭାବେ ଘୋଷଣା କରିବାକୁ ସଂଘର ସାଧାରଣ ସମ୍ପାଦକ ବିଭୁପ୍ରସାଦ ସାହୁ ଦାବି କରିଛନ୍ତି। ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ (ଓଲଷ୍ଟା) ମଧ୍ୟ ପ୍ରତିବାଦ ଜଣାଇଛି। ସଂଘ ସଭାପତି ବିକ୍ରମ କୁମାର ଦାସ ଓ ସାଧାରଣ ସମ୍ପାଦକ ସୁକାନ୍ତ କୁମାର ବେହେରା କହିଛନ୍ତି ଯେ ଚଳିତବର୍ଷ ଶିଶୁ ଦିବସ ଓ ଗୁରୁ ଦିବସ ଛୁଟି ତାଲିକାରୁ ବାଦ୍‌ ଦେଇ ଏହି ଦୁଇ ମହାନ ନେତାଙ୍କ ନାମକୁ ଜନମାନସରୁ ବାଦ୍‌ ଦେବା ତଥା ଗୁରୁଶିଷ୍ୟ ପରମ୍ପରାକୁ ବିଲୋପ କରିବା ଅତ୍ୟନ୍ତ ନିନ୍ଦନୀୟ।