November 15, 2024

ନିୟମଗିରିରେ ବାସ କରୁଥିବା ଡଙ୍ଗରିଆ ଆଦିବାସୀଙ୍କ ଦୁଃଖ ବୁଝିବ କିଏ ? 

Share

ଲାଞ୍ଜିଗଡ଼ – ( ପୁରନ୍ଦର ଦଣ୍ଡସେନା ) କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ l ଏ ବ୍ଲକର ବିଭିନ୍ନ ଭାଗରେ ଆଦିବାସୀମାନେ ବହୁଳ ଭାବେ ବାସ କରିଥାନ୍ତି l ଏ ଅଞ୍ଚଳରେ ଥିବା ନିୟମଗିରି ପର୍ବତ ଉଭୟ ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ସୀମାରେ ରହିଛି l ଏହି ପର୍ବତରେ ପ୍ରଚୁର ପରିମାଣର ଉନ୍ନତ ମାନର ବକ୍ସାଇଟ ରହିଥିବା ଯୋଗୁଁ ଆମ ସରକାର ତାହାର ଖନନ ପାଇଁ ବେଦାନ୍ତ କମ୍ପାନୀକୁ ଦେବା ପାଇଁ ଦୀର୍ଘ ବର୍ଷ ଧରି ପ୍ରୟାସ ଜାରୀ ରଖିଛନ୍ତି l କିନ୍ତୁ ଏ ଅଞ୍ଚଳବାସୀଙ୍କ ବିରୋଧ ଯୋଗୁଁ ଏ ପର୍ଯ୍ୟନ୍ତ ତାହା ସମ୍ଭବ ହୋଇପାରିନାହିଁ l

ନିୟମଗିରି ପର୍ବତରେ ଶତାଧିକ ଆଦିବାସୀ ଗ୍ରାମ ରହିଛି l ଅଧିକାଂଶ ଗ୍ରାମକୁ ରାସ୍ତା ନାହିଁ l ବିଶେଷ କରି ଲାଞ୍ଜିଗଡ଼ ବ୍ଲକରେ ଥିବା ତ୍ରିଲୋଚନ ପୁର ପଞ୍ଚାୟତର ନିୟମଗିରି ପର୍ବତ ଉପରେ ଥିବା କେତୋଟି ଗ୍ରାମରେ ବାସ କରୁଥିବା ଡଙ୍ଗରିଆ ଆଦିବାସୀଙ୍କ ଦୁଃଖ କହିଲେ ନ ସରେ l ସେ ମଧ୍ୟରେ ପାଲବେରୀ, କୁନାକାଡ଼ୁ, ଲଡ଼ାଙ୍ଗ, ତାଡି଼ଝୋଲା, ରଙ୍ଗଚିଟକା ଭଳି ଅନେକ ଗ୍ରାମ ଅଛି, ଯେଉଁଠାରେ ଲୋକେ ସରକାରଙ୍କ ଦ୍ୱାରା ଦିଆ ଯାଉଥିବା ସବୁ ପ୍ରକାର ସୁବିଧାରୁ ବଞ୍ଚିତ l ଉଦାହରଣ ସ୍ୱରୂପ ପାଲବେରୀ ଓ କୁନାକାଡ଼ୁ ଗ୍ରାମ ଦୁଇଟିକୁ ନିଆଯାଉ l ପାଲବେରୀ ଗ୍ରାମରେ ପ୍ରାୟ ବାର ଘର ଏବଂ କୁନାକାଡ଼ୁ ଗ୍ରାମରେ ମଧ୍ୟ ଦଶ / ବାର ପରିବାର ଡଙ୍ଗରିଆ ଆଦିବାସୀ ବାସ କରନ୍ତି l ଏମାନେ କେଉଁ କାଳରୁ ଏଠାରେ ରହି ଆସୁଛନ୍ତି l ଯଦିଓ ଏହି ଗ୍ରାମ ଗୁଡିକ ତ୍ରିଲୋଚନ ପୁର ଗ୍ରାମ ପଞ୍ଚାୟତ ଅଧିନରେ ଆସୁଛି, ପଞ୍ଚାୟତ ତରଫରୁ ଏମାନଙ୍କୁ କୌଣସି ସୁବିଧା ମିଳୁନାହିଁ l ସରକାରଙ୍କ କୌଣସି ଆବାସ ଯୋଜନାରୁ ଏମାନେ ଘର ଖଣ୍ଡିଏ ମଧ୍ୟ ପାଇନାହାନ୍ତି l ରୋଗରେ ପଡିଲେ ରାସ୍ତା ନ ଥିବା ଯୋଗୁଁ ଆମ୍ବୁଲାନ୍ସ ତ ଦୂରର କଥା, ଔଷଧ ଟିକିଏ ମଧ୍ୟ ପାଇ ପାରୁନାହାନ୍ତି l ପାଠ ପଢ଼ିବା କଥା ନ କହିଲେ ଭଲ l ଘଞ୍ଚ ଜଙ୍ଗଲ ଭିତରେ ଆଠ / ଦଶ କିଲୋମିଟର ଯିବା ଛୋଟ ପିଲାଙ୍କ ପକ୍ଷରେ ସମ୍ଭବ ନୁହେଁ l ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ନିକଟରେ ନାହିଁ l ପିଲାମାନଙ୍କୁ ପାଠ ପଢ଼ିବା ପାଇଁ ପଞ୍ଚାୟତ ତରଫରୁ କୌଣସି ପ୍ରୋତ୍ସାହନ ଦିଆଯାଉ ନାହିଁ l କୌଣସି ବେସରକାରୀ ସଂସ୍ଥା ଦ୍ୱାରା ସୋଲାର ଲାଇଟର ବ୍ୟବସ୍ଥା କରାଯାଇଛି l କୁନାକାଡ଼ୁ ଗ୍ରାମର ଲୋକେ ପାଣି ପାଇଁ ପ୍ରାୟ ଏକ କିଲୋମିଟର ଦୂର ରେ ଥିବା ଝରଣା ଯାଇଥାନ୍ତି l ଏହି ଗ୍ରାମ ମାନଙ୍କରେ ବାସ କରୁଥିବା ଆଦିବାସୀ ମୁଖ୍ୟତଃ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିଥାନ୍ତି ଯେପରିକି ଝୁଣା, ମହୁ ଏବଂ ବିଭିନ୍ନ ପ୍ରକାର କନ୍ଦା ଓ ଆମ୍ବ ପଣସ, କମଳା, ଲେମ୍ବୁ, ନାରଙ୍ଗୀ ପ୍ରଭୃତି l ପାହାଡ଼ କାଟି ମାଣ୍ଡିଆ, ଝୁଡୁଙ୍ଗ, କାଙ୍ଗୁ, କାନ୍ଦୁଲ ଓ ହଳଦୀ ପ୍ରଭୃତି ଚାଷ କରିଥାନ୍ତି l କିନ୍ତୁ ଏମାନେ ଏ କୌଣସି ସରକାରୀ ସୁବିଧା ପାଉ ନାହାନ୍ତି l ତେଣୁ ସରକାର କେବଳ ଆଦିବାସୀ କଲ୍ୟାଣର ନାରା ନ ଦେଇ ଏଇ ସବୁ ଅବହେଳିତ ଗ୍ରାମ ସବୁର ବିକାଶ କରି ପାରିଲେ ହିଁ ଆଦିବାସୀଙ୍କର ପ୍ରକୃତ କଲ୍ୟାଣ ହୋଇ ପାରିବ l ପୁରନ୍ଦର ଦଣ୍ଡସେନା – ଉପାନ୍ତ ଖବର, ଲାଞ୍ଜିଗଡ଼