March 20, 2025

ଝିଅ ଓ ସ୍ତ୍ରୀକୁ ବିଷ ଦେଇ ହତ୍ଯା ଅଭିଯୋଗରେ ସ୍ବାମୀ ଗିରଫ 

Share

 

ବୁଗୁଡା : ତା ୧୯/୦୩/୨୫ : ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ପୋଚାଲୁଣ୍ଡି ଗ୍ରାମରେ ଝିଅ ଓ ସ୍ତ୍ରୀକୁ ବିଷ ଦେଇ ହତ୍ଯା କରିଥିବା ଅଭିଯୋଗ କ୍ରମେ ଦୁଇ ବର୍ଷ ପରେ ଫେରାର ସ୍ବାମୀ ଗିରଫ ହୋଇଥିବା ଜଣାଯାଇଛି। ଗିରଫ ସ୍ବାମୀ ଜଣକ ହେଲେ କୃଷ୍ଣଚନ୍ଦ୍ର ବିଷୋୟୀ । ଘଟଣାରୁ ପ୍ରକାଶ ଯେ, ଗତ ୨୪. ୫.୨୦୨୦ ତାରିଖ ଦିନ କୃଷ୍ଣଚନ୍ଦ୍ରଙ୍କ ବିବାହ ପୋଲସର ଥାନା ଅନ୍ତର୍ଗତ ମନ୍ଦାର ଗ୍ରାମର ଶଙ୍କର ମଲ୍ଲିକଙ୍କ ବଡ ଝିଅ ଆରତିଙ୍କ ସହ ହୋଇଥିଲା । ବିବାହ ସମୟରେ ବରପକ୍ଷର ଦାବି ମୁତାବକ ଜ୍ବାଇଁ ଓ ଝିଅକୁ ବିଭିନ୍ନ ସ୍ବର୍ଣ୍ଣ ଅଳଙ୍କାର, ଅନେକ ଆସବାବପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ସହ ନଗଦ ଦେଢ ଲକ୍ଷ ଟଙ୍କା ଯୌତୁକ ବାବଦକୁ କନ୍ଯା ପକ୍ଷରୁ ଦିଆଯାଇଥିଲା। ଏତିକିରେ ଆରତିର ଶଶୁର ଘର ଲୋକଙ୍କ ମନ ବୁଝିନଥିଲା। ଫଳରେ ବିବାହ ପରଠୁ ଆରତିର ସ୍ବାମୀ, ଶାଶୁ ଓ ଦେଢଶାଶୁ ସଭିଏଁ ତାକୁ ବାପଘରୁ ଗୋଟିଏ ବାଇକ୍ ଏବଂ ଦୁଇ ଲକ୍ଷ ଟଙ୍କା ଆଣିବାକୁ ଚାପ ପକାଉଥିଲେ। ଚାପ ଯୋଗୁଁ ବଡ କଷ୍ଟରେ ଶଙ୍କର ଏକ ଲକ୍ଷ ଟଙ୍କା ଯୋଗାଡ କରି ଝିଅ ଆରତିର ଶାଶୁଘରେ ଦେଇଥିଲେ ହେଁ ବଳକା ଟଙ୍କା ଓ ବାଇକ୍ ଦାବି ପୂର୍ବପରି ରହିଥିଲା। ତେବେ ୨୫.୬.୨୦୨୩ ତାରିଖ ବିଳମ୍ବିତ ରାତିରେ ଆରତି ଓ ତା’ର ଦୁଇ ବର୍ଷର ଝିଅ ବିଷ ପ୍ରକ୍ରିୟା ଯୋଗୁଁ ଅଚେତ ଅବସ୍ଥାରେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି ହୋଇଥିଲେ। ଖବର ପାଇ ଆରତିଙ୍କ ବାପା ପାହାନ୍ତିଆରେ ଭଞ୍ଜନଗର ମେଡିକାଲରେ ପହଞ୍ଚି ଝିଅ ଓ ନାତୁଣୀକୁ ମୃତାବସ୍ଥାରେ ଦେଖିଥିଲେ। ଝିଅ ଓ ନାତୁଣୀର ମୃତ୍ୟୁକୁ ନେଇ ତା’ର ଶାଶୁଘର ଲୋକଙ୍କ ବିରୁଦ୍ଧରେ ଯୌତୁକଜନିତ ହତ୍ଯା ଅଭିଯୋଗ ଆଣିଥିଲେ। ଏନେଇ ପୋଲିସ ପକ୍ଷରୁ କେସ୍ ନଂ ୪୫୭/୨୩ରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଶାଶୁ ଓ ଦେଢଶାଶୁ ଦୁହେଁ ହାଇକୋର୍ଟରୁ ଆଗୁଆ ଜାମିନ ଆଣିଥିଲେ ହେଁ ସ୍ବାମୀ କୃଷ୍ଣଚନ୍ଦ୍ର ସେବେଠାରୁ ଫେରାର ରହିଥିଲେ। ତେବେ ଫେରାର କୃଷ୍ଣଚନ୍ଦ୍ରଙ୍କୁ ଧରିବା ପାଇଁ ପୋଲିସ ଅନେକ ଥର ଉଦ୍ଯମ କରି ସଫଳ ହୋଇନଥିଲା ବେଳେ ଏବେ ବୁଗୁଡା ଥାନା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କ ନିର୍ଦ୍ଦେଶ କ୍ରମେ ବାଲିପଦର ଫାଣ୍ଡି ଅଧିକାରୀ କେ.ନିଳାଦ୍ରୀ ରେଡିଙ୍କ ନେତୃତ୍ୱରେ ଚାରି ଜଣିଆ ଏକ ପୋଲିସ ଟିମ୍ କୌଶଳରେ ଖସି ପଳାଇଯାଉଥିବା କୃଷ୍ଣଚନ୍ଦ୍ରଙ୍କୁ ବାଲିପଦର ପାଖରେ କାବୁ ସହ ଗିରଫ କରିଥିଲା ବେଳେ ଆଜି ତାଙ୍କର କୋର୍ଟ ଚାଲାଣ ହୋଇଥିବା ଜଣାଯାଇଛି।