ରାସ୍ତା ଉପରେ ମୃତ୍ୟୁର କୂଅ, ନିମ୍ନମାନର ରାସ୍ତା କାମ ଯୋଗୁଁ ଜନ ଅସନ୍ତୋଷ…
ବୁଗୁଡ଼ା : ତା ୧୯/୦୩/୨୪ : ରାସ୍ତା ଉପରେ ମୃତ୍ୟୁର କୂଅ l ଠିକାଦାରଙ୍କ ବେପରୁଆ ରାସ୍ତା କାମ ଯାତ୍ରୀଙ୍କ ଜୀବନ ପ୍ରତି ସୃଷ୍ଟି କରିଛି ବିପଦ l ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା-ନୟାଗଡ ରାଜ୍ୟ ରାଜପଥର କରସିଙ୍ଗି ଛକରେ l ଏହି ଛକରେ ସିମେଣ୍ଟ କଙ୍କ୍ରିଟ୍ ରାସ୍ତା ନିର୍ମାଣ ଚାଲିଛି ହେଲେ ରାସ୍ତା ପାର୍ଶ୍ଵର ପାଣି ନିଷ୍କାସନ ପାଇଁ ହ୍ୟୁମ୍ ପାଇପ ପକାଯାଇ ସିମେଣ୍ଟ କଙ୍କ୍ରିଟ୍ ଢ଼ଳେଇ କରାଯାଇଛି l ତେବେ ହ୍ୟୁମ୍ ପାଇପ ଫାଙ୍କରେ କଙ୍କ୍ରିଟ୍ ପରିବର୍ତ୍ତେ ବାଲି ଅଖା ରଖିଦେଇ ତାହା ଉପରେ ସିମେଣ୍ଟ କଙ୍କ୍ରିଟ୍ ଢ଼ଳେଇ କରାଯାଇଥିଲା l ଏବେ ତା’ ଉପରେ ଗାଡିମଟର ଯିବା ଫଳରେ ସେହି ସ୍ଥାନ ଦବି ଯାଇଥିବା ବେଳେ ସେହି ପାର୍ଶ୍ଵରେ ଏକ ଗର୍ତ୍ତ ସୃଷ୍ଟି ହୋଇଛି l ଗ୍ରାମବାସୀ ପାଟିତୁଣ୍ଡ କରିବା ପରେ ଉକ୍ତ ଗର୍ତ୍ତ ନିକଟରେ ଏବେ ସୂଚନା ବୋର୍ଡ ରଖା ଯାଇଛି l କେବଳ ସେହି ସ୍ଥାନ ନୁହେଁ ବାଲିପଦର ଠାରୁ କରସିଂ ପର୍ଯ୍ୟନ୍ତ ଅନେକ ସ୍ଥାନରେ ଏପରି ଅବସ୍ଥା ଦେଖିବାକୁ ମିଳୁଛି l ବୁଗୁଡ଼ା ବ୍ଲକର କରସିଙ୍ଗି ଠାରୁ ବାଲିପଦର ପର୍ଯ୍ୟନ୍ତ ରାସ୍ତାର ଉନ୍ନତି କରଣ ପାଇଁ ସରକାର ୪୨ କୋଟି ଟଙ୍କା ମଞ୍ଜୁର କରିଥିବାବେଳେ ଏହାର ନିର୍ମାଣ କାର୍ଯ୍ୟ କପିଳାସ ଇନଫ୍ରାସୋଲ ପ୍ରୋଜେକ୍ଟ ନାମକ ଏକ ଘରୋଇ ସଂସ୍ଥା ନେଇଛି l ତେବେ ଏହି ଘରୋଇ ସଂସ୍ଥା ସରକାରଙ୍କ ନିୟମକୁ ଫୁ କରି ନିମ୍ନମାନର କାର୍ଯ୍ୟ କରୁଥିବାରୁ କେଉଁଠି ସିମେଣ୍ଟ ଛାଡି ଗୁଡ଼ି ଉଠିଗଲାଣିତ ଆଉ କେଉଁଠି ପିଚୁ ମଧ୍ୟ ଉଠିଗଲାଣି, ଅଦିନିଆ ବର୍ଷାରେ ରାସ୍ତା ଦବି ଆଣ୍ଠୁଏ ଖାଲ ହୋଇ ଗଲାଣି l ଏହି ରାସ୍ତାରେ ପ୍ରତିଦିନ ଶହ ଶହ ଗାଡ଼ିମାଟର ଯାତାୟତ କରୁଥିବାବେଳେ ରାସ୍ତାର ଏଭଳି ଶୋଚନୀୟ ଅବସ୍ଥା ଯୋଗୁଁ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି ସାଙ୍ଗକୁ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣାମାନ ଘଟି ଧନ ଜୀବନ ନଷ୍ଟ ହେଉଛି l ଏ ନେଇ ବାରମ୍ବାର ପ୍ରତିବାଦ କଲେ ମଧ୍ୟ ଏଥି ପ୍ରତି କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି l ଅନୁଦାନ ଅର୍ଥକୁ ହରିଲୁଟ କରୁଛି ଠିକାଦାର l ବିଭଗୀୟ ଅଧିକାରୀ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ସାଧାରଣରେ ଜନ ଅସନ୍ତୋଷ ଦେଖାଦେଇଛି l ଯଦି ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟିଦେଇ କାର୍ଯ୍ୟର ତଦାରଖ କରନ୍ତେ ତେବେ ରାସ୍ତାର ଉପଯୁକ୍ତ ଭାବେ କାର୍ଯ୍ୟ ହେବା ସହିତ ଜନସାଧାରଣଙ୍କ ଗମନାଗମନ ସହଜ ହୋଇପାରନ୍ତା ବୋଲି ଗ୍ରାମବାସୀ ମତ ଦେଇଛନ୍ତି l