March 12, 2026

ଗଜପତି ଆଇନ ପ୍ରାଧିକରଣ ପକ୍ଷରୁ ବରିଷ୍ଠ ନାଗରିକଙ୍କ ଅଧିକାର କୁ ନେଇ ଆଇନ ସଚେତନତା ଶିବିର ଅନୁଷ୍ଠିତ 

IMG-20251118-WA0048
Share

 

ପାରଳାଖେମୁଣ୍ଡି:୧୮/୧୧(ଗରୁଡ ଧ୍ୱଜ ଚୌଧୁରୀ)ମୁରବି ବିହୀନ ସଂସାର ଠିକରେ ଆଗକୁ ବଢ଼ିପାରେ ନାହିଁ। ତେଣୁ ସମାଜରେ ଆଗକୁ ଯିବାକୁ ହେଲେ ସବୁ ସମୟରେ ଆମର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ଉପଯୁକ୍ତ ପରାମର୍ଶ ନିହାତି ଜରୁରୀ ହୋଇଥାଏ। ତେଣୁ ଏହି କଥାକୁ ଚିନ୍ତା କରି ତଥା ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ଅଧିକାର ବିଷୟରେ ସେମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବରିଷ୍ଠ ନାଗରିକ ନିମନ୍ତେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ରେଜିଷ୍ଟ୍ରାର ପ୍ରସନ୍ନ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ନିମନ୍ତେ ସରକାରଙ୍କ ତରଫରୁ ରହିଥିବା ବିଭିନ୍ନ ଯୋଜନା, ସୁବିଧା ତଥା ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କର ବିଭିନ୍ନ ଅଧିକାର ବିଷୟରେ ଉପସ୍ଥିତ ବ୍ୟକ୍ତିବିଶେଷଙ୍କୁ ସଚେତନ କରାଯାଇଥିଲା।ଏହି ଅବସରରେ ନିମନ୍ତ୍ରିତ ଅତିଥି ଭାବେ ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର, ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ଭି.ଏସ.ଏନ. ରାଜୁ ତଥା ଓକିଲ ରାଜେଶ ପାତ୍ର ପ୍ରମୁଖ ଉପସ୍ଥିତ ହୋଇ ବୟୋଜ୍ୟେଷ୍ଠ ନାଗରିକଙ୍କୁ ବିଭିନ୍ନ ବିଷୟରେ ସଚେତନ କରିବା ସହ ଆଗାମୀ ପିଢିଙ୍କୁ ସଠିକ ମାର୍ଗ ଦେଖାଇବା ନିମନ୍ତେ ନିବେଦନ କରାଯାଇଥିଲା। ସର୍ବଶେଷରେ ବରିଷ୍ଠ ନାଗରିକ ସଂଘର ଅଧ୍ୟକ୍ଷ ତଥା ଉପାଧ୍ୟକ୍ଷ ସମସ୍ତଙ୍କୁ ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ। ଏଥିସହ ୨ଟି ମୁଖ୍ୟ ଦାବି ଯଥା ଚିକିତ୍ସା ସମୟରେ ବରିଷ୍ଠ ନାଗରିକଙ୍କୁ ଅଗ୍ରାଧିକାର ଦେବା ତଥା ବ୍ୟାଙ୍କରେ ବରିଷ୍ଠ ନାଗରିକଙ୍କ ସହାୟତା ପାଇଁ ଏକ ପୃଥକ ଧାଡ଼ିର ବ୍ୟବସ୍ଥା କରିବା ସହ ବ୍ୟାଙ୍କ ତରଫରୁ ଯଥାସମ୍ଭବ ଏହି ବରିଷ୍ଠ ନାଗରିକମାନଙ୍କୁ ସହାୟତା କରିବା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ।