April 27, 2026

ଗଜପତି:- ପ୍ରଦୂଷଣ ନିୟନ୍ତ୍ରଣ ଓ ବାଲ୍ୟ ବିବାହ ନିରାକରଣ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

IMG-20260318-WA0041
Share

ଆଜିର ଶିଶୁ ଆସନ୍ତା କାଲିର ଭବିଷ୍ୟତ। ଏହି ଶିଶୁ କିପରି ଉତ୍ତମ ନାଗରିକ ହୋଇ ବାଲ୍ୟ ବିବାହ ବିରୋଧରେ ସ୍ୱର ଉତ୍ତୋଳନ କରିପାରିବେ ଏବଂ ତା ସହିତ ପରିବେଶ ସୁରକ୍ଷା କରିପାରିବେ

ଏହି କଥାକୁ ଚିନ୍ତା କରିବା ସମେତ ଛାତ୍ରଛାତ୍ରୀ ମାନଙ୍କୁ ଭବିଷ୍ୟତରେ ଆଦର୍ଶ ନାଗରିକ କରିବା ଉଦ୍ଦେଶ୍ୟ ନେଇ ଆଜି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜା’ଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ସଭା ଗୃହ ଠାରେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ପ୍ରଦୂଷଣ ନିୟନ୍ତ୍ରଣ ଓ ବାଲ୍ୟ ବିବାହ ନିରାକରଣ ସମ୍ପର୍କିତ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲା ଆଇନସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତି’ଙ୍କ ନିର୍ଦ୍ଦେଶ କ୍ରମେ ଏହି ଆଇନ ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲା ସିଭିଲ କୋର୍ଟ’ର ରେଜିଷ୍ଟ୍ରାର ଶ୍ରୀ ପ୍ରସନ୍ନ କୁମାର ବେହେରା ଅଧ୍ୟକ୍ଷତା କରି ଉପସ୍ଥିତ ବାଳକ ମାନଙ୍କୁ ଭଲ ପାଠ ପଢିବା ସହ ଭବିଷ୍ୟତରେ ସୁନାଗରିକ ହୋଇ କିପରି ସୁନାମ ଆଣିବେ ସେ ନେଇ ସଚେତନ କରାଇଥିଲେ ଏବଂ ଆଗକୁ ଆସୁଥିବା ଗ୍ରୀଷ୍ମଋତୁ ପୂର୍ବରୁ ସମସ୍ତଙ୍କୁ ବ୍ୟାପକ ଭାବେ ବୃକ୍ଷରୋପଣ କରିବା ନିମନ୍ତେ ଆହ୍ୱାନ ଦେଇଥିଲେ।

ଏହି ଅବସରରେ ନିମନ୍ତ୍ରିତ ଅତିଥି ଭାବେ ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ପ୍ରଦୂଷଣ ରୋକିବା ଉପରେ ବିଭିନ୍ନ ଉପାଦେୟ ତଥ୍ୟ ଦେଇଥିଲେ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ବାଲ୍ୟ ବିବାହ ରୋକିବା ନେଇ ରହିଥିବା ବିଭିନ୍ନ ଆଇନ ଉପରେ ସମସ୍ତଙ୍କୁ ସୂଚନା ଦେଇଥିଲେ। ସେହିଭଳି ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ଗୌରହରି କରସୁଧା ପଟ୍ଟନାୟକ ଛାତ୍ରମାନଙ୍କୁ ଜୀବନର ଲକ୍ଷ୍ୟ ଉପରେ ଉଦବୋଧନ ଦେଇଥିଲେ ଏବଂ ବିଦ୍ୟାଳୟର ପୂର୍ବତନ ଛାତ୍ର ଓ ଜେଏମ୍ଏଫସି କୋର୍ଟର ଏ.ପି.ପି. ଏଡ଼ଲା ଶିବ କୁମାର ନିଜର ପୁରୁଣା ସ୍ମୃତି ରୋମନ୍ଥନ କରିଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଏସ. ଗିରିଧାରୀ ରାଓ ଓ ଗୋଶାଣୀ ବ୍ଲକ ଶିକ୍ଷା ଅଧିକାରୀ ସୋମେଶ୍ୱର ରାଓ ପ୍ରମୁଖ ଉପସ୍ଥିତ ହୋଇ ବିଭିନ୍ନ ଆଇନ ବିଷୟରେ ସଚେତନ କରିଥିଲେ।

ସର୍ବଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମୋନାଲିସା ଦାସ ଉପସ୍ଥିତ ସମସ୍ତଙ୍କୁ ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ।

ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମଚାରୀ ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମିଳିତ ସହଯୋଗରେ ଉକ୍ତ କାର୍ଯ୍ୟକ୍ରମଟି ସଫଳତାର ସହ ଶେଷ ହୋଇଛି।

——————————————–

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

——————————————–