August 18, 2026

ନବରଙ୍ଗପୁର ଜିଲ୍ଲା ଝରିଗାଁ ରେ ଘାସମରା ବିଷରେ ୧୦ ମେଣ୍ଢା ଓ ମହିଷୀ ମୃତ, ନୀଳଗିରି ଚାଷକୁ ନେଇ ଉଠିଲା ପ୍ରଶ୍ନ………..

IMG-20260817-WA0047
Share

ନବରଙ୍ଗପୁର:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଝରୀଗାଁ ଥାନା ଅଞ୍ଚଳର ସାନଟେମରା ଗ୍ରାମ ନିକଟରେ ଘାସମରା ବିଷ ପ୍ରୟୋଗ ଯୋଗୁଁ ୧୦ଟି ମେଣ୍ଢା ଓ ଗୋଟିଏ ମହିଷୀର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ସାନଟେମରା ଗ୍ରାମର ମଳି ରାମ ଜାନି ଝରୀଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଗ୍ରାମ ନିକଟସ୍ଥ ସରକାରୀ ଗୋଚର ଜମିରେ ରାଣୀଚଚରା ଗ୍ରାମର ଅଶୋକ ମଣ୍ଡଳ ନୀଳଗିରି ଗଛ ଲଗାଇଥିଲେ। ଗତ ୧୪ ତାରିଖରେ ସେଠାରେ ଘାସମରା ବିଷ ପ୍ରୟୋଗ କରାଯାଇଥିବା ଅଭିଯୋଗ ହୋଇଛି। ବିଷ ପ୍ରୟୋଗ ନକରିବାକୁ ମଳି ରାମ ବାରଣ କରିଥିଲେ ମଧ୍ୟ ତାଙ୍କ କଥା ଶୁଣାଯାଇନଥିବା ଅଭିଯୋଗରେ ଦର୍ଶାଯାଇଛି।

ପରେ ମଳି ରାମ ତାଙ୍କ ୧୦ଟି ମେଣ୍ଢା ଓ ଜଳ ଗୌଡ଼ଙ୍କ ଗୋଟିଏ ମହିଷୀକୁ ଚରାଇବାକୁ ନେଇଥିଲେ। ସନ୍ଧ୍ୟାରେ ବର୍ଷା ପରେ ପଶୁମାନଙ୍କୁ ଘରକୁ ଫେରାଇ ଆଣୁଥିବା ବେଳେ ରାସ୍ତାକଡ଼ର ଘାସ ଖାଇବା ଓ ପାଣି ପିଇବା ପରେ ସେମାନେ ହଠାତ୍ ଅସୁସ୍ଥ ହୋଇ ମୃତ୍ୟୁବରଣ କରିଥିବା ମଳି ରାମ ଅଭିଯୋଗ କରିଛନ୍ତି। ଏଥିରେ ପ୍ରାୟ ୨ ଲକ୍ଷ ଟଙ୍କାର କ୍ଷତି ହୋଇଥିବା ସେ ଦର୍ଶାଇଛନ୍ତି।

ଏହାସହ ଘଟଣା ସମ୍ପର୍କରେ ଅଶୋକ ମଣ୍ଡଳଙ୍କୁ ପଚାରିବାରୁ ସେ ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ଏନେଇ ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ସହ କ୍ଷତିପୂରଣ ପ୍ରଦାନ ପାଇଁ ମଳି ରାମ ଦାବି କରିଛନ୍ତି। ସରକାରୀ ଜମିରେ ନୀଳଗିରି ଚାଷକୁ ନେଇ ପ୍ରଶ୍ନ ଅନ୍ୟପକ୍ଷରେ, ସାନଟେମରା ଗ୍ରାମ ନିକଟରେ ୨୦ ଏକରରୁ ଊର୍ଦ୍ଧ୍ୱ ସରକାରୀ ଗୋଚର ଓ ଜଙ୍ଗଲ ଜମିରେ ନୀଳଗିରି ଚାଷ କରାଯାଇଥିବା ନେଇ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଅଭିଯୋଗ ଉଠିଛି। କେବଳ ସାନଟେମରା ନୁହେଁ, ଝରୀଗାଁ ବ୍ଲକର ବିଭିନ୍ନ ଅଞ୍ଚଳରେ ମଧ୍ୟ ନୀଳଗିରି ଚାଷ ବଢ଼ୁଥିବା ନେଇ ଲୋକେ ଚିନ୍ତା ପ୍ରକାଶ କରିଛନ୍ତି। ସରକାରୀ ଗୋଚର ଓ ଜଙ୍ଗଲ ଜମିରେ ଏଭଳି ଚାଷ ପାଇଁ କାହାର ଅନୁମତି ରହିଛି, ଜମିର ସ୍ୱରୂପ ପରିବର୍ତ୍ତନ ପାଇଁ କୌଣସି ଅନୁମୋଦନ ନିଆଯାଇଛି କି ନାହିଁ ଏବଂ ଏହା ଉପରେ ଜଙ୍ଗଲ ବିଭାଗ ଓ ରାଜସ୍ୱ ବିଭାଗ ପକ୍ଷରୁ କି ପଦକ୍ଷେପ ନିଆଯାଇଛି ତାହାକୁ ନେଇ ପ୍ରଶ୍ନ ଉଠିଛି।

ସ୍ଥାନୀୟ ଚାଷୀଙ୍କ ଅଭିଯୋଗ ହେଉଛି, ବ୍ୟାପକ ଭାବେ ନୀଳଗିରି ଚାଷ ହେଲେ ଚାଷଜମି, ଜଳସ୍ତର ଓ ପରିବେଶ ଉପରେ ପ୍ରଭାବ ପଡ଼ିପାରେ। ତେଣୁ ସରକାରୀ ଜମିରେ ନୀଳଗିରି ଚାଷର ବୈଧତା, ଜମିର ମାଲିକାନା ଓ ଅନୁମତି ସମ୍ପର୍କରେ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଲୋକେ ଦାବି କରିଛନ୍ତି। ସରକାରୀ ଗୋଚର ଓ ଜଙ୍ଗଲ ଜମିର ସୁରକ୍ଷା ସହ ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଜଙ୍ଗଲ ବିଭାଗ ଓ ପ୍ରଶାସନ କେବେ ପଦକ୍ଷେପ ନେବ, ତାହା ଏବେ ବଡ଼ ପ୍ରଶ୍ନ। ଘାସମରା ବିଷ ପ୍ରୟୋଗ ଓ ପଶୁ ମୃତ୍ୟୁ ଘଟଣାର ସତ୍ୟାସତ୍ୟ ମଧ୍ୟ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ। ତଦନ୍ତ ଅଫିସର୍ ସବ୍ ଇନ୍ସପେକ୍ଟର ଲକ୍ଷ୍ମୀ ନାରାୟଣ ଦୋରାଙ୍କ ନେତୃତ୍ୱରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ ସହ ବ୍ୟବଚ୍ଛେଦ କରାଯାଇଛି। ଅଭିଯୁକ୍ତ ଅଶୋକ ମଣ୍ଡଳ ଙ୍କୁ ଥାନା ଡକାଇ ପୋଲିସ ପଚାରା ଉଚ୍ଚାରା ଚଳାଇଛି ଏବଂ ୧୬୦ କେସ ନଂ ରେ ମାମଲା ରୁଜ୍ଜୁ କରିଥିବା ସବ୍ ଇନ୍ସପେକ୍ଟର ଦୋରା ସୂଚନା ଦେଇଛନ୍ତି।

You may have missed