ଖୋରଧା ରେ ରୋଷେଇ ଗ୍ୟାସ କୁ ନେଇ ସଙ୍କଟଜନକ ସ୍ଥିତି , ବୁକିଂ ର ୨୫ ଦିନ ପରେ ମଧ୍ୟ ଖାଉଟି ଙ୍କୁ ମିଳୁନି ରନ୍ଧନ ଗ୍ୟାସ

ଖୋରଧା -(ପ୍ରିୟଙ୍କା ମହାପାତ୍ର)- ଖୋରଧା ସହର ସମେତ ଏହାର ଆଖପାଖ ଅଞ୍ଚଳରେ ରୋଷେଇ ଗ୍ୟାସ କୁ ନେଇ ସଙ୍କଟ ଜନକ ସ୍ଥିତି ସୃଷ୍ଚି ହୋଇଛି l ପଶ୍ଚିମ ଏସିଆ ରେ ଚାଲିଥିବା ଯୁଦ୍ଧ ଓ ଆନ୍ତର୍ଜାତୀୟ ବଜାର ରେ ଅସ୍ଥିରତା ଯୋଗୁଁ ଯୋଗାଣ ବାଧା ପ୍ରାପ୍ତ ହେବାରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଗ୍ୟାସ ବିତରଣ କେନ୍ଦ୍ର ସାମ୍ନା ରେ ବହୁ ସଂଖ୍ୟାରେ ଗ୍ରାହକ ରାତି ଅଧରୁ ନିଜର ଗ୍ୟାସ ସିଲିଣ୍ଡର ଧରି ଲମ୍ବା ଲାଇନ ରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି l ଗତ ୨୦ ରୁ ୨୫ ଦିନ ହେବ ବୁକିଂ ହୋଇଥଲେ ମଧ୍ଯ ହୋମ ଡେଲିଭରୀ ମିଳୁ ନାହିଁ, ଯାହାଫଳରେ ଲୋକେ ବାଧ୍ୟ ହୋଇ ନିଜେ ସିଲଣ୍ଡର ନେବାକୁ ଗ୍ୟାସ ବିତରଣ କେନ୍ଦ୍ରରେ ଭିଡ ଜମାଉଛନ୍ତି l ଯୁଦ୍ଧ ପ୍ରଭାବ ଯୋଗୁଁ ବିଶ୍ୱସ୍ତରରେ ଗ୍ୟାସ ର ଅଭାବ ଓ ଦର ବୃଦ୍ଧି ହୋଇଛି l ଗତ ୭ମାର୍ଚ୍ଚ ରୁ ଘରୋଇ ଗ୍ୟାସ ସିଲିଣ୍ଡର ପିଛା ୬୦ ଟଙ୍କା ବୃଦ୍ଧି ପାଇବା ପରେ ଏହାର ଦାମ ୯୩୯ ଟଙ୍କା ରେ ପହଞ୍ଚିଛି l ହୋର୍ଡିଂ ରୋକିବା ପାଇଁ ଵୁକିଂ ମଧ୍ଯ ରେ ୨୫ ଦିନ ର ବ୍ୟବଧାନ ରଖିବାକୁ ନିୟମ କରଯାଇଛି ଯାହା ଗ୍ରାହକଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି l ସରକାର ଓ ତୈଳ କମ୍ପାନୀ ଗୁଡିକ ଗ୍ୟାସ ଯୋଗାଣ ସ୍ୱାଭାବିକ କରିବାକୁ ଆଶ୍ୱାସନା ଦେଉଥିଲେ ମଧ୍ୟ, ଗ୍ରାଉଣ୍ଡ ଜିରୋ ରେ ପରିସ୍ଥିତି ଏବେ ବି ଜଟିଳ ରହିଛି ଏବଂ ଲୋକେ କଳାବଜାରୀ ର ଭୟ ରେ ଆତଙ୍କିତ ହୋଇପଡିଛନ୍ତି l ୧୦୦୦ ଟଙ୍କା ମଧ୍ୟ ରେ ମିଳୁଥିବା ଗ୍ୟାସ ସିଲିଣ୍ଡର ଏବେ ଚୋରାରେ ୧୮ଶହରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଖୋରଧା ଅଞ୍ଚଳ ରେ ବିକ୍ରି ହେଉଥିବା ଅଭିଯୋଗ ହେଉଛି l ଏବେ ବଜାର ରେ ଗ୍ୟାସ ମିଳୁନଥିବା ବେଳେ, ଜାଳେଣି ଅଭାବ ଯୋଗୁଁ ରୋଷେଇ ବାଧାପ୍ରାପ୍ତ ହେଉଛି l ଗ୍ୟାସ ସିଲିଣ୍ଡର ଅଭାବ ରୁ ଲୋକେ ଏବେ ବୈଦ୍ୟୁତିକ ଇଣ୍ଡକ୍ସନ ଚୁଲା ମୁହାଁ ହେଲେଣି l ପୁର୍ବରୁ ଇଣ୍ଡକ୍ସନ ଚୁଲା ର ଚାହିଦା ସେତେଟା ନଥିବା ବେଳେ ଏବେ ଏହାର ଚାହିଦା ଅହେତୁକ ଭାବେ ବୃଦ୍ଧି ପାଇଛି l ଗ୍ୟାସ କଳାବଜାର ରୋକିବା ପାଇଁ ଖୋରଧା ଜିଲ୍ଲା ପ୍ରସାଶନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଥିବା କୁହାଯାଉଛି l
