March 17, 2025

ବୁଗୁଡ଼ାରେ ପଲିଥିନ ନିଷିଦ୍ଧ ନିୟମ ଉଲଙ୍ଘନ, ପ୍ରଶାସନିକ ପଦକ୍ଷେପ ଶୂନ ! 

Share

ବୁଗୁଡ଼ା :ତା ୧୭/୦୩/୨୫ : ବୁଗୁଡା ଅଞ୍ଚଳରେ ବହୁଳ ମାତ୍ରାରେ ପଲିଥିନ ବ୍ୟବହାର ହେଉଛି । ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ପରିବେଶବିତମାନେ ପଲିଥିନର ବ୍ୟବହାର ଉପରେ କଟକଣା କରିବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣକରି ଥିଲେ |ଏନେଇ ତତ୍କାଳୀନ ରାଜ୍ୟ ସରକାର ମଧ୍ୟ ପଲିଥିନର ବହୁଳ ବ୍ୟବହାର ଉପରେ ୨୦୦୪ ମସିହା ଜାନୁୟାରୀ ୨୬ ତାରିଖରେ କଟକଣା ଲାଗୁ କରିବା ସହିତ କୋଡିଏ ମାଇକ୍ରନ ପଲିଥିନ ବ୍ୟବହାର ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ଇତି ମଧ୍ୟରେ ଦୀର୍ଘବର୍ଷ ବିତିଯାଇଥିଲେ ମଧ୍ୟ ଏହି ନିର୍ଦ୍ଦେଶନାମା ସରକାରୀ କଳର ନାଲିଫିତା ତଳେ ରହିଯାଇଥିବାରୁ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେବାସହ ଅସନ୍ତୋଷ ସୃଷ୍ଟି କରିଛି । ବୁଗୁଡା ସହରାଞ୍ଚଳ ସମେତ ଗ୍ରାମାଞ୍ଚଳରେ ମଧ୍ୟ ବହୁଳ ମାତ୍ରାରେ ପଲିଥିନ ବ୍ୟବହାର ହେଉଥ‌ିବାରୁ ତାହା ପରିବେଶକୁ ଦୂଷିତ କରୁଥ‌ିବା ଦୃଷ୍ଟିଗୋଚର ହେଉଛି। ଏପରିକି ତେଜରାତି ଦୋକାନ, ମାଛ, ମାଂସ, ଜଳଖିଆ, ପରିବା ଓ ଅନ୍ୟାନ୍ୟ ଦୋକାନମାନଙ୍କରେ ଏହାର ବ୍ୟବହାର ବହୁଳ ମାତ୍ରାରେ ହେଉଥ‌ିବା ବେଳେ ଏହା ବ୍ୟବହାର ପରେ ଲୋକେ ଗଳିକନ୍ଦି, ରାସ୍ତାଘାଟ, ନାଳ ନର୍ଦ୍ଦମାରେ ଫିଙ୍ଗି ଦେଉଥ‌ିବା ଦେଖ‌ିବାକୁ ମିଳୁଛି। ତେବେ ଏହି ପଲିଥିନ ନଷ୍ଟ ନହେବା ଫଳରେ ଚାଷ ଜମିରେ, ରାସ୍ତାକଡ଼ରେ ପଡିରହୁଛି। ଯାହାଫଳରେ କୁଢକୁଢ ଆବର୍ଜନାରେ ପରିବେଶ ଦୂଷିତ ହେବା ସହିତ ଦୁର୍ଗନ୍ଧରେ ନାକ ଫାଟି ପଡୁଛି। ସ୍ଥାନୀୟ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବା ସହିତ ଜନସାଧାରଣଙ୍କୁ ପଲିଥିନ ବ୍ୟବହାରର କୁପରିମାଣ ବିଷୟରେ ସଚେତନତା ନ କରନ୍ତି ତେବେ ଆଗାମୀ ଦିନରେ ପରିବେଶ ଅଧିକ ଦୂଷିତ ହେବାର ସମ୍ଭାବନା ରହିଛି।ଏଥି ପ୍ରତି ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଇ ପରିବେଶ ସୁରକ୍ଷା ଦିଗରେ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ଏବଂ ବିଭିନ୍ନ ମହଲରେ ଦାବି ହେଉଛି ।

You may have missed