ରାଜସୁନାଖଳାକୁ ଏନ.ଏ.ସି କରିବା ଦାବୀରେ ଜନ ଆନ୍ଦୋଳନ ଓ ପ୍ରତିବାଦ ସଭା ଅନୁଷ୍ଠିତ…
ରାଜସୁନାଖଳା,(ଉପାନ୍ତ ଖବର): ରଣପୁର ବ୍ଳକ ରାଜସୁନାଖଳା ଗ୍ରାମ ପଞ୍ଚାୟତକୁ ଏନ.ଏ.ସି ପାଇଁ ଓଡିଶା ସରକାର ଯଥେଷ୍ଟ ପୂର୍ବରୁ ଘୋଷଣା ସହ ବିଧାନସଭାରେ ତତକାଳୀନ ନଗର ଉନ୍ନୟନ ମନ୍ତ୍ରୀ ଏଥି ପାଇଁ ପ୍ରସ୍ତାବ ଅଛି ବୋଲି ଘୋଷଣା କରିଥିଲେ, କିନ୍ତୁ ଚଳିତ ବର୍ଷ ୨୦୨୪ରେ ନଗର ଉନ୍ନୟନ ବିଭାଗ ତରଫରୁ ୦୨ଟି ପର୍ଯ୍ୟାୟରେ ଏନ.ଏ.ସି ଘୋଷଣା ହୋଇଥିବା ବେଳେ ରାଜସୁନାଖଳାକୁ ଏନ.ଏ.ସିରୁ ବାଦ ଦେବା ସମଗ୍ର ରାଜସୁନାଖଳା ଓ ନରେନ୍ଦ୍ରପୁର ଗ୍ରାମ ପଂଚାୟତବାସୀଙ୍କ ଭାବାବେଗକୁ ଗଭୀର ଆଘାତ ଦେଇଅଛି l ଯେହେତୁ ଏନ.ଏ.ସି ମାନ୍ୟତା ପାଇଁ ଭୌଗଳିକ,ଜନସଂଖ୍ୟା,ଗମନାଗମନ ଓ ବିଭିନ୍ନ ପାରିପାଶ୍ଵିକ ଦୃଷ୍ଟି କୋଣକୁ ଲକ୍ଷ କରି ନିଷ୍ପିତ ନିଆଯାଇଥାଏ, ଯେଉଁଥିପାଇଁ କି ରାଜସୁନାଖଳା ଅଞ୍ଚଳ ଯୋଗ୍ୟ ଅଟେ କିନ୍ତୁ କିଛି ରାଜନୈତିକ ବ୍ୟକ୍ତି ନିଜ ରାଜନୈତିକ ଜୀବନ ଉତଥାନ ପାଇଁ କୂଚକ୍ରାନ୍ତ କରି ଏହାକୁ ଏନ.ଏ.ସି ନହେବା ପାଇଁ ଆପ୍ରାଣ ଉଦ୍ୟମ କରୁଆସୁଛନ୍ତି ତାଙ୍କ ବିରୋଧରେ ବି ଜନସାଧାରଣ ଆସନ୍ତୋଷ ପ୍ରକଟ କରିଛନ୍ତି। କାରଣ ୨୦୧୧ ଜନଗଣନା ଅନୁଯାୟୀ ରାଜସୁନାଖଳା ଗ୍ରାମ ପଞ୍ଚାୟତ ଜନସଂଖ୍ୟା ୯୯୬୭ ହୋଇଥିବା ବେଳେ ଅଦ୍ୟବିଧି ଏହା ୧୫୦୦୦ରୁ ଉର୍ଦ୍ଧ ହେବେ ତତସହିତ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତ କୁ ଯୋଡି ଏହା କରାଯାଇଥିଲା l ସେହିଭଳି ଏହି ଅଞ୍ଚଳ ନୟାଗଡ ଓ ଖୋର୍ଦ୍ଧା ଜିଲ୍ଲାର ମଧ୍ୟଭାଗ ସହ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ, ରାଷ୍ଟ୍ରୟତ ବ୍ୟାଙ୍କ, ଡିଆଇଇଟି,ଫାଣ୍ଡି ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ମାନ ରହିଅଛି l ତେଣୁ ସବୁଦୃଷ୍ଟିରୁ ଦେଖିବାକୁ ଗଲେ ରାଜସୁନାଖଳା ଏନ.ଏ.ସି ହେବା ପାଇଁ ଉପଯୁକ୍ତ ଅଞ୍ଚଳ ଅଟେ l ତେଣୁ କେଉଁ ପରିସ୍ଥିତିରେ ରାଜସୁନାଖଳା ଏନ.ଏ.ସି ହେବାରୁ ବଞ୍ଚିତ ହେଲା, ଏହାଜାଣି ଉକ୍ତ ବୈଠକରେ ଉପସ୍ଥିତ ଥିବା ରାଜସୁନାଖଳା ଓ ନରେନ୍ଦ୍ରପୁର ବାସୀ ବୃନ୍ଦ ଗଭୀର ଅସନ୍ତୋଷ ପ୍ରକଟକରିଛନ୍ତି l ଆଜି ଏହାର ପ୍ରତିବାଦ ଓ ତୁରନ୍ତ ରାଜସୁନାଖଳାକୁ ଏନ.ଏ.ସି ଦାବୀ ସ୍ବରପ ଏହି ଆନ୍ଦୋଳନାତ୍ମକ ବୈଠକ ରାଜସୁନାଖଳାର ଭକ୍ତଚରଣ ପୁସ୍ତକ ମେଳା କମିଟିର ମୁଖ୍ୟ ସଂଯୋଜକ ତଥା ଯୁବ ଆଇନଜୀବି ରାଜିବ ଲୋଚନ ପ୍ରଧାନଙ୍କ ସଭାପତିତ୍ୱ ଓ ରାଜସୁନାଖଳା ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ସଂଯୋଜନା କ୍ରମେ ଅନୁଷ୍ଠିତ ହୋଇଯାଇଅଛି l ଏହି ଆନ୍ଦୋଳନାତ୍ମକ ବୈଠକରେ ଯୁବନେତା ସ୍ବର୍ଣ୍ଣପ୍ରକାଶ ରାଉତରାୟ, ରାଜସୁନାଖଳା ସମିତିସଭ୍ୟ ତପନ ପ୍ରଧାନ, ବରିଷ୍ଟ ସାମ୍ବାଦିକ କିଶୋର ରାଉତରାୟ, ବବିତା ସାହୁ, ବିଶ୍ୱନାଥ ବରାଡ଼, ମାଧବ ପ୍ରଧାନ, ବାସନ୍ତି ମହାପାତ୍ର,ସୁଧାଂଶୁ ଶେଖର ପ୍ରଧାନ, ସତ୍ୟଜିତ ସାହୁ, ଅତୁଲ ପ୍ରଧାନ, ବସନ୍ତ କୁମାର ସାହୁ,ଦୁର୍ଗା ଚରଣ ମହାପାତ୍ର, ଉପେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିବା ସହ ବିଭିନ୍ନ ସଂଗଠନ ଯଥା ବିନାୟକ ଯୁବକ ସଂଘ, ବେଢାକାଳୀକା ଯୁବକ ସଂଘ, ମହାବୀର ବରିଷ୍ଟ ନାଗରିକ ସଂଘ,ଦୁର୍ଗା ବଜାର ବଣିକ ସଂଘ,ଭକ୍ତଚରଣ ପୁସ୍ତକ ମେଳା କମିଟି, ଉତ୍କଳୀୟମ ଫାଉଣ୍ଡେସନ, ଆଞ୍ଚଳିକ ସାମ୍ୱାଦିକ ସଂଘ, ବଧିପଟଣା ଗ୍ରାମ୍ୟ କମିଟିର ନିଜର ସମର୍ଥନ ଜଣାଇଛନ୍ତି l ଆଗାମୀ ଦିନରେ ଯେପର୍ଯ୍ୟନ୍ତ ରାଜସୁନାଖଳା ଏନ.ଏ.ସି ନହୋଇଛି ସେଥିପାଇଁ ଏକ ବଡଧରଣର ଜନଆନ୍ଦୋଳନ କରାଯିବ ବୋଲି ମହାବୀର ବରିଷ୍ଟ ନାଗରିକ ମହାସଂଘର କାର୍ଯ୍ୟକାରୀ ସଭାପତି ଶିଶିର କୁମାର ସାହୁ ଜଣାଇଛନ୍ତି l
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ)