February 22, 2025

ଆଇନଜୀବୀଙ୍କ ସହାୟତାରେ କୁମ୍ଭମେଳାରେ ହଜିଯାଇଥିବା ବୃଦ୍ଧା ଉଦ୍ଧାର

Share

 

ଛତ୍ରପୁର -୧୭/୨/୨୫(ଅରୁଣ କୁମାର ପଣ୍ଡା )୧୪୪ ବର୍ଷ ପରେ ପଡୁଥିବା ଏହି ବିଶ୍ୱ ପ୍ରସିଦ୍ଧ କୁମ୍ଭମେଳା ଦେଖିବାକୁ ତଥା ସାଧୁସନ୍ଥଙ୍କର ଆଶୀର୍ବାଦ ନେବାକୁ ଚାରିଆଡୁ ପ୍ରୟାଗରାଜକୁ ଭକ୍ତଙ୍କ ସୁଅ ସୁଟୁଛି। ସେହିପରି ଓଡ଼ିଶାର ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ତେନ୍ତୁଳିଆପଡ଼ା ଗ୍ରାମର ସତ୍ୟଭାମା ଜାଲି (୭୪ବର୍ଷ) ନିଜ ପୁଅ ସତ୍ୟନାରାୟଣ ଜାଲିଙ୍କ ସହ ବୁଲିବାକୁ ଯାଇଥିଲେ। କିନ୍ତୁ ବାରଣାସୀରେ କାଶୀ ବିଶ୍ୱନାଥ ମନ୍ଦିର ଦର୍ଶନ କରିବା ପରେ ନିଜ ପୁଅ ଠୁ ଅଲଗା ହୋଇ ନୀଳାଚଳ ଏକ୍ସପ୍ରେସରେ ଆସି ବସିପଡିଥିଲେ। ପରେ ସୌଭାଗ୍ୟ କ୍ରମେ ଛତ୍ରପୁରର ଆଇନଜୀବୀ ସୁରେନ୍ଦ୍ର ପଣ୍ଡାଙ୍କ ନଜରରେ ଆସିଥିଲେ। ପରେ ଶ୍ରୀ ପଣ୍ଡା ସେହି ମହିଳାଙ୍କୁ ନିଜର ପରିଚୟ ପଚାରିବାରୁ ସେହି ମହିଳା ନିଜ ଗାଁ ନାମ ଓ ପୁଅ ନାମ କହିଥିଲେ କିନ୍ତୁ ଆଉ ବିଶେଷ କିଛି କହିପାରିନଥିଲେ। ପରେ ସୁରେନ୍ଦ୍ର ପଣ୍ଡା ଛତ୍ରପୁର ଏସଡ଼ିଜେଏମ୍ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ରଙ୍କୁ ଯୋଗାଯୋଗ କରି ସହାୟତା ଲୋଡିଥିଲେ। ଶ୍ରୀ ମିଶ୍ର ନିଜ ସହ ସବୁବେଳେ ରହିଥିବା ସ୍ବେଚ୍ଛାସେବୀଙ୍କୁ ଏ ନେଇ ଜଣାଇବା ପରେ ମାତ୍ର କିଛି ସମୟ ମଧ୍ୟରେ ସେହି ବୃଦ୍ଧାଙ୍କ ଠିକଣା ଜଣାପଡିଯାଇଥିଲା ଓ ସ୍ବେଚ୍ଛାସେବୀ ଏସ ରାମକ୍ରିଷ୍ଣା ରେଡ୍ଡିଙ୍କ ସହାୟତାରେ ସେହି ମହିଳାଙ୍କ ପରିବାରକୁ ସୂଚନା ଦେଇଥିଲେ। ପରେ ସେହି ଦିନ ରାତିରେ ସୁରେନ୍ଦ୍ର ପଣ୍ଡା ଖୋର୍ଦ୍ଧା ଷ୍ଟେସନରେ ଏହି ବୃଦ୍ଧା ମହିଳାଙ୍କୁ ରେଳବାଇ ପୋଲିସକୁ ହସ୍ତାନ୍ତର କରି ପୁରୀ ଅଭିମୁଖେ ଯାତ୍ରା କରିଥିଲେ ଓ ତା’ ପରଦିନ ସକାଳ ସମୟରେ ତାଙ୍କ ଘର ଲୋକ ଆସି ତାଙ୍କୁ ନେଇଯାଇଥିଲେ। ଏହି ଖବର ଶୁଣିବା ପରେ ଛତ୍ରପୁର ଓକିଲ ସଂଘର ସମସ୍ତ ସଦସ୍ୟ ଶ୍ରୀ ପଣ୍ଡାଙ୍କର ଏହି କାର୍ଯ୍ୟ ପାଇଁ ସାଧୁବାଦ ଜଣାଇଛନ୍ତି।