ଫେବ୍ରୁୟାରୀ ୨୧ରୁ ମାଟ୍ରିକ୍ ପରୀକ୍ଷା, ୨୪ ଘଣ୍ଟିଆ ପୋଲିସ ପ୍ରହରାରେ ପ୍ରଶ୍ନପତ୍ର

ବୁଗୁଡ଼ା : ତା ୧୭/୦୨/୨୫ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଏ ବର୍ଷ ୨୧ ଫେବୃୟାରୀରୁ ମାର୍ଚ୍ଚ ୬ ପର୍ଯ୍ୟନ୍ତ ହେବାକୁ ଥିଲାବେଳେ ରବିବାର ରାତିରେ ପ୍ରଶ୍ନପତ୍ର ଆସି ବୁଗୁଡାରେ ପହଞ୍ଚିବା ପରେ ତାହାକୁ ତହସିଲଦାର ତାପସ ରାଉତ ଓ ପୋଲିସର ଉପସ୍ଥିତିରେ ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ନୋଡାଲ ସେଣ୍ଟର ଷ୍ଟ୍ରଙ୍ଗରୁମରେ ରଖାଯିବା ପରେ ୨୪ ଘଣ୍ଟିଆ ପୋଲିସ ପ୍ରହରା ସହ କଡା ସୁରକ୍ଷା ବ୍ଯବସ୍ଥା କରାଯାଇଥିବା ଜଣାଯାଇଛି । ବୁଗୁଡ଼ା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯାଳୟ ଅଧିନସ୍ଥ ୧୦ଟି ପରୀକ୍ଷା କେନ୍ଦ୍ରରେ କିପରି ସୁରକ୍ଷିତ ଭାବେ ପ୍ରଶ୍ନପତ୍ର ପହଞ୍ଚି ପାରିବ ସେନେଇ ନୋଡାଲ ସେଣ୍ଟର ସୁପରିଟେଣ୍ଡେଣ୍ଟ୍ କାଳୀ ଚରଣ ବେହେରା ଓ ଡେପୁଟି ସୁପରିଟେଣ୍ଡେଣ୍ଟ୍ ଶଙ୍କର ଦାସଙ୍କ ନେତୃତ୍ବରେ ବ୍ଯାପକ ପଦକ୍ଷେପ ଗ୍ରହଣ କରାଯାଇଛି । ପିପୁଲ୍ସ ହାଇସ୍କୁଲ ନୋଡାଲ୍ ସେଣ୍ଟର ଅଧିନରେ ବାଲିପଦର ହାଇସ୍କୁଲ , ପଙ୍କଳବାଡି ଆର.ଏ.ହାଇସ୍କୁଲ , ପୋଚାଲୁଣ୍ଡି ମା କାଳୀ କୃଷକ ବିଦ୍ଯାପୀଠ, ତାଳସାକର ମହାମାୟୀ ହାଇସ୍କୁଲ , ବୁଗୁଡ଼ା ଏସ୍.ବି.ଏନ୍ ଗାର୍ଲସ୍ ହାଇସ୍କୁଲ ଓ ପିପୁଲ୍ସ ହାଇସ୍କୁଲ , ବୀରଧନଞ୍ଜୟପୁର ବୁଦ୍ଧଗିରି ବିଦ୍ୟାପୀଠ , ବି.କରଡ଼ାବାଡ଼ିର ଏସ୍.ଏ.ବିଦ୍ଯାପୀଠ , ମାଣିତରା ରିଜିଓନାଲ ହାଇସ୍କୁଲ , କରଚୁଲି ଶକୁନ୍ତଳା ବିଦ୍ୟାପୀଠ ଆଦି ୧୦ଟି ପରୀକ୍ଷା କେନ୍ଦ୍ର ରହିଥିବା ବେଳେ ଏ ସମସ୍ତ କେନ୍ଦ୍ରରେ ମୋଟ ୧୭୪୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ନେଇ ଜଣାଯାଇଛି।