ସମ୍ବାଦ ର ପ୍ରଭାବ ସାରଳା ପୀଠ ନବୀକରଣ ପାଇଁ, ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ..
ତିର୍ତ୍ତୋଲ–16/11/2025 ବିଗତ ସରକାର ଙ୍କ ସମୟରେ ବୟାଳିଶି କୋଟି ଟଙ୍କା ବ୍ୟୟ ଅଟକଳ ରେ ଯେଉଁ ନବୀକରଣ କାର୍ଯ୍ୟ ଆରମ୍ଭ ହୋଇଥିଲା, ସେଥିପାଇଁ ଜମିଅଧିଗ୍ରହଣ ହୋଇ ନଥିବାରୁ, ରାସ୍ତା ଘାଟ ନିମନ୍ତେ ବହୁ ସମସ୍ୟା ଦେଖାଯାଇଥିଲା l ଏହି ଘଟଣାର ଆଶୁସମାଧାନ ପାଇଁ ସର୍ବପ୍ରଥମେ ସମ୍ବାଦ ଓ ପରେପରେ ବିଭିନ୍ନ ଗଣମାଧ୍ୟମ ରେ ଲଗାଦାର ଖବର ପ୍ରକାଶ ପାଇବାପରେ, ପ୍ରଶାସନର ନିଦ୍ରାଭଙ୍ଗ ହୋଇଛି l ଯାହା ଫଳରେ ଗତ ଶନିବାର ଦିନ ମଧ୍ୟାହ୍ନରେ ଜିଲ୍ଲା ପ୍ରଶାସନିକ ଅଧିକାରୀ ଙ୍କ ସମେତ ତିର୍ତ୍ତୋଲ ତହସିଲଦାର ମହେଶ୍ୱର ବେହେରା, କନକପୁର ରାଜସ୍ବନିରୀକ୍ଷକ ଓ ସାରଳା ମନ୍ଦିର ପ୍ରଶାସନିକ ଅଧିକାରୀ ମାନେ, ସାରଳା ମନ୍ଦିରର ଚତୁଃପାର୍ଶ୍ୱ ରେ ମାପଚୁପ କରି, କିଳା ପୋତି ଥିବାର ଦେଖିବାକୁ ମିଳିଥିଲା l ସୂଚନାଯୋଗ୍ୟ ଏଥିପୂର୍ବରୁ ମଧ୍ୟ ଯେଉଁ ମାନଙ୍କ ବ୍ୟକ୍ତିଗତ ଜମିଜମା ଓ ବାସଗୃହ ଆଦି ଅଧିଗ୍ରହଣ କରିବାର ଥିଲା, ସେମାନଙ୍କୁ ଜିଲ୍ଲାପାଳ ତଥା ସାରଳାମନ୍ଦିର ପ୍ରଶାସନ ର ସୋଲଟ୍ରଷ୍ଟି, ନିଜ କାର୍ଯ୍ୟାଳୟ କୁ ଦୁଇ ତିନିଥର ଡକାଇ, ସେଥିପାଇଁ କାହାକୁ କେତେ ଟଙ୍କା କ୍ଷତିପୂରଣ ଦିଆଯିବ, ସେ ବିଷୟରେ ଆଲୋଚନା ମଧ୍ୟ କରାଯାଇଥିଲା l ଜଣେ ଅଧେ ଙ୍କୁ ଛାଡିଦେଲେ, ଅନ୍ୟମାନେ ଏଥିରେ ସହମତି ପ୍ରକାଶ କରିଥିଲେ l ମାତ୍ର ପରବର୍ତ୍ତୀ ସମୟରେ ପ୍ରଶାସନ ତରଫରୁ ଏହାକୁ ଆଗେଇନେବାକୁ ଆଦୌ ଗୁରୁତ୍ୱ ଦେଇନଥିଲେ l ଯାହା ଫଳରେ ଯାତାୟାତ ଓ ଯାନବାହାନ ଆଦି ସମସ୍ୟା ବଢ଼ିଚାଲିଲା l ସାରଳା ପୀଠର ସଂପ୍ରସାରଣ ନିମନ୍ତେ ଜମିଅଧିଗ୍ରହଣ ଅତ୍ୟନ୍ତ ଜରୁରୀ ହୋଇ ପଡିଲା l ଏସବୁ କଥାକୁ ଦୃଷ୍ଟିରେ ରଖି ବିଳମ୍ବରେ ହେଲେ ମଧ୍ୟ ଗତ ନଭେମ୍ବର 15 ତାରିଖ ଦିନ, ପୁନଃଶ୍ଚ ଜମି ଅଧିଗ୍ରହଣ ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି l ଦେଖିବାକୁ ବାକିରହିଲା, ଏଥର ଯେଉଁ ମାପଚୁପ ଓ ଡିମାରକେସନ କାର୍ଯ୍ୟ ଆରମ୍ଭ ହୋଇଛି, ବାସ୍ତବରେ ଏହା କେବେ କାର୍ଯ୍ୟକାରୀ ହେଉଛି ?
