ଆଜି ଜାତୀୟ ପ୍ରେସ୍ ଦିବସ..
*ଏକ ସ୍ବାଧୀନ ଓ ମୁକ୍ତ ଗଣମାଧ୍ୟମ ହେଉଛି ଏକ ଶକ୍ତିଶାଳୀ ଗଣତନ୍ତ୍ରର ଚାରିଟି ସ୍ତମ୍ଭ ମଧ୍ୟରୁ ଅନ୍ୟତମ। ଗଣତନ୍ତ୍ର ଶାସନର ସଫଳତା ଚାରୋଟି ସ୍ତମ୍ଭ ଉପରେ ନିର୍ଭର କରେ। ସେମାନେ ହେଲେ – ବ୍ୟବସ୍ଥାପିକା, କାର୍ଯ୍ୟପାଳିକା, ନ୍ୟାୟପାଳିକା ଓ ଗଣମାଧ୍ୟମ । ପ୍ରଥମ ସ୍ତମ୍ଭଟି ରାଷ୍ଟ୍ର ପାଇଁ ନୀତି ନିର୍ଦ୍ଧାରଣ କରିବେ, ଦ୍ୱିତୀୟ ସ୍ତମ୍ଭ ନୀତିକୁ କାର୍ଯ୍ୟକାରୀ କରିବେ, ତୃତୀୟ ସ୍ତମ୍ଭଟି ନ୍ୟାୟ ବ୍ୟବସ୍ଥା ପାଇଁ ଦାୟୀ ରହିବେ ଓ ଚତୁର୍ଥ ସ୍ତମ୍ଭ ସତର୍କ ପ୍ରହରୀ ଭାବେ କାର୍ଯ୍ୟ କରିବେ । ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମର ଉତ୍ତରଦାୟିତ୍ୱ ସବୁଠାରୁ ବେଶୀ ।*
*ଆଜିର ସମୟରେ ଗଣମାଧ୍ୟମର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ନାଗରିକମାନଙ୍କର ଅଧିକାର, ଜନସମୁଦାୟଙ୍କ ସମସ୍ୟା, ଅସୁବିଧା ବିଷୟରେ ଗଣମାଧ୍ୟମ ସ୍ବର ଉତ୍ତୋଳନ କରିଥାଏ। ଏହାବାଦ୍ ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା, ସମାଜରେ ନୈତିକତା ବଜାୟ ରଖିବା ଗଣମାଧ୍ୟମର ବଡ଼ କର୍ତ୍ତବ୍ୟ। ଗଣମାଧ୍ୟମ ଯେତେ ସ୍ୱାଧୀନ ହେବ, ଗଣତନ୍ତ୍ର ସେତେ ସୁଦୃଢ଼ ହେବ। ପ୍ରତିକୂଳ ବ୍ୟବସ୍ଥା ସତ୍ତ୍ବେ ସାମ୍ବାଦିକମାନେ ଜନସ୍ବାର୍ଥ ପାଇଁ ସ୍ବର ଉତ୍ତୋଳନ କରିଥାନ୍ତି। ସାମ୍ବାଦିକତାର ମୌଳିକ ନୀତି ହେଉଛି ପାଠକ ତଥା ଦର୍ଶକଙ୍କ ନିକଟରେ ସତ୍ୟ, ବସ୍ତୁନିଷ୍ଠ, ସଠିକ ଓ ନିରପେକ୍ଷ ସୂଚନା ପହଞ୍ଚାଇବା।*
*ଏହି ପରିପ୍ରେକ୍ଷୀରେ ଜାତୀୟ ପ୍ରେସ୍ ଦିବସ ପାଳନ ଅନେକ ଗୁରୁତ୍ବ ବହନ କରେ। ୧୯୬୬ ମସିହା ଜୁଲାଇ ୪ ତାରିଖରେ ପ୍ରଥମ କରି ଭାରତର ପ୍ରେସ୍ କମିସନ ଗଠିତ ହୋଇଥିଲା। ସେହିବର୍ଷ ନଭେମ୍ବର ମାସ ୧୬ ତାରିଖରୁ ପ୍ରେସ୍ ପରିଷଦ ବିଧିବଦ୍ଧ ଭାବେ କାର୍ଯ୍ୟ କରିବା ଆରମ୍ଭ କରିଥିଲା ଏବଂ ସେହିଦିନକୁ ଜାତୀୟ ପ୍ରେସ୍ ଦିବସ ଭାବେ ପାଳନ କରାଯାଉଛି। ଦେଶର ସାମ୍ବାଦିକମାନେ ଯେପରି କୌଣସି ବାହ୍ୟ ଶକ୍ତି ଦ୍ବାରା ପ୍ରଭାବିତ ନ ହେବେ, ସେଥିପାଇଁ ପ୍ରେସ୍ କାଉନସିଲ ଅଫ୍ ଇଣ୍ଡିଆ କାମ କରିଆସୁଛି । ‘ପ୍ରେସ୍ କାଉନ୍ସିଲ୍’ ହେଉଛି ସମ୍ବାଦପତ୍ରଗୁଡ଼ିକର ନୈତିକ ପ୍ରହରୀ। ଯଦି କୌଣସି ବ୍ୟକ୍ତିଙ୍କୁ ଖବରକୁ ନେଇ ଆପତ୍ତି ଥାଏ, ତେବେ ସେ ପ୍ରେସ୍ କାଉନ୍ସିଲ୍ ନିକଟରେ ଅଭିଯୋଗ କରିପାରିବେ।*
*ଅପରପକ୍ଷେ ଯେକୌଣସି ସମ୍ବାଦପତ୍ର ମଧ୍ୟ ସରକାର ବା ଅନ୍ୟ କାହାର ଅବାଞ୍ଛିତ ହସ୍ତକ୍ଷେପ, ବଳପ୍ରୟୋଗ ଓ କଟକଣା ଆଦି ବିରୋଧରେ ଅଭିଯୋଗ କରିପାରିବେ। ୧୯୫୬ ମସିହାରେ ସରକାର ପ୍ରଥମ ଥର ପାଇଁ ପ୍ରେସ୍ କମିସନ୍ ବସାଇଥିଲେ ଓ ପ୍ରେସ୍ କାଉନ୍ସିଲ୍ କରିବା ନିମନ୍ତେ ସୁପାରିଶ୍ କରିଥିଲେ, ଯାହା ଗଠନ ହେବା ପାଇଁ ଏକ ଦଶନ୍ଧି ଲାଗିଥିଲା । ଗଣତନ୍ତ୍ରକୁ ସୁସ୍ଥ ଭାବରେ ବଜାୟ ରଖିବା ପାଇଁ ଗଣମାଧ୍ୟମକୁ ମୁକ୍ତ ଏବଂ ଅବାଧ ଭାବେ କାର୍ଯ୍ୟ କରିବାର ସ୍ୱାଧୀନତା ଦେବା ଦରକାର। ଜାତୀୟ ପ୍ରେସ୍ ଦିବସ ଅବସରରେ ଏ ବିଷୟଟି ପ୍ରତି ସମସ୍ତେ ସଚେତନ ହେବା ଦରକାର।*