July 6, 2024

ପ୍ରସ୍ତାବିତ ପିପଳପଙ୍କା ଡ୍ୟାମ ବାତିଲ ଓ ମରୁଡି ଘୋଷଣା ଦାବିରେ ଏଆଇକେଏମଏସ୍ ପକ୍ଷରୁ ସୋରଡ଼ା ତହସିଲ ଘେରାଉ*

Share

*ପ୍ରସ୍ତାବିତ ପିପଳପଙ୍କା ଡ୍ୟାମ ବାତିଲ ଓ ମରୁଡି ଘୋଷଣା ଦାବିରେ ଏଆଇକେଏମଏସ୍ ପକ୍ଷରୁ ସୋରଡ଼ା ତହସିଲ ଘେରାଉ*


ସୋରଡ଼ା -(16/11/23) ବର୍ଷା ଓ ଜଳସେଚନର ଅଭାବ ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମରୁଡି ପରିସ୍ଥିତି ଦେଖା ଦେଇଥିବା ବେଳେ ସୋରଡ଼ା ବ୍ଲକର ଅଧିକାଂଶ ସ୍ଥାନରେ ମରୁଡି ଯୋଗୁଁ ଚାଷୀମାନଙ୍କ ବ୍ୟାପକ ଫସଲ ହାନି ହୋଇଛି। ଏହି ପରିପ୍ରେକ୍ଷିରେ ଆଜି ଅଖିଳ ଭାରତ କିଷାନ ମଜଦୁର ସଭା ତରଫରୁ ସୋରଡ଼ା ତହସିଲ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ କରାଯାଇଥିଲା l ପୂର୍ବାହ୍ନରେ ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ଠାରୁ କୃଷକ, ଦଳିତ ଓ ଆଦିବାସୀମାନଙ୍କ ଏକ ବିଶାଳ ରାଲି ବାହାରି ସରକାରଙ୍କ ବିଭିନ୍ନ ନୀତି ବିରୋଧରେ ସ୍ଳୋଗାନ ଦେଇ ସହର ପରିକ୍ରମା କରିବା ସହ ତହସିଲ କାର୍ଯ୍ୟାଳୟରେ ପହଞ୍ଚିଥିଲା । ସେଠାରେ ତହସିଲଦାରଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଦଶ ଦଫା ଦାବି ସମ୍ବଳିତ ଏକ ସ୍ବାରକ ପତ୍ର ପ୍ରଦାନ କରାଯାଇଥିଲା l
ଆଜିର ବିକ୍ଷୋଭ ସଭାରେ ଏ ଆଇ କେଏମଏସର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଢଙ୍ଗୀ ଯୋଗାଳଦେଇ ଲୋକଙ୍କର ବହୁଦିନର ଦାବିକୁ ପୂରଣ କରିବାରେ ସରକାର ମାନେ ବିଫଳ ହୋଇଛନ୍ତି ବୋଲି ଉଦବୋଧନ ଦେଇଥିଲେ l ରାଜ୍ୟର ଅଧିକାଂଶ ଜିଲ୍ଲାରେ ଦେଖାଦେଇଥିବା ବର୍ଷା ଭାବ ଜନିତ ମରୁଡିକୁ ମଣିଷକୃତ ଓ ସରକାରକୃତ ବୋଲି କହିଥିଲେ । ଯଦି ପଞ୍ଜାବରେ ମୋଟ ଚାଷଜମିର ୯୭% ଜଳସେଚିତ ହୋଇଥିବା ବେଳେ ଓଡ଼ିଶାରେ ଆମ ଶାସକମାନେ ଗତ ୭୫ ବର୍ଷ ମଧ୍ୟରେ ମାତ୍ର ୩୪% ଜମିକୁ ହିଁ ଜଳସେଚିତ କରିପାରିବା ଲଜ୍ଜାଜନକ ବୋଲି କହିଥିଲେ । ଅତଏବ ବ୍ୟାପକ ଜଳସେଚନ ହିଁ ମରୁଡିକୁ ସମାପ୍ତ କରିପାରିବ ଏବଂ ସେଥିପାଇଁ ଦୀର୍ଘମିଆଦି ଯୋଜନା କରିବାକୁ ସେ ଦାବି କରିଥିଲେ । ସେହିପରି ପଡୋଶୀ ଆନ୍ଧ୍ରପ୍ରଦେଶ ସରକାର ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମମାନଙ୍କ ଭତ୍ତା ବାବଦରେ ମାସିକ ୩୦୦୦ ଟଙ୍କା ଦେଉଥିବା ବେଳେ ଓଡ଼ିଶା ସରକାର ଦେଶରେ ସବୁଠାରୁ କମ୍ ପେନସନ ମାସିକ ୫୦୦ ଟଙ୍କା ଦେବା ଲଜ୍ଜାଜନକ ବୋଲି କହିଥିଲେ ।
ରାଜ୍ୟର ନବୀନ ପଟ୍ଟନାୟକଙ୍କ ସରକାର ବଡ ବଡ କମ୍ପାନୀକୁ ଶସ୍ତାରେ ଜମି ଦେବା ପାଇଁ ଜମିବ୍ୟାଙ୍କ କରି ସବୁ ସରକାରୀ ଜମିକୁ ସଂରକ୍ଷିତ କରୁଥିବା ବେଳେ ଭୂମିହୀନ ଗରିବ ଲୋକଙ୍କୁ ସରକାରୀ ଜମି ପାଇବାରୁ ବଞ୍ଚିତ କରିବା ନିନ୍ଦନୀୟ ବୋଲି କହିଥିଲେ । ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ ସାମନ୍ତରା ଅନ୍ୟତମ ବକ୍ତା ଭାବେ ଯୋଗଦେଇ ପିମ୍ପଲପଙ୍କା ଡ୍ୟାମ ନିର୍ମାଣ ଦ୍ୱରା ସ୍ଥାନୀୟ ଲୋକେ ପ୍ରଭାବିତ ସହିତ ଜୀବିକା ହରାଇବେ ଏବଂ ଉପର ମୁଣ୍ଡରେ ଡେମ୍ ଜରିଆରେ ପାଣି ନେବା ଫଳରେ ଋଷିକୂଲ୍ୟା ନଦୀ ସମ୍ପୂର୍ଣ୍ଣ ଶୁଖିଯିବ ବୋଲି ସତର୍କ କରାଇ ସରକାର ଡ୍ୟାମ ନିର୍ମାଣକୁ ଅବିଳମ୍ବେ ବାତିଲ କରିବାକୁ ଦାବି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ବ୍ଲକ ସଭାପତି କାଳିଚରଣ ନାୟକ, ସମ୍ପାଦକ ସଂଗ୍ରାମ ନାୟକ, ରାଜ୍ୟ ସମ୍ପାଦକ ପ୍ରତାପ କୁମାର ନାୟକ, ଆଇଏଫଟିୟୁର ସଭାପତି ତଥା ଶ୍ରମିକ ନେତା ପ୍ରତାପ ଚନ୍ଦ୍ର ପ୍ରଧାନ, ବ୍ଲକ ସମ୍ପାଦକ ଦୟାନିଧି ଗୌଡ଼, ସୁଶାନ୍ତ ଗୌଡ଼, ସୁବାସ ନାୟକ ପଞ୍ଚୁଗୌଡ଼, ମନୋଜ ଗମାଙ୍ଗ, ସାମସାନ ଗମାଙ୍ଗ, ସୁବାସ ଗମାଙ୍ଗ, ଉଗ୍ରସେନ ମଳିକ, ବ୍ରଜମୋହନ ମଳିକ, ରାଧା ମଳିକ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିବା ବେଳେ ବ୍ଳକର ବିଭିନ୍ନ ଗାଁରୁ ଶହ ଶହ ସଂଖ୍ୟାରେ ଗରିବ ଚାଷୀ, ଦଳିତ ଓ ଆଦିବାସୀ ଯୋଗଦେଇଥିଲେ । ସୋରଡ଼ା ବ୍ଲକକୁ ମରୁଡି ଘୋଷଣା କରିବା, ଅଣ ଆଦିବାସୀଙ୍କୁ ଆଦିବାସୀଙ୍କ ଜମି ହସ୍ତାନ୍ତର କଟକଣା କୋହଳ କରିବା ନିଷ୍ପତି ପ୍ରତ୍ୟାହାର କରିବା, ପ୍ରତିଶୃତି ମୁତାବକ ୧୫ଟି ଆଦିବାସୀ ଗାଁକୁ ତୁରନ୍ତ ବିଦ୍ୟୁତିକରଣ କରିବା,ବିଧବା ବାର୍ଦ୍ଧକ୍ୟ ଭତ୍ତା, ପାଞ୍ଚ ହଜାର ଟଙ୍କାକୁ ବୃଦ୍ଧି କରିବା, ଆବାସ ଯୋଜନାରୁ ବାଦ ପଡ଼ିଥିବା ଲୋକଙ୍କୁ ତୁରନ୍ତ ଘର ଯୋଗାଇବା, ୨୩ଟି ଗ୍ରାମ ର ଲୋକ ଙ୍କ ଜୀବନ ଜୀବିକା କୁ ବିପଦ ଆଣୁଥିବା ପିପଳପଙ୍କା ରେ ଡ୍ୟାମ ନିର୍ମାଣ ବାତିଲ କରିବା ଆଦି ଓ ଭୂମିହୀନ ଓ ଗୃହହୀନ ଲୋକଙ୍କୁ ଜଙ୍ଗଲ ଜମି ଓ ଘରବାରୀ ପଟା ତୁରନ୍ତ ପ୍ରଦାନ ଓ ସୋରଡ଼ା କୋର୍ଟ ନିର୍ମାଣ ପାଇଁ ଜମି ହରାଇଥିବା ଲୋକଙ୍କୁ ତୁରନ୍ତ ଜମି ପ୍ରଦାନ, ମନରେଗାରେ ଦୁଇ ଶହ ଦିନର କାମ ଯୋଗାଇବା, ସୋରଡ଼ା ଅଞ୍ଚଳରେ ଆଦିବାସୀଙ୍କ ଉପରେ ଜଙ୍ଗଲ ବିଭାଗର ଜୁଲୁମ ବନ୍ଦ କରିବା ଆଦି ଦାବୀ ନେଇ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।

You may have missed