କୈଳାସ କୋଟା ଘାଟି ରେ ୨୦ ଫୁଟ୍ ତଳକୁ ଖସିଲା ଟ୍ରକ୍, ଡ୍ରାଇଭର ଗୁରୁତର

କୋଲନରା: ( ସଞ୍ଜୀବ କଣ୍ଡାଗରୀ )କୋଲନରା ବ୍ଲକ ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥର କୈଳାସକୋଟା ଘାଟିର ଏକ ବୁଲାଣୀରେ କୌଣସି କାରଣରୁ ଏକ ଲୁହା ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ୨୦ ଫୁଟ୍ ତଳକୁ ଖସି ପଡିଥିଲା | ଫଳରେ ଟ୍ରକ୍ ଚାଳକ ଗୁରୁତର ଆହତ ହୋଇଛନ୍ତି | ଓଡ଼ିଶା ଡ୍ରାଇଭର ମହାସଂଘର ମୁକୁନ୍ଦପୁର ଅଞ୍ଚଳର ଡ୍ରାଇଭର ମାନେ ଓ କୋଲନରା ଅଗ୍ନିଶମ ବାହିନୀର କର୍ମଚାରୀଙ୍କ ମିଳିତ ସହଯୋଗରେ ଉଭୟ ଚାଳକ ଓ ହେଲପରକୁ ଉଦ୍ଧାର କରି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି | ସୂଚନା ମୁତାବକ, ଆନ୍ଧ୍ରପ୍ରଦେଶର ଟେକିଲି ଠାରୁ ଟ୍ରକଟି ଲୁହା ସଟର ପ୍ଲେଟ ଓ ସେଣ୍ଟ୍ରିଂ କାଠ ବୋଝେଇ କରି କୋଲନରା ବ୍ଲକ ଦୁନ୍ଦୁଲି ପଞ୍ଚାୟତର କେଉଟଗୁଡା ଅଭିମୁଖେ ଯାଉଥିଲା | ହେଲେ ଭୋର ପ୍ରାୟ ସାଢେ ୩ଟା ବେଳେ କୈଳାସକୋଟା ଘାଟିର ୨ ନମ୍ବର ବୁଲାଣୀରେ ହଠାତ୍ କୌଣସି କାରଣରୁ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଗାର୍ଡ ୱାଲ୍ ଓ ଡିଭାଇଡରକୁ ଜୋରରେ ଧକ୍କା ଦେଇ ଟ୍ରକଟି ପ୍ରାୟ ୨୦ ଫୁଟ ତଳକୁ ଖସି ପଡିଥିଲା | ଟ୍ରକଟି ବହୁ ଜୋରରେ ଖସି ପଡିବା କାରଣରୁ କେବିନ୍ ଟି ସମ୍ପୂର୍ଣ ନଷ୍ଟ ହୋଇଯାଇଛି | ସେହି କେବିନ୍ ଭିତରେ ଡ୍ରାଇଭର ଜଣକ ଚାପି ହୋଇ ଫସି ରହି ଗୁରୁତର ଆହତ ହୋଇଥିଲେ | ଆଉ କୌଣସି ଉପାୟ ନ ପାଇ ଡ୍ରାଇଭର ଜଣକ ସେ ତାଙ୍କ ମୋବାଇଲ ଫୋନରୁ ପ୍ରଥମେ କୋଲନରା ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘକୁ ଯୋଗାଯୋଗ କରିଥିବା କିଛି ଡ୍ରାଇଭର କହିଛନ୍ତି | ତେବେ ସଙ୍ଗେ ସଙ୍ଗେ ମୁକୁନ୍ଦପୁର ଅଞ୍ଚଳର ଓଡ଼ିଶା ଡ୍ରାଇଭର ମହାସଂଘର ସଦସ୍ୟ ପ୍ରଥମେ ପହଞ୍ଚି ଟ୍ରକର ଜିନିଷ ଓହ୍ଲାଇ ସଙ୍ଗେ ସଙ୍ଗେ କୋଲନରା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ | ଖବର ପାଇ କୋଲନରା ଅଗ୍ନିଶମ ବିଭାଗ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଓଡ଼ିଶା ଡ୍ରାଇଭର ମହାସଂଘର ମୁକୁନ୍ଦପୁର ଅଞ୍ଚଳର ଡ୍ରାଇଭର ମାନଙ୍କ ସହ ମିଳିତ ଭାବେ କେବିନ୍ କୁ ଭାଙ୍ଗି ଡ୍ରାଇଭରକୁ ଉଦ୍ଧାର କରିଥିଲେ | ପରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ସୂଚନା ମିଳିଛି | ଘଟଣା ସମ୍ପର୍କରେ ଖବର ପାଇ ମୁକୁନ୍ଦପୁର ଫାଣ୍ଡି ପୁଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି କେଉଁ କାରଣରୁ ଟ୍ରକଟି ଦୁର୍ଘଟଣା ଗ୍ରସ୍ତ ହେଲା ତାହାର ତଦନ୍ତ କରିଛନ୍ତି |