June 16, 2025

ରେଖାପଦର ଗ୍ରାମ ପଞ୍ଚାୟତ ଠାରେ ବିକାଶ ବାହାନର ଶୁଭାରମ୍ଭ

IMG-20250616-WA0028
Share

କୋଲନରା:( ସଞ୍ଜୀବ କଣ୍ଡାଗରୀ ) କୋଲନରା ବ୍ଲକ ଅନ୍ତର୍ଗତ ରେଖାପଦର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ ଏକ ବର୍ଷ ଶାସନର ପୂର୍ତ୍ତି ଅବସରରେ ବିକାଶ ବାହନ ରଥ ଶୁଭାରମ୍ଭ ହୋଇଯାଇଛି | ସ୍ଥାନୀୟ ସରପଞ୍ଚ ଗୋପାଳ ପିର୍ବାକାଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ କୋଲନରା ବ୍ଲକ ଜିପିଡିଓ ପ୍ରଶାନ୍ତ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମିତି ସଭ୍ୟ ସରୋଜ ପଣ୍ଡୁ, ଅବସରପ୍ରାପ୍ତ ପିଇଓ କାମେଶ୍ୱର ସାହୁକାର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | ପଞ୍ଚାୟତ କାର୍ଯ୍ୟାଳୟରେ ବିକାଶ ବାହନ ରଥ ପହଞ୍ଚିବା ପରେ ଭବ୍ୟ ସ୍ଵାଗତ କରାଯାଇ ରେଖାପଦର ଗ୍ରାମ ପରିକ୍ରମା କରାଯାଇଥିଲା | ଉକ୍ତ କାର୍ଯ୍ୟକ୍ରମରେ ସରକାର ମହିଳାଙ୍କ ସଶକ୍ତିକରଣ ପାଇଁ ସୁଭଦ୍ରା ଯୋଜନା, ଗରିବ ଲୋକଙ୍କ ନିମନ୍ତେ ଅନ୍ତ୍ୟଦୟ ଗୃହ ଯୋଜନା, ଆୟୁଷ୍ମାନ ଯୋଜନା କାର୍ଡ, ନୂତନ ରାସନ୍ କାର୍ଡ ସହ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ଅବଗତ କରାଯାଇଥିଲା | ପରେ ଏଲ୍ଇଡି ମାଧ୍ୟମରେ ରାଜ୍ୟ ସରକାରଙ୍କ ଏକ ବର୍ଷ ମଧ୍ୟରେ ପଦକ୍ଷେପ ନେଇଥିବା ବିଭିନ୍ନ ଜନହିତକର କାର୍ଯ୍ୟକୁ ଲୋକଙ୍କୁ ଅବଗତ କରାଯାଇଥିଲା | ଏହି ଅବସରରେ ସ୍ୱାସ୍ଥ୍ୟ ବିଭାଗ, ଅଙ୍ଗନବାଡ଼ି ଓ ମତ୍ସ ବିଭାଗ, ଶିକ୍ଷା ବିଭାଗ, କୃଷି ବିଭାଗ ଓ ମିଶନ ଶକ୍ତି ତରଫରୁ ୬ ଗୋଟି ଷ୍ଟଲ୍ ପ୍ରଦର୍ଶନ କରାଯାଇଥିଲା | ଉକ୍ତ କାର୍ଯ୍ୟକ୍ରମରେ ୪ ଜଣ ହିତାଧିକାରୀଙ୍କୁ ରାସନ୍ କାର୍ଡ, ୩ ଜଣଙ୍କୁ ଆୟୁଷ୍ମାନ କାର୍ଡ, ୬ ଜଣଙ୍କୁ ମୃତ୍ତିକା ସଂରକ୍ଷଣ କାର୍ଡ ଓ ୪ ଜଣଙ୍କୁ ଅନ୍ତ୍ୟଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା | ଉକ୍ତ କାର୍ଯ୍ୟକ୍ରମକୁ ପିଇଓ ମଦନ ମୋହନ ନାଏକ ପରିଚାଳନା କରିଥିବା ବେଳେ ପେସାର ବ୍ଲକ କର୍ଡିନେଟର ଅମିତ କୁମାର ଗାଣ୍ଟା, ଏଡିଓ ପ୍ରସାଦ ଗନ୍ତାୟତ, ଯୋଗାଣ ସହାୟକ ପ୍ରଶାନ୍ତ ଗାଣ୍ଟା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ | ଏଥିରେ ସ୍ୱାସ୍ଥ୍ୟ କର୍ମଚାରୀ, ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତିର ସପୋର୍ଟ ଷ୍ଟାଫ ଉପସ୍ଥିତ ରହିଥିଲେ | ସେହିପରି ଝୋରଡି ପଞ୍ଚାୟତ କାର୍ଯ୍ୟାଳୟରେ ମଧ୍ୟ ସରପଞ୍ଚ ଅନନ୍ତ ମାଣ୍ଡାଙ୍ଗିଙ୍କ ତତ୍ତ୍ଵାବଧାନରେ ବିକାଶ ବାହନ ରଥର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ଏଲ୍ଇଡି ଟିଭି ମାଧ୍ୟମରେ ଅବଗତ କରାଯାଇଥିଲା |