June 26, 2024

ଗଜପତି:-ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ରଜ ଉତ୍ସବ-୨୦୨୪ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

Share

ପାରଳାଖେମୁଣ୍ଡି ସ୍ଥିତ ୟୁ-ଟେକ. କମ୍ପ୍ୟୁଟର ଏଜୁକେସନ ସେଣ୍ଟର ପ୍ରଶିକ୍ଷଣ ହଲ ଠାରେ ପାରଳାଖେମୁଣ୍ଡି ସହର’ର ଅଗ୍ରଣୀ “ପ୍ରଗତି ମହିଳା ସଂଗଠନ” ଅନୁଷ୍ଠାନ ପକ୍ଷରୁ ପବିତ୍ର ରଜ ପର୍ବ ପାଳନ ଅବସରରେ ସଭା , ସାଂସ୍କୃତିକ ଓ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି ।।
ଏହି ଅବସରରେ ସଭା କାର୍ଯ୍ୟକ୍ରମ ପ୍ରାରମ୍ଭ ପୂର୍ବରୁ ମହିଳା ଓ ଝିଅ ଓ ଯୁବତୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଯଥା:- ରଜ କୁଇନ୍ , ତର୍କ , ଝୋଟି , ନୃତ୍ୟ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ଶିକ୍ଷାବିତ୍ ବିଚିତ୍ରାନନ୍ଦ ବେବର୍ତ୍ତlଙ୍କ ସାମଗ୍ରୀକ ପରିଚାଳନା ଦ୍ଵାରା ଅନୁଷ୍ଠିତ ଉତ୍ସବ ପାଳନର ସଭା କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ ସଙ୍ଗଠନର ସଭାନେତ୍ରୀ ଶ୍ରୀମତୀ କଳ୍ପନା ପଟ୍ଟନାୟକ।
ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି- ଉପକାରାଗାର ଅଧିକ୍ଷକ ଶ୍ରୀ ହନୁ ସେଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ରଜ ପର୍ବର ବିଧିବିଧାନ ଉପରେ କହି ଏହି ପର୍ବ ପାଳନ ଦିଗରେ ମହିଳା ଓ ଯୁବତୀ ମାନଙ୍କ ମଧ୍ୟରେ ଯେଉଁ ଚିରାଚରିତ ପ୍ରଥା ରହିଛି ଏବଂ ତାକୁ ଏହି ଉପାନ୍ତ ଅଞ୍ଚଳରେ ପ୍ରଗତି ମହିଳା ସଂଗଠନ ବଞ୍ଚାଇ ରଖିବା ସହ ଉଜ୍ଜୀବିତ ରଖିବାରେ ଯେଉଁ ସହାୟକ ହେଉଛି ସେଥିପାଇଁ ପ୍ରଗତି ମହିଳା ସଂଗଠନକୁ ଭୂୟସୀ ପ୍ରଶଂସା କରିଥିଲେ ।
କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ପଦ୍ମପୁର ସ୍ଥିତ ବିନୋଦିନୀ ବିଜ୍ଞାନ କନିଷ୍ଠ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପଟ୍ଟନାୟକ ଯୋଗଦେଇ ଏହି ରଜପର୍ବ ବିଜ୍ଞାନ ଓ ସଂସ୍କୃତିର ଏକ ମହାନ୍ ମିଳନ ପର୍ବ । ଏଥିସହ ଏହା ଏକ କୃଷିଭିତ୍ତିକ ଗଣପର୍ବ ବୋଲି କହିଥିଲେ ।
ସ୍ଵତନ୍ତ୍ର ଅତିଥି ଭାବେ ଅବସରପ୍ରାପ୍ତ ବ୍ୟାଙ୍କ୍ ଅଧିକାରୀ ଶ୍ରୀ ହରି ମୋହନ ପଟ୍ଟନାୟକ ଯୋଗଦେଇ ପ୍ରତିବର୍ଷ ଏହି ପର୍ବ ପାଳନ କରାଯିବା ଉପରେ କହି ଆଗାମୀ ପିଢ଼ି ପାଇଁ ସଂସ୍କୃତି ଓ ପରମ୍ପରା ବଜାୟ ରଖିବା ଦିଗରେ ଏହା ଉତ୍ସାହିତ କରିବା ଦିଗରେ ସହାୟକ ହେବ ବୋଲି କହିଁଥିଲେ ।
ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥୀ ଏବଂ ସଂଯୋଜକ ଶ୍ରୀ ଲୋକନାଥ ମିଶ୍ର ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ଏହି ରଜପର୍ବ ସମ୍ପର୍କ , ମମତା ଓ ଭାଇଚାରାର ପର୍ବ ଅଟେ ।ଏହି ପର୍ବ ପାଳନରେ ଛୋଟ ଝିଅ ଠାରୁ ଆରମ୍ଭ କରି ଯୁବତୀ , ବିବାହିତା ଯୁବତୀ ଓ ମହିଳା ମାନେ ବହୁ ସଂଖ୍ୟାରେ ସାମିଲ ହୋଇ ପରସ୍ପର ମଧ୍ୟରେ ପାଦରେ ଅଳତା , ହାତରେ ମେହେନ୍ଦି ଲଗା ହୋଇ ଦୋଳିରେ ଝୁଲିବା ସହ ରଜ ଗୀତ ଗାଇ ତାର ଢେର ମଜା ନେଇଥାନ୍ତି ବୋଲି କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଅତିଥି ଅଧ୍ୟାପକ ଶ୍ରୀ ସୌଦାଗର ସିଅ , ବରିଷ୍ଠ ସାମ୍ବାଦିକ ଶ୍ରୀ ଭଗବତ ପାଢ଼ୀ ଏବଂ ଅବସରପ୍ରାପ୍ତ ଶିକ୍ଷକ ପଣ୍ଡିତ ନରସିଂହ ଗୌଡ ପ୍ରମୁଖ ଯୋଗ ଦେଇ ଲୋପ ପାଇ ଯାଉଥିବା ସଂସ୍କୃତି ଓ ପରମ୍ପରା କୁ ସବୁ କ୍ଷେତ୍ରରେ ଉଜ୍ଜୀବିତ କରିବା ଦିଗରେ ଉଦ୍ୟମ କରାଯିବା ଆବଶ୍ୟକତା ରହିଛି ବୋଲି କହିଥିଲେ ।
କାର୍ଯ୍ୟକ୍ରମ ପ୍ରାରମ୍ଭ ପୂର୍ବରୁ ଅନୁଷ୍ଠିତ ହୋଇଥିବା ତର୍କ, ଝୋଟି , ନୃତ୍ୟ , ରଜ-କୁଇନ ପ୍ରଭୃତି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରା ଯାଇଥିଲା।
ଏହି ସମୟରେ ଉପସ୍ଥିତ ସମସ୍ତଙ୍କୁ ରଜ କାକରା ସହ ରଜ ପିଠା , ଲଡୁ ଓ ଛେନା ଗଜା ବଣ୍ଟନ କରା ଯାଇଥିଲା ।
ସଭା କାର୍ଯ୍ୟକ୍ରମରେ ସୁଶ୍ରୀ ସ୍ନେହା ବେହେରା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଶ୍ରୀମତୀ ସବିତା ପଣ୍ଡିତ ସ୍ଵାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
———————————————-
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)
———————————————-