ଗୌଡ କୁଳ ସମାଜ ବୈଠକରେ ସଭାପତିଙ୍କୁ ଆକ୍ରମଣ ଅଭିଯୋଗ
ଗୌଡ କୁଳ ସମାଜ ବୈଠକରେ ସଭାପତିଙ୍କୁ ଆକ୍ରମଣ ଅଭିଯୋଗ
ବୁଗୁଡ଼ା : ତା ୧୬/୦୬/୨୩ : ବୁଗୁଡ଼ା ଥାନା ଅନ୍ତର୍ଗତ ବେତାରସିଂ ଗ୍ରାମରେ ଗୌଡ କୁଳ ସମାଜ ବୈଠକରେ ସଭାପତିଙ୍କୁ ଆକ୍ରମଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଆକ୍ରମଣର ଶିକାର ହୋଇଥିବା ବ୍ଯକ୍ତି ଜଣକ ହେଲେ ରମାକାନ୍ତ ଗୌଡ । ପ୍ରକାଶ ଯେ , ୧୫ ରାତିରେ ବେତାରସିଂ ଗ୍ରାମରେ ରମାକାନ୍ତ ଗୌଡ଼ଙ୍କ ସଭାପତିତ୍ବରେ ଗୌଡ କୁଳ ସମାଜର ବୈଠକ ଚାଲିଥିବା ବେଳେ ପାଟିତୁଣ୍ଡର ସୂତ୍ରପାତ ହୋଇଥିଲା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମାଲ ଗୌଡ ଏକ ବାଉଁଶ ବାଡିରେ ରମାକାନ୍ତଙ୍କୁ ଆକ୍ରମଣ କରିଥିଲେ । ଖବର ପାଇ ବୁଗୁଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲେ ଏବଂ ଆହତ ରମାକାନ୍ତ ବୁଗୁଡ଼ା ମେଡିକାଲରେ ଭର୍ତ୍ତି ହୋଇଥିଲେ । ତାଙ୍କ ନାକରୁ ରକ୍ତସ୍ରାବ ହେଉଥିଲା । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା. । ବୈଠକରେ ନିରଞ୍ଜନ ଗୌଡ଼ , ମହନ୍ତ ଗୌଡ , ରମେଶ ଗୌଡ ଓ ଯୋଗୀ ଗୌଡ ପ୍ରମୁଖ ଅଭଦ୍ର ଭାଷାରେ ଗାଳି କରିବା ସହ ରମାକାନ୍ତଙ୍କୁ ଭିଡି ଧରିଥିବା ବେଳେ ମାଲ ଗୌଡ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ଏ ନେଇ କେସ୍ ନଂ୪୧୮/୨୩ ରେ ଏକ ମାମଲା ରମାକାନ୍ତ ଗୌଡ଼ଙ୍କ ଅଭିଯୋଗ କ୍ରମେ ରୁଜୁ ହୋଇଥିବା ବେଳେ ଅପରପକ୍ଷରେ କେସ୍ ନଂ ୪୧୯/୨୩ ରେ ଏକ ପାଲଟା ଅଭିଯୋଗ ନିରଞ୍ଜନ ଗୌଡ଼ଙ୍କ ପକ୍ଷରୁ ହୋଇଥିବା ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ଠାରୁ ପ୍ରକାଶ ପାଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ଜଣାଯାଇଛି ।