ଶ୍ମଶାନ ଗୁଡିକର ଅବସ୍ଥା ଶୋଚନୀୟ..

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) ଭବାନୀପାଟଣା ସହରରେ ଥିବା ଶ୍ମଶାନ ଗୁଡିକ ମଧ୍ୟରୁ କେବଳ ଦୁଇ ତିନୋଟି ଛାଡିଦେଲେ ବାକି ସବୁ ଶ୍ମଶାନ ଗୁଡିକର ଅବସ୍ଥା ଶୋଚନୀୟ ଅଟେ। ଶ୍ମଶାନ ଗୁଡିକରେ ଯେଉଁ ପ୍ରକାରର ବନ୍ଦୋବସ୍ତ ଗୁଡିକ ହେବାକଥା ତାହା ହୋଇନାହିଁ। ଅଧିକାଂଶ ଶ୍ମଶାନ ଗୁଡିକରେ ଚାରିପଟେ ପକ୍କା ପାଚେରୀ ସଂପୂର୍ଣ ଘେରାଯାଇନାହିଁ। ଯାହାଫଳରେ ଲୋକେ ଧୀରେ ଧୀରେ ଶ୍ମଶାନ ଅନ୍ତର୍ଗତ ଜାଗା ଗୁଡିକରେ କବଜା କରି ଘର ତିଆରି କରିବାରେ ଲାଗିଛନ୍ତି। ଯାହାଦ୍ୱାରା ଶ୍ମଶାନ ଗୁଡିକର ପରିଧି ଧୀରେ ଧୀରେ କମିବାରେ ଲାଗିଛି। ଏଥି ପ୍ରତି ପୌରପାଳିକାର ନିଘା ଥିଲା ପରି ମନେ ହେଉନାହିଁ। ଏଠାରେ ଶବ ଦାହ ପାଇଁ ଆସୁଥିବା ଲୋକଙ୍କ ପାଇଁ ବସାଯାଇଥିବା ନଳକୂପ ଗୁଡିକ ନାମମାତ୍ର। ଏହାଛଡା ଶ୍ମଶାନ ଗୁଡିକରେ ଏକ ସମୟରେ ଗୋଟିଏରୁ ଅଧିକ ଶବ ଦାହ ହୋଇପାରୁନାହିଁ।ତେଣୁ ଲୋକେ ବାଧ୍ୟ ହୋଇ ନିକଟସ୍ଥ ନଦୀ, ନାଳ ଗୁଡିକର ତଟରେ ଶବ ଦାହ କରୁଛନ୍ତି ଓ ମୃତ ବ୍ୟକ୍ତିଙ୍କ ଦ୍ଵାରା ବ୍ୟବହୃତ ଜିନିଷ ଗୁଡିକ ନାଳରେ ଫିଙ୍ଗୁଛନ୍ତି। ଏହା ଦ୍ୱାରା ନଦୀ, ନାଳ ଗୁଡିକର ଜଳ ପ୍ରଦୂଷିତ ହେଉଅଛି ଏବଂ ସ୍ଥାନୀୟ ଲୋକେ ସେହି ପ୍ରଦୂଷିତ ଜଳରେ ଗାଧୋଇବାକୁ ବାଧ୍ୟ ହେଉଛନ୍ତି। ଏହାଛଡା ସହରର ଦୁଆରସୁଣୀ ପଡା ଠାରେ ନିର୍ମିତ ଶ୍ମଶାନ ଠିକ ବସ୍ତି ମଝିରେ ଅବସ୍ଥିତ। ତେଣୁ ସ୍ଥାନୀୟ ଲୋକେ ସେଠାରେ ଶବ ଦାହ ପାଇଁ ବିରୋଧ କରୁଛନ୍ତି। ଯାହାଫଳରେ ସେଠାରେ ଏବେ ପର୍ଯ୍ୟନ୍ତ ଗୋଟିଏବି ଶବ ଦାହ କରାଯାଇନାହିଁ ବରଂ ସେହି ସ୍ଥାନଟି ମଦୁଆ ଓ ଜୁଆଡ଼ିଙ୍କ ଅଡ୍ଡାସ୍ଥଳୀ ପାଲଟିଛି। ଏହାଚଡ଼ା ଦିନୁ ଦିନ ଜଙ୍ଗଲ କ୍ଷୟ ଯୋଗୁଁ ଶବ ଦାହ ପାଇଁ ଲୋକଙ୍କୁ କାଠ ଯୋଗାଡିବାରେ ଘୋର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ତେଣୁ,ବର୍ତମାନ ସହରର ବୁଦ୍ଧିଯିବି ମାନେ ଦାବି କରୁଛନ୍ତିଯେ ରାଜ୍ୟର ଅନ୍ୟ ସହର ମାନଙ୍କରେ ଥିବା ଆଧୁନିକ ଶ୍ମଶାନ ଭଳି ଭବାନୀପାଟଣା ସହରରେ ମଧ୍ୟ ଥିବା ଶ୍ମଶାନ ଗୁଡିକୁ ସହର ଠାରୁ ଦୂରକୁ ସ୍ଥାନାନ୍ତରିତ କରି ଶବ ଦାହ ପାଇଁ ବୈଦ୍ୟୁତିକ ଚୁଲ୍ହା ସ୍ଥାପନ କରାଯାଉ ତଥା ପାନୀୟ ଜଳର ସୁବନ୍ଦୋବସ୍ତ କରାଯାଉ।