May 20, 2025

ଅନ୍ତରପଡା ପ୍ରାଥମିକ ବିଦ୍ୟାଳୟର ୧୧୯ତମ ବାର୍ଷିକୋତ୍ସବ 

Share

ବୁଗୁଡା : ତା ୧୬/୦୧/୨୫ : ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଅନ୍ତରପଡା ଗ୍ରାମସ୍ଥ ସରକାରୀ ପ୍ରାଥମିକ ବିଦ୍ୟାଳୟର ୧୧୯ତମ ବାର୍ଷିକ ଉତ୍ସବ ସ୍ବପରିସରରେ ଅନୁଷ୍ଠିତ ହୋଇଯାଇଛି। ଏସ୍ଏମସି ସଭାନେତ୍ରୀ ରଞ୍ଜୁଲତା ନାୟକଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ଯ ଅତିଥି ଭାବେ ଅବସରପ୍ରାପ୍ତ ବିଇଓ ପ୍ରମୋଦ ଚନ୍ଦ୍ର ସେନାପତି, ମୁଖ୍ୟ ବକ୍ତା ଭାବେ ବୁଗୁଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ମନୋରଞ୍ଜନ ଦାଶ , ସମ୍ମାନିତ ଅତିଥି ଭାବେ ତାଳସାକର ୟୁପିଏସ୍ ପ୍ରଧାନ ଶିକ୍ଷକ ସୀମାଞ୍ଚଳ ସେଠୀ, ଅବସରପ୍ରାପ୍ତା ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ପଣ୍ଡା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମଧୁସୂଦନ ପ୍ରଧାନ, ସିଆରସିସି ଶର୍ମିଷ୍ଠା ଜେନା ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲା ବେଳେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ଜେନା ବାର୍ଷିକ ବିବରଣୀ ପାଠ କରିଥିଲେ । ଏ ଅବସରରେ ୧୯୦୫ ମସିହାରେ ସ୍ଥାପିତ ଏହି ପୂରାତନ ବିଦ୍ୟାଳୟର କେତେକ ଶ୍ରେଣୀ କକ୍ଷ ବିପଦ ସଙ୍କୁଳ ଅବସ୍ଥାକୁ ଆସିଯାଇଥିବା ବେଳେ ସେଗୁଡିକର ମରାମତି କିମ୍ବା ନୂତନ କକ୍ଷ ନିର୍ମାଣ ସାଙ୍ଗକୁ ବିଦ୍ଯାଳୟର ଶ୍ରେଣୀ ସଂଖ୍ଯା ଓ ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଆନୁପାତିକ ଶିକ୍ଷକ ଯୋଗାଇବା ସହିତ ଜଣେ ଲେବଲ୍-୩ ପ୍ରଧାନ ଶିକ୍ଷକଙ୍କ ନିଯୁକ୍ତି ନିମନ୍ତେ ଶିକ୍ଷା ପ୍ରଶାସନକୁ ନିବେଦନ କରାଯାଇଥିଲା।ଏଥି ସହ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କ ସମେତ ଚମ୍ପିଆନ୍ ପ୍ରିୟାଂଶୁ ସ୍ବାଇଁଙ୍କୁ ଅତିଥିଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା ବେଳେ ପ୍ରକୃତି ମିତ୍ର ପୁରସ୍କାରପ୍ରାପ୍ତ ସେବା ନିବୃତ୍ତ ପ୍ରଧାନ ଶିକ୍ଷକ ନିରଞ୍ଜନ ଖାଡ଼ଙ୍ଗାଙ୍କୁ ମଧ୍ୟ ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।ଏହା ପରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।ଉକ୍ତ ଉତ୍ସବର ପ୍ରାରମ୍ଭରେ ଶିକ୍ଷୟିତ୍ରୀ ସ୍ବାଗତିକା ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ଶିକ୍ଷୟିତ୍ରୀ ଲୋପାମୁଦ୍ରା ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ।