ଶିଳ୍ପ ମନ୍ତ୍ରୀଙ୍କ ଶିଳ୍ପ ମେଗା ଫୁଡ଼ ପାର୍କ ଓ ଜେକେ ପେପରମିଲ ପରିଦର୍ଶନ
ରାୟଗଡ଼ା- ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ସମ୍ପଦ କୁମାର ସ୍ୱାଇଁ ଦୁଇଦିନିଆ ରାୟଗଡ଼ା ଗସ୍ତରେ ଆସି ବୁଧବାର ଜେକେପୁର ସ୍ଥିତ ଜେକେ ପେପରମିଲ ଏବଂ କୋଲନରା ବ୍ଲକ ଭୁଜବଳ ସ୍ଥିତ ମିଟସ ମେଗା ଫୁଡ ପାର୍କ ପରିଦର୍ଶନ କରିଛନ୍ତି । ପ୍ରଥମେ ଜେକେ ପେପର ମିଲ ପରିଦର୍ଶନ କରି ସେଠାରେ କର୍ମଚାରୀ କିଭଳି ସୁରକ୍ଷିତ ଭାବେ କାର୍ଯ୍ୟ କରୁଛନ୍ତି ଏବଂ ପେପର କିଭଳି ପ୍ରସ୍ତୁତି ହେଉଛି ତାହାର ତଦାରଖ କରିଥିଲେ । ମନ୍ତ୍ରୀଙ୍କ ଏହି ଗସ୍ତ ବେଳେ ଜେକେ ପେପରମିଲର ଉପସଭାପତି ବିନୟ ଦ୍ୱିବେଦୀ, ମାନବ ସମ୍ବଳ ବିଭାଗ ଜେନେରାଲ ମ୍ୟାନେଜର ସୁନ୍ଦୀପ ପାଣ୍ଡେ ଓ ଲୋକ ସମ୍ପର୍କ ଅଧିକାରୀ ମିଲନ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ । ଏହାପରେ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଭୁଜବଳ ସ୍ଥିତ ମିଟସ ମେଗା ଫୁଡ଼ ପାର୍କ ପରିଦର୍ଶନରେ ଯାଇ ଫୁଡ଼ ପାର୍କର ପ୍ରୋସେସିଂ ୟୁନିଟ ଏବଂ ମିଟସ କଲେଜର ବିଭିନ୍ନ କ୍ଷେତ୍ର ପରିଦର୍ଶନ କରିଥିଲେ । ମନ୍ତ୍ରୀ ସ୍ୱାଇଁଙ୍କ ଏହି ଗସ୍ତ ବେଳେ ମିଟସ ଗୃପ ଅଧ୍ୟକ୍ଷ ବାଳକୃଷ୍ଣ ପଣ୍ଡା, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀରାମ ପଣ୍ଡା, ନିର୍ଦ୍ଦେଶକ ସି.ଭି.ଗୋପୀନାଥ ପ୍ରମୁଖ ଉପସ୍ଥିତ ଥିଲେ । ମେଗା ଫୁଡ଼ ପାର୍କ ଯୋଗୁଁ ସ୍ଥାନୀୟ କୃଷକ ଏବଂ ଉଦ୍ୟୋଗୀଙ୍କୁ ସଶକ୍ତିକରଣ ଦିଗରେ ବେଶ ସହାୟକ ହେବା ନେଇ ମନ୍ତ୍ରୀଙ୍କୁ ସୂଚନା ପ୍ରଦାନ କରାଯାଇଥିଲା । ଏହି ଅବସରରେ ମିଟସ କ୍ୟାମ୍ପସ ସ୍ଥିତ ବସନ୍ତ ଅଡିଟୋରିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କୁ ସମ୍ମାନିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ନିଜ ଅଭିଭାଷଣରେ ମନ୍ତ୍ରୀ ସ୍ୱାଇଁ ଓଡିଶାରେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବୃଦ୍ଧିରେ ନିରନ୍ତର ଉଦ୍ୟମ ପାଇଁ ମିଟସ ଗ୍ରୁପକୁ ପ୍ରଶଂସା କରିଛନ୍ତି। ରାଜ୍ୟର ଶିଳ୍ପ ଅଭିବୃଦ୍ଧି ତଥା ଯୁବ ସମାଜ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସେ ଏହି ଅନୁଷ୍ଠାନଗୁଡ଼ିକର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ମନ୍ତ୍ରୀ ସ୍ୱାଇଁଙ୍କ ଏହି ଗସ୍ତ ବେଳେ ତାଙ୍କ ସହିତ ଭାଜପା ଜାତୀୟ ଆଦିବାସୀ ମୋର୍ଚ୍ଚା ଉପସଭାପତି କାଳୀରାମ ମାଝି, ଭାଜପା ଜିଲା ସଭାପତି ଶିବ ପଟନାୟକ ଓ ଉପସଭାପତି ପଦ୍ମନାଭ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ