ଆଉ ନାହାନ୍ତି ଦୀନକୃଷ୍ଣ √ ନିଜ ଗାଁ ଗରଗଡିଆ ନିକଟରେ ଦୁର୍ଘଟଣା, ଚାଲିଗଲା ଜୀବନ
ମୟୂରଭଞ୍ଜ ( ଦେବାଶିଷ ଦାଶ )
ମୟୂରଭଞ୍ଜ ଜିଲ୍ଲା, ବେତନଟୀ ବ୍ଲକ, ବୈଶିଙ୍ଗା ଥାନା ଅନ୍ତର୍ଗତ ଯୁଗଳ ଛକ ନିକଟରେ ବୁଧବାର ଭୋର ୪ଟା ସମୟରେ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବା ଦୀନକୃଷ୍ଣ ମହାନ୍ତ (୪୬)ଙ୍କ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ଗରଗଡିଆ ଗାଁର ନିଜ ଘରଠାରୁ ମାତ୍ର ଶହେ ମିଟର ଦୂରରେ ଦୀନକୃଷ୍ଣ ସକାଳେ ମର୍ଣ୍ଣିଂ ଓ୍ବାକ୍ କରୁଥିବାବେଳେ କୌଣସି ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା । ରାଜପଥ ପାର୍ଶ୍ଵ ଧୂଳିରେ ସେ ପୋତି ହୋଇଥିଲାବେଳେ ପରିବାର ଲୋକ ମଧ୍ୟ ଚିହ୍ନି ପାରିନଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବେତନଟୀ ଓ ପରେ ବାରିପଦା ଡାକ୍ତରଖାନା ନିଆଯାଇଥିଲା । ସ୍ବାସ୍ଥ୍ୟାବସ୍ଥା ଅଧିକ ଗୁରୁତର ଥିବାରୁ ତାଙ୍କୁ କଟକ ପଠା ଯାଇଥିଲା । ମାତ୍ର ସେଠାରେ ଚିକିତ୍ସାର କିଛି ଦିନ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଦୀନକୃଷ୍ଣ ଜଣେ ଶ୍ରମିକ ଶ୍ରେଣୀର ଲୋକ ଥିଲେ । ତାଙ୍କର ସ୍ତ୍ରୀ ସବିତା ଓ ଏକମାତ୍ର ପୁତ୍ର ତାପସ ଅଛନ୍ତି । ପରିବାର ତାଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଥିବାବେଳେ ଗାଁରେ ଶୋକର ଛାୟା ଖେଳି ଯାଇଛି । ଦୀନକୃଷ୍ଣ ଜଣେ ଅତି ମେଳାପୀ ଓ ସେବା ପରାୟଣ ବ୍ୟକ୍ତି ଭାବେ ପରିଚିତ ଥିଲେ ।
