ବାଇକ୍ ଦୁର୍ଘଟଣାରେ ଜଣେ ମୃତ
ବୁଗୁଡ଼ା : ତା ୧୪/୧୧/୨୫ : ବୁଗୁଡ଼ା ବ୍ଲକ ଗୋଲିଆ ଗ୍ରାମ ବ୍ରିଜ୍ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିବା ଜଣାଯାଇଛି। ମୃତକ ଜଣକ ହେଲେ ଗୋଲିଆ ଗ୍ରାମର ଶିବ ଶଙ୍କର ମହାପାତ୍ରଙ୍କ ପୁଅ ଆଦିତ୍ୟ ମହାପାତ୍ର ଏବଂ ଆହତ ଜଣକ ପୋଲସରା ବ୍ଲକ ଜକର ଗ୍ରାମର ବାବୁରାମ ବେହେରା । ଘଟଣାରୁ ପ୍ରକାଶ ଯେ, ଆଜି ସକାଳେ ଆଦିତ୍ୟ ବାଇକ୍ ଯୋଗେ ତାଙ୍କ ପିଉସୀ ଘର ହାଡଖାଇ ଗାଁରୁ ଗୋଲିଆକୁ ଫେରୁଥିଲେ । ସାମନା ପଟୁ ପାର୍ସଲ ଡେଲିଭର କାମ କରୁଥିବା ବାବୁରାମ ବାଇକ ଚଲାଇ ବୁଗୁଡାସ୍ଥିତ ଫ୍ଲିପକାର୍ଡ ଅଫିସକୁ ଆସୁଥିଲେ। ତେବେ ଉଭୟ ବାଇକ ମଧ୍ୟରେ ଗୋଲିଆ ଗାଁ ବ୍ରିଜ୍ ନିକଟ ରାସ୍ତାରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଆହତ ହୋଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥିବା ଦ୍ବୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବୁଗୁଡା ମେଡିକାଲକୁ ଆଣିଥିଲେ । ଦୁର୍ଘଟଣାରେ ଆଦିତ୍ୟଙ୍କ ମୁଣ୍ଡରେ ଗଭୀର ଆଘାତ ଏବଂ ଡାହାଣ ଗୋଡ ଭାଙ୍ଗି ଯାଇଥିବା ବେଳେ ବାବୁରାମଙ୍କ ବାମ ପାଦରେ ଆଘାତ ଲାଗିଥିଲା। ଆଦିତ୍ୟଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ତାଙ୍କର ସେଠାରେ ମୃତ୍ୟୁ ଘଟିଥିଲା। ଏ ନେଇ ଖବର ପହଞ୍ଚିବା ପରେ ଗୋଲିଆ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।
