March 16, 2026

ବାଲିଘାଟ ଓ ଇଟା ଭାଟି ବନ୍ଦ ଯୋଗୁ ଘର ନିର୍ମାଣ ସଙ୍କଟରେ…….. ପ୍ରଶାସନଙ୍କ ହସ୍ତକ୍ଷେପ ଦାବି .

IMG-20260314-WA0008
Share

 

ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।

 

ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବର୍ତ୍ତମାନ ବାଲିଘାଟ ଓ ଇଟା ଭାଟି ବନ୍ଦ ହୋଇଯାଇଥିବାରୁ ସାଧାରଣ ଲୋକଙ୍କ ଘର ନିର୍ମାଣ କାମ ଗୁରୁତର ସଙ୍କଟରେ ପଡ଼ିଛି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ସେମାନଙ୍କ କହିବା ଅନୁସାରେ, ପୂର୍ବରୁ ବାଲି ଉଠାଣ ଚାଲୁଥିବା ସମୟରେ ସରକାରୀ ନଜରରେ ଏହାକୁ ଅବୈଧ ବୋଲି କୁହାଯାଉଥିଲେ ମଧ୍ୟ ସାଧାରଣ ଲୋକମାନେ ଘର ନିର୍ମାଣ ପାଇଁ ସହଜ ମୂଲ୍ୟରେ ବାଲି ପାଇପାରୁଥିଲେ । କିନ୍ତୁ ବର୍ତ୍ତମାନ ବାଲିଘାଟ ବନ୍ଦ ହୋଇଯାଇଥିବାରୁ ଘର ତିଆରି ପାଇଁ ଆବଶ୍ୟକ ବାଲି ସହଜରେ ମିଳୁନାହିଁ । ଏହାର ପ୍ରଭାବରେ ସାଧାରଣ ଲୋକମାନେ ଘର କାମ କେମିତି କରିବେ ବୋଲି ଦୁଶ୍ଚିନ୍ତାରେ ପଡ଼ିଛନ୍ତି ।

ଏହା ସହ ଅଞ୍ଚଳର ଅନେକ ଇଟା ଭାଟି ବନ୍ଦ କରାଯାଇଥିବାରୁ ଇଟାର ମୂଲ୍ୟ ମଧ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି। ପୂର୍ବରୁ ସାଧାରଣ ମୂଲ୍ୟରେ ଇଟା ମିଳୁଥିଲେ ମଧ୍ୟ ବର୍ତ୍ତମାନ ଲୋକମାନେ ଉଚ୍ଚ ଦାମରେ ଇଟା କିଣିବାକୁ ବାଧ୍ୟ ହେଉଛନ୍ତି । ଏହା ଛଡ଼ା ଇଟାଭାଟିରେ କାମ କରୁଥିବା ଅନେକ ମଜୁରିଆ ମଧ୍ୟ ବେକାର ହୋଇ ବସିଥିବା ଅଭିଯୋଗ ହେଉଛି ।

ସେହିପରି ଗରିବ ଲୋକଙ୍କ ପାଇଁ ସରକାର ଦେଉଥିବା ଆବାସ ଯୋଜନାର ଅର୍ଥରେ ଘର ତିଆରି କରିବା ଏବେ ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡ଼ିଛି ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି ।

ଏହି ପରିସ୍ଥିତିରେ ଜିଲ୍ଲା ପ୍ରଶାସନ ଏଥିପ୍ରତି ସଚେତନ ହୋଇ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଶୀଘ୍ର ସୁବ୍ୟବସ୍ଥା କରିବାକୁ ସାଧାରଣ ରେ ଦାବି ହେଉଛି । ନଚେତ ଆଗାମୀ ଦିନରେ ଲୋକମାନେ ରାଜରାସ୍ତାରେ ରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ସତର୍କ କରାଇଛନ୍ତି ।